ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ପରିସରରୁ ଉଦ୍ଧାର ହେଲା ନାଗ ଛୁଆ

Published By : Prameya-News7 Bureau | July 08, 2021 IST

ଭୁବେନେଶ୍ୱର, ୦୮/୦୭: ଆଜି ସକାଳ ଦିନ ୧୦ଟା ସମୟରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଏକ ନାଗ ସାପ ଛୁଆ ମୁଖ୍ୟ ବିଲଡିଙ୍ଗର ପାହାଚ ତଳେ ଯିବାର ଦେଖାଯାଇଥିଲା । କିଛି କର୍ମଚାରୀ ସାହସ କରି ଏକ ପ୍ଲାଷ୍ଟିକ ବାଲଟିରେ ସାପଟିକୁ ଭର୍ତ୍ତି ମଧ୍ୟ କରିଦେଲେ । ଖବର ପାଇ ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ତଥା ଖୋର୍ଦ୍ଧା ଜିଲ୍ଲାର ଅବୈତନିକ ବନ୍ୟ ପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ ଘଟଣା ସ୍ଥଳରେ ପହଞ୍ଚି ନାଗ ଛୁଆଟିକୁ ଉଦ୍ଧାର କରି ବ୍ୟାଗରେ ରଖିଥିଲେ । ପରିସର ଭିତରେ ଅଧିକ ନାଗ ଛୁଆର ଆଶଙ୍କା କରି ସେଠିକାର କର୍ମଚାରୀମାନେ ପରିସର ଭିତରେ ଅଧିକ ଖୋଜିବା ପାଇଁ ଅନୁରୋଧ କରିଥିଲେ । ଯଦିଓ ଆଉ ସାପ ମିଳିନଥିଲା, କିନ୍ତୁ ବଡ଼ ନାଗ ସାପ ଦେଖିଥିବାର କର୍ମଚାରୀ ମାନେ ପ୍ରକାଶ କରିଥିଲେ ।

ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ପରିସର ଭିତରୁ ଆଗରୁ ମଧ୍ୟ ଅନେକ ଥର ନାଗ ସାପ ଶୁଭେନ୍ଦୁ ମଲ୍ଲିକଙ୍କ ଦ୍ଵାରା ଉଦ୍ଧାର କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ପରିସରରୁ ନାଗ ଛୁଆ ବାହାରିବା ନେଇ ଶୁଭେନ୍ଦୁ କହିଛନ୍ତି "ଏଇ ଛୁଆଟି ଏଇ ବର୍ଷର ଛୁଆ, ଏବଂ ଅତି ବେଶିରେ ମାସେ ଭିତରେ ଅଣ୍ଡାରୁ ଫୁଟିଥିବ । ଜନ୍ମରୁ ଆଜିଯାଏଁ କିଛି ଖାଇ ନାହିଁ, ଏଣୁ ଦୁର୍ବଳ ହେଇ ଯାଇଛି । ଛୋଟ ବେଙ୍ଗ ବା ମୁଷା ଆଦି ଖୋଜି ଖୋଜି ଖାଦ୍ୟ ଆଶାରେ ସେହି ସ୍ଥାନକୁ ଆସିଯାଇଥିଲା ।

ବଡ଼ ସାପ କର୍ମଚାରୀଙ୍କ ନଜରରେ ପଡିବା ସହଜ, ହେଲେ ଅନେକ ସମୟରେ ଛୋଟ ଛୁଆ ନଜରରେ ପଡନ୍ତି ନାହିଁ । କିନ୍ତୁ, ଭବିଷ୍ୟତରେ ସେଇ ଯାଗାରେ ଅଧିକ ନାଗ ଛୁଆ ବାହାରିବାର ଆଶଙ୍କା ଅଛି ଏବଂ ଏଥିପାଇଁ ଆମେ ସେଠିକା କର୍ମଚାରୀଙ୍କୁ ବୁଝେଇ ଦେଇଛୁ । କାରଣ ଯଦି ସେଇ ଛୁଆ ସାଙ୍ଗରେ ଆଉ ୨୦ଟି ବି ଅଣ୍ଡା ତା ମା' ଦେଇଥିବ ସେମାନେ ମଧ୍ୟ ଫୁଟି ସାରି ଖାଦ୍ୟ ଅନ୍ୱେଷଣରେ ବୁଲୁଥିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.