ପ୍ଲାଷ୍ଟିକ୍ ଟ୍ୟୁବ୍ରେ ଫସି କଲବଲ ହେଲା ଢମଣା , ଉଦ୍ଧାର କଲେ ସ୍ନେକ୍ ହେଲ୍ପ ଲାଇନ୍
31/05/2020 at 1:44 PM

ଭୁବନେଶ୍ୱର ୩୧।୦୫: ପ୍ଲାଷ୍ଟିକ୍ ଟ୍ୟୁବ୍ରେ ଏକ ଢମଣା ସାପ ଫସିଯାଇ ବେଶ୍ କଲବଲ ହୋଇଛି । ସ୍ନେକ୍ ହେଲ୍ପ ଲାଇନ୍ ସଦସ୍ୟ ଟ୍ୟୁବ୍କୁ କାଟି ଢମଣାକୁ ନୂଆ ଜୀବନ ଦେଇଛନ୍ତି । ପ୍ରାଥମିକ ଚିକିତ୍ସା ପରେ ସାପଟିକୁ ପ୍ରାକୃତିକ ପରିବେଶ ମଧ୍ୟରେ ଛାଡ଼ି ଦିଆଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ବାଲେଶ୍ୱର ଜିଲ୍ଲା ରେମୁଣା ଅଞ୍ଚଳର ଦିଲ୍ଲୀପ ମାନାଙ୍କ ଘର ଅଗଣାରେ ଏକ ବିରାଟକାୟ ଢମଣା ଅତି କଷ୍ଟରେ ଧୀରେ ଧୀରେ ଚାଲୁଥିବା ସେ ଦେଖିଥିଲେ । ସାପଟି ମୁଣ୍ଡଠାରୁ ପ୍ରାୟ ଏକ ଫୁଟ ମଧ୍ୟରେ ଏକ ଧଳା ରଙ୍ଗର ପ୍ଲାଷ୍ଟିକ୍ ଟ୍ୟୁବ୍ ଫସି ରହିଥିବା ଦେଖିଥିଲେ ଦିଲ୍ଲୀପ । ସେ ସଙ୍ଗେ ସଙ୍ଗେ ସ୍ନେକ୍ ହେଲ୍ପ ଲାଇନ୍କୁ ଖବର ଦେଇଥିଲେ । ଖବରପାଇ ସ୍ନେକ୍ ହେଲ୍ପ ଲାଇନ୍ ସଦସ୍ୟ ଶ୍ୟାମଳେନ୍ଦୁ ଆଦିତ୍ୟ ଦିଲ୍ଲୀପଙ୍କ ଘରେ ପହଞ୍ଚିଥିଲେ । ସାଢ଼େ ୫ ଫୁଟ ଢମଣା ସାପଟିକୁ ଶ୍ୟାମଳେନ୍ଦୁ ଧରିଥିଲେ । ଅତି ଯତ୍ନର ସହ କଇଁଚି ସାହାଯ୍ୟରେ ଶ୍ୟାମଳେନ୍ଦୁ ପ୍ଲାଷ୍ଟିକ୍ ଟ୍ୟୁବ୍ଟିକୁ କାଟି ବାହାର କରି ଦେଇଥିଲେ । ଟ୍ୟୁବ୍ଟି ଲାଖି ରହିବା ଯୋଗୁଁ ସାପ ଦେହରେ ସାମାନ୍ୟ କ୍ଷତ ହୋଇଥିଲା । କ୍ଷତ ସ୍ଥାନରେ ଶ୍ୟାମଳେନ୍ଦୁ ଆଣ୍ଟିବାୟୋଟିକ୍ ମଲମ ଲଗାଇବା ପରେ ତାକୁ ପ୍ରାକୃତିକ ପରିବେଶ ମଧ୍ୟରେ ଛାଡ଼ି ଦିଆ ଯାଇଥିଲା । ସାପଟି କୌଣସି ସ୍ଥାନରେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ଉକ୍ତ ପ୍ଲାଷ୍ଟିକ୍ ଟ୍ୟୁବ୍ ଭିତରେ ମୁଣ୍ଡ ଭର୍ତ୍ତି କରି ଦେଇଥିଲା । ଟ୍ୟୁବ୍ଟି ଚାପି ହୋଇ ରହିବା ଫଳରେ ସାପର ଫୁସ୍ଫୁସ୍ ପ୍ରସାରିତ ହୋଇପାରୁ ନଥିଲା ଏବଂ ତାକୁ ନିଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ହେଉଥିଲା । ଖାଲି ସେତିକି ନୁହେଁ, ସେହି ଟ୍ୟୁବ୍ ଦେହରେ ଥିଲେ ସାପଟି ଶିକାର କରିପାରି ନଥାନ୍ତା । ଫଳରେ ସାପଟି ଖୁବ୍ କମ୍ ଦିନ ଭିତରେ ମରି ଯାଇଥାନ୍ତା ବୋଲି ସ୍ନେକ୍ ହେଲ୍ପ ଲାଇନ୍ର ସଂପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି ।