ସର୍ବସାଧାରଣ ସ୍ଥାନରେ ସିଗାରେଟ୍ ଟାଣିଲେ ଏଣିକି ଦେବାକୁ ପଡିବ ୧୦ଗୁଣା ଅଧିକ ଜରିମନା !

Published By : Prameya-News7 Bureau | January 28, 2021 IST

ପାଟନା ୨୮।୧: ସିଗାରେଟ୍ ଏବଂ ଅନ୍ୟ ତମାଖୁ ଉତ୍ପାଦକୁ ନିୟନ୍ତ୍ରଣରେ ରଖିବାକୁ ତମାଖୁ ନିୟନ୍ତ୍ରଣ ଅଧିନିୟମ -୨୦୦୩ରେ ସଂଶୋଧନ ପାଇଁ ଡ୍ରାଫ୍ଟ ପ୍ରସ୍ତୁତ କରିଛି । ଏଥି ଅନୁଯାୟୀ ସର୍ବସାଧାରଣରେ ସିଗାରେଟ୍ ଟାଣିଲେ ୧୦ ଗୁଣା ଅଧିକ ଦେବାକୁ ପଡିବ ଜରିମନା । ଅର୍ଥାତ୍ ସର୍ବସାଧାରଣ ସ୍ଥାନରେ ସିଗାରେଟ୍ ଟାଣୁଥିବା ବେଳେ ଧରାପଡିଲେ ୨୦୦ଟଙ୍କା ବଦଳରେ ଦେବାକୁ ପଡିବ ୨୦୦୦ଟଙ୍କା ଜରିମନା । କେବଳ ଏତିକି ନୁହେଁ ତମାଖୁ କ୍ରୟ-ବିକ୍ରୟର ସର୍ବନିମ୍ନ ବୟସ ସୀମା ୧୮ ବର୍ଷରୁ ବଢାଉ ୨୧ ବର୍ଷ କରିବା ନେଇ ବ୍ୟବସ୍ଥା ସାମିଲ କରିବା ସହ ହୋଟେଲ-ରେଷ୍ଟୁରାଣ୍ଟ ସହ ଏୟାରପୋର୍ଟ ଆଦି ସ୍ଥାନରେ ଅଲଗା ସ୍ମୋକିଂ ଜୋନ୍ ବ୍ୟବସ୍ଥାକୁ ରଦ୍ଦ କରାଯାଇଛି ।

ଏହି ସଂଶୋଧିତ ବିଧେୟକ ସଂସଦର ଚଳିତ ବଜେଟ୍ ଅଧିବେଶନରେ ଆଗତ କରିବାକୁ ପ୍ରସ୍ତୁତି କରାଯାଉଛି । ଏହି ଅଧିନିୟମ ସଂଶୋଧନ ଡ୍ରାଫ୍ଟରେ ତମାଖୁ ଉତ୍ପାଦ ବିକ୍ରି କରୁଥିବା ଭେଣ୍ଡରମାନଙ୍କ ପାଇଁ ଲାଇସେନ୍ସ ଅନିର୍ବାଜ୍ୟ ବ୍ୟବସ୍ଥା କରାଯାଇଛି ।

ତମାଖୁ ବିକ୍ରି ସ୍ଥାନରେ କୌଣସି ପ୍ରକାରର ପ୍ରଚାର ଅଥବା ପ୍ରଦର୍ଶନ ହେବନାହିଁ । ଇଣ୍ଟରନେଟ୍ ଏବଂ ସୋସିଆଲ ମିଡିଆ ମାଧ୍ୟମରେ ମଧ୍ୟ ତମାଖୁ ଉତ୍ପାଦର ପ୍ରଚାର ଉପରେ ସମ୍ପୂର୍ଣ୍ଣ ଭାବେ ପ୍ରତିବନ୍ଧକ ଲଗାଯିବ । ସିଗାରେଟ୍ ଅଥବା ବିଡିର ଗୋଟିଏ ଷ୍ଟିକ୍, ଛୋଟ ପ୍ୟାକେଟ୍ ଅଥବା ଖୋଲାରେ ତମାଖୁ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯିବ । ସଂଶୋଧିତ ଅଧିନିୟମ ଲାଗୁ ହେବା ପରେ ତମାଖୁ ଉଦ୍ଦ୍ୟୋଗ ଅଥବା ତତସହ ଜଡିତ କୌଣସି କାର୍ଯ୍ୟକ୍ରମର ସ୍ପନସରସିପ୍ ଅଥବା ସିଏସଆର ମଧ୍ୟ କରିପାରିବେ ନାହିଁ ।

ଉଲ୍ଲେଖଯୋଗ୍ୟ ଯେ, ତମାଖୁଜନିତ ରୋଗରେ ଦେଶବ୍ୟାପୀ ପ୍ରତିବର୍ଷ ୧୩ ଲକ୍ଷ ଲୋକଙ୍କ ମୃତ୍ୟୁ ହେଉଛି । ଏକ ରିସର୍ଚ୍ଚ ଅନୁସାରେ ତମାଖୁଜନିତ ରୋଗ ଦ୍ବାରା ପ୍ରତିଦିନ ୪ ହଜାରରୁ ଅଧିକ ଭାରତୀୟଙ୍କ ମୃତ୍ୟୁ ହେଉଛି । ୨୦୦୩ ମସିହାରୁ ଏହାସହ ଜଡିତ ମୃତ୍ୟୁସଂଖ୍ୟା ପ୍ରତିବର୍ଷ ପ୍ରାୟ ୫.୯ ପ୍ରତିଶତ ବୃଦ୍ଧି ପାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.