ସ୍ମାର୍ଟଫୋନ ହଜାଇଛି ନିଦ - ରିସର୍ଚ୍ଚ

Published By : Prameya-News7 Bureau | March 18, 2020 IST

ନୂଆଦିଲ୍ଲୀ ୧୮/୦୩ : ଏକ ରିସର୍ଚ୍ଚରୁ ଜଣାପଡିଛି ପାଖାପାଖି ୯୨ ପ୍ରତିଶତ ଭାରତୀୟ ଶୋଇବା ପୂର୍ବରୁ ନିଜ ଫୋନ ଚେକ କରିଥାନ୍ତି | ଡିଜିଟାଲ ସେବା ଏବଂ ଅଧିକ ମାତ୍ରାରେ ଫୋନ ବ୍ୟବହାର ଅନେକଙ୍କ ନିଦ ହଜାଇଛି | ଏହା ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ବିଶେଷ ପ୍ରଭାବ ପକାଉଛି |

୫୦ ହଜାର ଲୋକଙ୍କୁ ନେଇ କରାଯାଇଥିବା ଏକ ସର୍ଭେରୁ ବହୁଳ ଫୋନ ବ୍ୟବହାରର ଏକ ଭୟଙ୍କର ନକାରାତ୍ମକ ଦିଗ ସାମ୍ନାକୁ ଆସିଛି | ସର୍ଭେରେ ଅଂଶ ଗ୍ରହଣ କରିଥିବା ଲୋକଙ୍କ ମଧ୍ୟରୁ ୫୪ ପ୍ରତିଶତ ଲୋକ କହିଥିଲେ ଯେ ସେମାନେ ସୋସିଆଲ ମିଡ଼ିଆ ସହ ଜଡିତ | କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ଦିନ ସାରା ଫୋନ ଚେକ କରି ପାରନ୍ତି ନାହିଁ ତେଣୁ ଏମାନେ ରାତିରେ ସୋସିଆଲ ମିଡ଼ିଆ ସାଇଟ ଚେକ କରିଥାନ୍ତି |

ଏକ ତୃତୀୟାଂଶ ଲୋକ କହିଥିଲେ ଫୋନରୁ ଦୁରେଇ ରହିଲେ ସେମାନଙ୍କ ନିଦ ସମ୍ପୂର୍ଣ୍ଣ ହୋଇଥାଏ | ତେବେ ଡିଜିଟାଲ ଦୁନିଆ ଲୋକଙ୍କ ଜୀବନଶୈଳୀ ଉପରେ ଅନେକାଂଶରେ ପ୍ରଭାବ ପକାଇଛି | କିଛି ଦୃଷ୍ଟିରୁ ଏହା ଭଲ ହୋଇଥିଲେ ମଧ୍ୟ ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ | ରାତିରେ ଶୋଇବା ସମୟରେ ଅଧିକ ସମୟ ପର୍ଯ୍ୟନ୍ତ ସୋସିଆଲ ମିଡ଼ିଆରେ ସମୟ ଅତିବାହିତ କରିବା ଦ୍ୱାରା ନିଦ ସମ୍ପୂର୍ଣ୍ଣ ହୋଇନଥାଏ ଏବଂ ଏହାର ପ୍ରଭାବ ସ୍ୱାସ୍ଥ୍ୟ ଉପରେ ପଡିଥାଏ |

ଅଳ୍ପ ନିଦ୍ରା ଯୋଗୁଁ ସ୍ୱାସ୍ଥ୍ୟରେ ଅନେକ ପରିବର୍ତ୍ତନ ଦେଖା ଦେଇଥାଏ | ନିଦ୍ରାହୀନତା ଯୋଗୁଁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମିଯାଇଥାଏ | ଏହା ପାଚନକ୍ରିୟା ଉପରେ ମଧ୍ୟ ପ୍ରଭାବ ପକାଇଥାଏ | ନିଦ୍ରାହୀନତା ଯୋଗୁଁ ଡାଏବେଟିସ, ଉଚ୍ଚ ରକ୍ତଚାପ ଭଳି ସମସ୍ୟା ମଧ୍ୟ ଦେଖା ଦେଇଥାଏ |

ନିଦ୍ରାହୀନତାର ଆଉ ଏକ କାରଣ ହେଲା ଅତ୍ୟଧିକ ଚାପ | କାର୍ଯ୍ୟକ୍ଷେତ୍ରରେ ଅଧିକ ଚାପ ଯୋଗୁଁ ମଧ୍ୟ ନିଦ୍ରାହୀନତା ଦେଖା ଦେଇଥାଏ | ୩୩ ପ୍ରତିଶତ ଲୋକଙ୍କ ମଧ୍ୟରେ ଏହି ସମସ୍ୟା ଦେଖାଦେଇଛି |

ଗତ ବର୍ଷର ଏକ ସର୍ଭେ ରିପୋର୍ଟ ଅନୁଯାୟୀ, ୮୦ ପ୍ରତିଶତ ଲୋକ ନିଜ ପାର୍ଟନରଙ୍କ ସହ ଶୋଇବା ପାଇଁ ଯାଇନଥାନ୍ତି ଏବଂ ଏହାର ମୂଳ କାରଣ ସ୍ମାର୍ଟଫୋନ | ୨୫ ରୁ ୩୪ ବର୍ଷ ବୟସ ଲାକଙ୍କ ମଧ୍ୟରେ ଅଧିକ ନିଦ୍ରାହୀନତା ଦେଖାଦେଇଛି |

ଏହି ସର୍ଭେର ନାଁ ଦିଆଯାଇଛି ଦ ଗ୍ରେଟ ଇଣ୍ଡିଆନ ସ୍ଲିପ ସ୍କୋରକାର୍ଡ | ୨୦୨୦ ଏଡିସନରେ ୫୦ ହଜାର ଲୋକଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା | ଏହା ୨୦୧୯ ମସିହା ମାର୍ଚ୍ଚ ୧ ତାରିଖରୁ ୨୦୨୦ ମସିହା ଫେବୃଆରୀ ୨୯ ତାରିଖ ପର୍ଯ୍ୟନ୍ତ କରାଯାଇଥିବା ସର୍ଭେ ରିପୋର୍ଟ | ଏହି ସର୍ଭେ ଭାରତର ସମସ୍ତ ସହରରେ କରାଯାଇଥିଲା | ରିପୋର୍ଟ ଅନୁଯାୟୀ, ନିଦ୍ରାହୀନତା ସମସ୍ୟା ପ୍ରାୟତ ୧୮ ବର୍ଷ ବୟସ ପିଲାଙ୍କ ଠାରୁ ଆରମ୍ଭ ହୋଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.