ଫୋନ୍ ବଜାରରେ କରୋନା ଛାଇ : ମାର୍ଚ୍ଚ ପହିଲା ପୂର୍ବରୁ ସ୍ମାର୍ଟଫୋନ୍ ମହଙ୍ଗା

Published By : Prameya-News7 Bureau | February 20, 2020 IST

କୋଲକାତା ୨୦/୨: ଚୀନ୍‌ର କରୋନା ଭାଇରସ୍‌ ପ୍ରକୋପ ବିଶ୍ୱ ଅର୍ଥନୀତିକୁ ଗ୍ରାସିବା ଆରମ୍ଭ କରିଛି । ବିଭିନ୍ନ ଶିଳ୍ପରେ କଞ୍ଚାମାଲ ଅଭାବ ପରିଲକ୍ଷିତ ହେଲାଣି । ଯୋଗାଣ ଶୃଙ୍ଖଳ ବିଗିଡ଼ିଛି । ଏମିତି କି ଚଳିତମାସ ଶେଷ ସୁଦ୍ଧା ଏହାର ପ୍ରଭାବରେ ଟିଭି, ଏସି, ରେଫ୍ରିଜରେଟର ଭଳି ସ୍ଥାୟୀ ଉପଭୋକ୍ତା ସାମଗ୍ରୀ ଏବଂ କିଛି ସ୍ମାର୍ଟଫୋନ୍‌ ମଡେଲ୍‌ର ଦରଦାମ ବଢ଼ିବ ବୋଲି ଜଣାପଡ଼ିଛି ।

{"id":226735,"sizeSlug":"large"}

ମିଳିଥିବା ଖବରରୁ ଜଣାପଡ଼ିଛି ଯେ ଘରୋଇ କମ୍ପାନିମାନେ ବିଭିନ୍ନ ଯନ୍ତ୍ରାଂଶ ଅଭାବର ସମ୍ମୁଖୀନ ହେଉଛନ୍ତି । ସେମାନେ ପୂର୍ବରୁ ଗଚ୍ଛିତ ରଖିଥିବା ଉପକରଣ ଶେଷ ହେବାରେ ଲାଗିଛି । ଏଇ ମାସରେ ସେସବୁ ସରିଯିବ । ଫଳରେ ଅନ୍ୟ ଉତ୍ସ ଉପରେ ସେମାନଙ୍କୁ ନିର୍ଭର କରିବାକୁ ପଡ଼ିବ । କିନ୍ତୁ ଏହା ବ୍ୟୟସାପେକ୍ଷ ହେବାକୁ ଥିବାରୁ ସ୍ଥାୟୀ ଉପଭୋକ୍ତା ସାମଗ୍ରୀ ଏବଂ ସ୍ମାର୍ଟଫୋନ୍‌ ମହଙ୍ଗା ହେବାଟା ଥୟ ବୋଲି କୁହାଯାଉଛି । ଶିଳ୍ପ କେତେକ ଫିନିସ୍‌ଡ (ପୂର୍ବରୁ ପ୍ରସ୍ତୁତ) ଉତ୍ପାଦ ଅଭାବର ମଧ୍ୟ ସାମ୍ନା କରୁଛି ।

ବରିଷ୍ଠ ଶିଳ୍ପ କାର୍ଯ୍ୟନିର୍ବାହୀଙ୍କ କହିବାନୁଯାୟୀ ପର୍ଯ୍ୟାପ୍ତ ଉତ୍ପାଦ ବିନିର୍ମାଣ ହେଉନଥିବାରୁ କିଛି କମ୍ପାନି ରିହାତି ଓ ପ୍ରୋତ୍ସାହନମୂଳକ ଅଫରକୁ ସଂକୁଚିତ କରିଦେଇଛନ୍ତି । ବର୍ଷତମାମ ବିଭିନ୍ନ ସାମଗ୍ରୀ ଉପରେ ରିହାତି ଅଫର ରହିଥାଏ । କିନ୍ତୁ କରୋନା ଭୂତାଣ ଯୋଗୁ ଯୋଗାଣ ବାଧାପ୍ରାପ୍ତ ହେବା ଦ୍ୱାରା ରିହାତି ଅଫର ଦେବା ସମ୍ଭବ ହେଉନାହିଁ । ରିହାତି ଅଫର ବିନା ଉତ୍ପାଦଗୁଡ଼ିକର ମୂଲ୍ୟ ୩ରୁ ୫% ବଢ଼ିଯିବ । ଟିଭି ଭଳି କେତେକ ସ୍ଥାୟୀ ଉପଭୋକ୍ତା ସାମଗ୍ରୀ ୭ରୁ ୧୦% ମହଙ୍ଗା ହେବ । ଅନ୍ୟପକ୍ଷରେ ଯୋଗାଣ ଅଭାବ ଯୋଗୁ ଟିଭି ପ୍ୟାନେଲ୍‌ ଭଳି କେତେକ ସାମଗ୍ରୀର ଅନ୍ତର୍ଜାତୀୟ ଦର ୧୫ରୁ ୨୦% ବୃଦ୍ଧି ହୋଇଛି ।

{"id":226736,"sizeSlug":"large"}

ମିଳିଥିବା ସୂଚନା ମୁତାବକ ଗତ ସୋମବାର ଆଇଫୋନ୍‌ ନିର୍ମାତା ଆପଲ୍‌ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ଆଇଫୋନ୍‌ ଯୋଗାଣ ଅସ୍ଥାୟୀ ଭାବେ ହ୍ରାସ ପାଇବ ବୋଲି ଏହା କହିଛି । ଚୀନ୍‌ରେ ଥିବା ଏହାର ବିନିର୍ମାଣ ସହଯୋଗୀ ସେମାନଙ୍କ ଉତ୍ପାଦନକୁ କମାଇ ଦେଇଥିବାରୁ ସମସ୍ୟା ଉପୁଜିଛି । ତେଣୁ ଆମେ ଆଇଫୋନ୍‌ ଯୋଗାଣ ହ୍ରାସ କରିବାକୁ ବାଧ୍ୟ ହେବୁ ।

ଦୁଇଜଣ ଘରୋଇ ଶିଳ୍ପ କାର୍ଯ୍ୟନିର୍ବାହୀଙ୍କ କହିବା ମୁତାବକ ଭାରତରେ ଆପଲ୍‌ ବିତରକମାନେ ଏବେ ଚିନ୍ତାରେ ଅଛନ୍ତି । ସେମାନଙ୍କ ବାଣିଜ୍ୟ ସହଯୋଗୀମାନେ ଯୋଗାଣ ସଂକୁଚିତ ହେବା ନେଇ ଆଗୁଆ ଜଣାଇଛନ୍ତି । ଆଗାମୀ ୩୦ ଦିନ ଭିତରେ ସମସ୍ୟା ସୁଧୁରିବ ବୋଲି ସେମାନେ ମନେକରୁ ନାହାନ୍ତି । ତା’ଛଡ଼ା ଆପଲ୍‌ ଭାରତରେ ଯେଉଁ ପରିମାଣରେ ଆଇଫୋନ୍‌ ଏକ୍ସଆର୍‌ ଏବଂ ୭ଟି ମଡେଲ ନିର୍ମାଣ କରୁଛି, ତାହା ଘରୋଇ ଚାହିଦା ପୂରଣ ପାଇଁ ଯଥେଷ୍ଟ ନୁହେଁ । ଦେଶ ପାଇଁ ପାଖାପାଖି ୭୦-୭୫% ଇନ୍‌ଭେଣ୍ଟୋରି ଆବଶ୍ୟକ ରହିଛି ।

ଏକ ଆପଲ୍‌ ଏକ୍ସକ୍ଲୁସିଭ୍‌ ଷ୍ଟୋରର ଜଣେ ମୁଖ୍ୟ କହିଛନ୍ତି, ଇ-କମର୍ସ ପ୍ଲାଟ୍‌ଫର୍ମରେ ବିକ୍ରି ହେଉଥିବା ଆଇଫୋନ୍‌ଗୁଡ଼ିକ ଉପରେ ଆଉ ଡିସ୍‌କାଉଣ୍ଟ ଦେବା ସହଜ ନୁହେଁ । ଷ୍ଟୋରରେ ମଧ୍ୟ ଏଥିପାଇଁ କୌଣସି ସୁଯୋଗ ନାହିଁ । ତେବେ ସର୍ବାଧିକ ଖୁଚୁରା ମୂଲ୍ୟ ଅପରିବର୍ତ୍ତିତ ରହିବ । ଚାହିଦା ଓ ଯୋଗାଣ ମଧ୍ୟରେ ଥିବା ପରିସ୍ଥିତି ପାଇଁ ଏହି ସମସ୍ୟା ଜାରି ରହିବ । ଏ ନେଇ ଆପଲ୍‌ ଇଣ୍ଡିଆ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ ।

ସେପଟେ ଜାପାନୀ ଏସି ନିର୍ମାତା ଡାଇକିନ୍‌ ଏହାର ଖୁଚୁରା ବିକ୍ରେତାମାନଙ୍କୁ ସୂଚନା ଦେଇଛି ଯେ ଏହା ଫେବ୍ରୁଆରୀରୁ ୩-୫% ମୂଲ୍ୟବୃଦ୍ଧି କରିବ । ବିକ୍ରି ବୃଦ୍ଧି ପାଇଁ ଏହା ଯେଉଁ ରିହାତି ଅଫର ଦେଉଥିଲା, ତାହା ଆଉ ମିଳିପାରିବ ନାହିଁ । ଡାଇକିନ୍‌ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ କେ ଜେ ଜୱା କହିଛନ୍ତି, ବିନିମୟ ହାର (ଏକ୍ସଚେଞ୍ଜ ରେଟ୍‌)ରେ ପରିବର୍ତ୍ତନ, କମ୍ପ୍ରେସର ଉପରେ ଅଧିକ ଶୁଳ୍କ ଲାଗୁ ଏବଂ କୋଭିଡ୍‌-୧୯ ଭୂତାଣୁ ବ୍ୟାପିବା ଆଦି କାରଣରୁ କମ୍ପାନିର କାରବାର ପ୍ରଭାବିତ ହୋଇଛି । କେବଳ ଚୀନ୍‌ ନୁହେଁ, ଥାଇଲାଣ୍ଡ ଏବଂ ମାଲେସିୟାରେ ମଧ୍ୟ ସ୍ଥିତି ଖରାପ ରହିଛି ।

ଗୋଦ୍‌ରେଜ୍‌ ଆପ୍ଲାଏନ୍‌ସେସ୍‌ ବ୍ୟବସାୟ ମୁଖ୍ୟ କମଲ ନନ୍ଦୀ କହିଛନ୍ତି, ୩-୫% ମୂଲ୍ୟ ବୃଦ୍ଧି ନିଶ୍ଚିତ ହେବ । ଚୀନ୍‌ରୁ ସାମଗ୍ରୀ ଆସିବା ବନ୍ଦ ହୋଇଥିବାରୁ ଆମେ ନିରୁପାୟ । ଯେଉଁଠି ଯୋଗାଣ ସଂକୁଚିତ ହୋଇଛି, ସେଠି ରିହାତି ଏବଂ ଅନ୍ୟାନ୍ୟ ଅଫରର ପ୍ରଶ୍ନ ଉଠୁନାହିଁ । କୋଡାକ୍‌ ଏବଂ ଥମ୍‌ସନ୍‌ ଟିଭି ବିକ୍ରି କରୁଥିବା ସୁପର ପ୍ଲାଷ୍ଟ୍ରୋନିକ୍ସର ସିଇଓ ଅବନୀତ ସିଂହ ମାରୱା କହିଛନ୍ତି, ଉତ୍ପାଦ ଷ୍ଟକ୍‌ ନଥିବାରୁ ଆମେ ସମସ୍ତ ରିହାତି ଓ ଅଫର ବନ୍ଦ କରିଦେଇଛୁ ।

ଗତ ସପ୍ତାହରେ ସାଓମି ଏହାର ଏକ ସ୍ମାର୍ଟଫୋନ୍‌ ମଡେଲ ଦାମ ୫୦୦ ଟଙ୍କା ବଢ଼ାଇଥିଲା । ବର୍ତ୍ତମାନ ଦେଖାଦେଇଥିବା ସ୍ଥିତିରୁ ମୁକୁଳିବା ପାଇଁ ଦରବୃଦ୍ଧି ଏକ ବିକଳ୍ପ ହୋଇଛି । ଚୀନ୍‌ରେ ଦେଖାଦେଇଥିବା କରୋନା ଆତଙ୍କ ଯୋଗୁ ଉପକରଣ ଯୋଗାଣ ପ୍ରଭାବିତ ହେବାରୁ ଭାରତରେ ଫୋନ୍‌ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି । ଉପକରଣ ଦାମ ବୃଦ୍ଧି ପାଇଥିବା ବେଳେ ଏବେ ଫୋନ୍‌ ଦାମ ବଢ଼ିବା ଆରମ୍ଭ ହୋଇଛି । ଅନ୍ୟପକ୍ଷରେ ଯୋଗାଣ ବୃଦ୍ଧି ଯୋଗୁ ଯଦିଓ ଭିଭୋ ମଧ୍ୟ ପ୍ରଭାବିତ ହୋଇଛି, ଏହା ଫୋନ୍‌ ଦର ବଢ଼ାଇବ ନାହିଁ ବୋଲି କହିଛି । ସେହିଭଳି ଦରବୃଦ୍ଧି କରିବାକୁ ଯୋଜନା ନାହିଁ ବୋଲି ରିୟଲ୍‌ମି କହିଥିବା ବେଳେ ଆଗାମୀ ଦୁଇ ସପ୍ତାହ ମଧ୍ୟରେ ଚୀନ୍‌ରେ ସ୍ୱାଭାବିକ ସ୍ଥିତି ଫେରିବ ବୋଲି ଓପୋ ଇଣ୍ଡିଆ ପକ୍ଷରୁ ଆଶାପ୍ରକାଶ ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.