ଛୋଟ ଛୋଟ ପିଲାଙ୍କୁ ଧାଡି କରି ବସାଇଲେ, ଦନାରେ ପିଆଇଲେ ଦେଶୀ ମଦ : କରୋନା ପ୍ରତିରୋଧ ପାଇଁ ଭୁଲ୍ ବିଶ୍ୱାସରୁ ଅଦ୍ଭୂତ କାରନାମା
21/07/2020 at 3:32 PM

ମାଲକାନଗିରି ୨୧।୦୭: ଶିକ୍ଷା ଓ ସଚେତନତା ଅଭାବରୁ ଅଦ୍ଭୂତ କାରନାମା । ଛୋଟ ଛୋଟ ପିଲାଙ୍କ ସ୍ୱାସ୍ଥ୍ୟ ଓ ଜୀବନ ସହ ଖେଳ ଭଳି ଘଟଣାଟିଏ ଘଟିଛି ମାଲାକାଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ ମୋଟେରୁ ପଞ୍ଚାୟତ ପାର୍ଶନପଲ୍ଲୀ ଗାଁରେ । ଏକ ବିବାହ ଭୋଜିରେ ଛୋଟ ଛୋଟ ପିଲାଙ୍କୁ ସଲପ ରସ ଓ ମହୁଲୀ ଯାହାକୁ କି ଦେଶୀ ମଦ କୁହାଯାଏ , ତାହା ପରସାଯାଇଛି ।ଧାଡି ବାନ୍ଧି ହୋଇ ପିଲାଏ ବସିଲେ, ଆଉ ଦନାରେ ପିଇଲେ ସଲପ ମହୁଲୀ ରସ ।
ଏମିତି କାହିଁକି ହେଲା ? କରୋନାର ପ୍ରତିରୋଧକ ପାଇଁ ପିଲାଙ୍କୁ ଭୋଜି ଶେଷରେ ଏପରି ଦେଶୀ ମଦ ପିଇବାକୁ ଦିଆଯାଇଥିବା ଜଣାଯାଇଛି । ସାରାବିଶ୍ୱକୁ କରୋନା ଭୟ ଘାରିଥିବା ବେଳେ ଏହି ଆଦିବାସୀ ଗାଁରେ ଏପରି କରାଯାଇଛି। କରୋନା ମୁକାବିଲା ପାଇଁ ନିହାତି ଆବଶ୍ୟକ ମାସ୍କ ଓ ସାନିଟାଇଜର । ତେବେ ସେହି ସାନିଟାଇଜରରେ ଆଲକହଲ ରହିଛି । ଅର୍ଥାତ ଆଲ୍କହଲ ଦ୍ୱାରା କରୋନାକୁ ପ୍ରତିରୋଧକ କରିହେବ, ଏହି ବିଶ୍ୱାସରେ ଛୋଟ ଛୋଟ ପିଲାଙ୍କୁ ଦେଶୀ ମଦ ପିଆଇଛନ୍ତି ଗାଁର କିଛି ଲୋକ ଓ ଭୋଜିର ଆୟୋଜକ ।
ଆଲକହଲରେ ନିଶା ହୁଏ, ସଲପ ଓ ମହୁଲୀ ପିଇଲେ ବି ନିଶା ହୁଏ । ଅର୍ଥାତ ସଲପ ମହୁଲୀରେ ଆଲକହଲ ରହିଛି । ଏହି ବିଶ୍ୱାସରେ ଛୋଟ ପିଲାଙ୍କୁ କରୋନାରୁ ନିସ୍ତାର ଲାଗି ଦେଶୀ ମଦ ପରସାଯାଇଥିଲା । ଆଦିବାସୀ ଗାଁରେ ଶିକ୍ଷା ଓ ସଚେତନତା ଅଭାବରୁ ଏପରି ହୋଇଥିବା ମନେ କରାଯାଉଛି । ଗାଁର ୫୦ରୁ ଅଧିକ ଛୋଟ ଛୋଟ ପିଲାଙ୍କୁ ଧାଡି କରି ବସାଇବା ପରେ , ସେମାନଙ୍କୁ ମହୁଲ ପତ୍ର ଦନାରେ ଦେଶୀ ମଦ ସଲପ ଓ ମହୁଲୀ ପିଇବାକୁ ଦିଆଯାଇଥିଲା । ଏହି ଚିତ୍ର ଆମ ପାଖରେ ଥିଲେ ବି ନିୟମ ଦୃଷ୍ଟିରୁ ଆମେ ଏହା ଏଠାରେ ପ୍ରକାଶିତ କରିପାରୁନାହୁଁ । କିଛି ଦିନ ତଳେ ଗାଁରେ ଅନୁଷ୍ଠିତ ଏକ ବିବାହ ଉତ୍ସବରେ ଏହି ଚିତ୍ର ଦେଖିବାକୁ ମିଳିଥିଲା ।
ସମାଜରୁ ମଦକୁ ଦୁରେଇ ରଖିବା ପାଇଁ ପ୍ରୟାସ ଜାରି ରହିଥିବା ବେଳେ ପିଲାଙ୍କୁ ମଦ ଦେଇ ସମାଜକୁ ମଦ ମୁହାଁ କରାଯାଉଥିବା ବୁଦ୍ଧିଜୀବୀ ମତ ରଖିଛନ୍ତି । ତେବେ ଶିକ୍ଷା ଓ ସଚେତନତାର ଅଭାବ ହିଁ ଏହାର ମୂଳକାରଣ । ଏହାର ପ୍ରତିକାର ଜରୁରୀ ବୋଲି ମତ ପ୍ରକାଶ ପାଇଛି ।