ଉପରମୁଣ୍ଡରେ ଲଗାଣ ବର୍ଷା : ଆସନ୍ତା ୧୪ରେ ଖୋଲାଯିବ ହୀରାକୁଦ ଜଳଭଣ୍ଡାର ଗେଟ୍
10/08/2019 at 11:48 AM

ସମ୍ବଲପୁର ୧୦|୮: ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି । ଆସନ୍ତା ୧୪ ତାରିଖରେ ଖୋଲିପାରେ ହୀରାକୁଦ ଜଳଭଣ୍ଡାର ଗେଟ୍ । ଦିନ ୧୧ଟା ପରେ ଗେଟ୍ ଖୋଲାଯିବାର ସମ୍ଭାବନା ରହିଛି । ତେବେ ୧୪ ତାରିଖରେ ବର୍ଷା ପରିମାଣକୁ ଦେଖି କେତୋଟି ଗେଟ୍ ଖୋଲାଯିବ ସେ ନେଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ହୀରାକୁଦ ଡ୍ୟାମ୍ ମୁଖ୍ୟ ଯନ୍ତ୍ରୀ ସୁନୀଲ କୁମାର ନାୟକ ।
ଡ୍ୟାମ୍ ର ଜଳଧାରଣ କ୍ଷମତା ୬୩୦ ଫୁଟ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ଜଳସ୍ତର ୬୧୦.୩୯ ଫୁଟ ରହିଛି । ବର୍ତ୍ତମାନ ଡ୍ୟାମକୁ ୧ ଲକ୍ଷ ୮୩ ହଜାର ୬୧୫ କ୍ୟୁସେକ୍ ଜଳ ପ୍ରବେଶ କରୁଛି ଏବଂ ୧୬ ହଜାର ୯୨୯ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି । ଆସନ୍ତା ୧୨ରେ ହେବାକୁ ଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେଣୁ ୧୪ ତାରିଖରେ ଗେଟ୍ ଖୋଲାଯିବାର ସମ୍ଭାବନା ରହିଛି ବୋଲି ହୀରାକୁଦ ଡ୍ୟାମ୍ ମୁଖ୍ୟ ଯନ୍ତ୍ରୀ ସୁନୀଲ କୁମାର ନାୟକ ସୂଚନା ଦେଇଛନ୍ତି ।