ଏମିତି ଏକ ଦେଶ, ଯିଏ ନିଜର ସମସ୍ତ ନାଗରିକଙ୍କ କରିବ କରୋନା ଟେଷ୍ଟ, ନ ହେଲେ ପ୍ରଧାନମନ୍ତ୍ରୀ ଦେବେ ଇସ୍ତଫା

Published By : Prameya-News7 Bureau | October 19, 2020 IST

ବ୍ରାତିସ୍ଲାଭା ୧୯।୧୦: ସାତ ମାସ ପରେ ବି କରୋନା ମହାମାରୀର ପ୍ରକୋପ ଥମିବାର ନାଁ ନେଉ ନାହିଁ। ଏହି କଥାକୁ ଅନେକ ଦେଶ ଗମ୍ଭୀରତାର ସହ ଚିନ୍ତା କରୁଛନ୍ତି ଏବଂ ଏହି ଦିଗରେ ଯଥା ସମ୍ଭବ ପଦକ୍ଷେପ ନେଉଛନ୍ତି। ୟୁରୋପରେ ଏମିତି ଏକ ଦେଶ ଯିଏ କରୋନାର ଦ୍ଵିତୀୟ ଲହରରୁ ନିଜର ନାଗରିକଙ୍କ ସୁରକ୍ଷା ପାଇଁ ଏକ ବଡ ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛି।

ୟୁରୋପୀୟ ଦେଶ ସ୍ଲୋଭାକିଆ ଶନିବାର ଘୋଷଣା କରିଛି ଯେ, ୧୦ ବର୍ଷ ଏବଂ ତଦୁର୍ଦ୍ଧ୍ଵ ଲୋକଙ୍କ କରୋନା ଟେଷ୍ଟ କରାଯିବ। ସ୍ଥାନୀୟ ସମାଚାର ଚ୍ୟାନେଲ ଅନୁଯାୟୀ ଏହି ଘୋଷଣା ଶନିବାର ସ୍ଲୋଭାକିଆର ପ୍ରଧାନମନ୍ତ୍ରୀ  ଇଗୋର ମାଟୋଭିକ୍ କରିଥିଲେ। ସମଗ୍ର ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ନିର୍ଣ୍ଣୟ ନିଆଯାଇଛି। ସରକାର କହିଛନ୍ତି, ବଡ ଧରଣର ଟେଷ୍ଟ କଲେ ଭାଇରସ୍‌କୁ ଚିହ୍ନଟ କରାଯାଇ ପାରିବ ଏବଂ ଏହାକୁ ରୋକିବାରେ ସହାୟକ ହେବ।

ମୋଟାଭିକ୍ କହିଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ ଆପଣାଯାଇଥିବା ସୁରକ୍ଷାତ୍ମକ ଉପାୟ ଓ ପଦକ୍ଷେପ ଯେମିତି ବେକାର ନଯାଉ। ବଡ ଧରଣର ପରୀକ୍ଷଣ ଜରିଆରେ ଏହି ମହାମାରୀକୁ ରୋକିବାରେ ବହୁତ ଶୀଘ୍ର ସାହାଯ୍ୟ ମିଳିବ।

ସେ ଏହା ମଧ୍ୟ କହିଛନ୍ତି, ଯଦି ବ୍ୟାପକ ପରିମାଣରେ ଟେଷ୍ଟ ନହୁଏ ତେବେ ସେ ନିଜ ପଦରୁ ଇସ୍ତଫା ଦେବେ। ମାଗଣାରେ ସମସ୍ତଙ୍କର ପରୀକ୍ଷଣ କରାଯିବ ଏବଂ ଏହା ଆଗାମୀ ସପ୍ତାହରୁ ଆରମ୍ଭ ହୋଇ ଶେଷ ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ। ଏହି ଅଭିଯାନରେ ଦେଶର ପ୍ରାୟ ୫.୪ ମିଲିୟନ ଅର୍ଥାତ ୫୪  ଲକ୍ଷ ନିବାସୀଙ୍କ କରୋନା ଟେଷ୍ଟ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.