‘ତ୍ରିରଙ୍ଗାର ଅପମାନ ସହିବନି ହିନ୍ଦୁସ୍ଥାନ’: ବିଭିନ୍ନ ସ୍ଥାନରେ କୃଷକଙ୍କ ବିରୋଧରେ ଜନତାଙ୍କ ନାରାବାଜି
28/01/2021 at 4:04 PM

ନୂଆଦିଲ୍ଲୀ ୨୮/୦୧ : ଜାନୁଆରୀ ୨୬ ତାରିଖରେ ରାଜଧାନୀରେ କୃଷକ ରାଲି ସମୟରେ ହୋଇଥିବା ହିଂସାକୁ ଜନତା ବିରୋଧ କରିଛନ୍ତି। ଲୋକଙ୍କ ଆକ୍ରୋଶ ଏତେ ବଢିଯାଇଛି ଯେ ଲୋକେ ଆନ୍ଦୋଳନ ସ୍ଥଳକୁ ଯିବା ଆରମ୍ଭ କରିଛନ୍ତି। ଆନ୍ଦୋଳନ ସମାପ୍ତ କରିବାକୁ ଲୋକେ ଦାବି କରୁଛନ୍ତି। ଗୁରୁବାର ଦିନ ସ୍ଥାନୀୟ ଲୋକେ ସିଂଘୁ ସୀମାରେ ପହଞ୍ଚି ହଙ୍ଗାମା କରିଥିଲେ। ଲୋକେ କହିଛନ୍ତି ଯେ କୃଷକ ଦେଶର ଜାତୀୟ ଧ୍ବଜା ତ୍ରିରଙ୍ଗାକୁ ଅପମାନିତ କରିଛନ୍ତି। ସିଂଘୁ ସୀମାରେ ପହଞ୍ଚିଥିବା ନରେଲା ଆଖପାଖ ଲୋକେ କହିଛନ୍ତି ଯେ ହିନ୍ଦୁସ୍ଥାନ ତ୍ରିରଙ୍ଗାର ଅପମାନ ସହିବନି। ଲୋକେ କୃଷକଙ୍କ ବିରୋଧରେ ନାରାବାଜି ମଧ୍ୟ କରିଛନ୍ତି। ସୀମାରୁ କୃଷକଙ୍କ ଆନ୍ଦୋଳନ ସମାପ୍ତ କରିବାକୁ ଲୋକେ ଦାବି କରିଛନ୍ତି। ୨ ମାସରୁ ଅଧିକ ସମୟ ହେଲା କୃଷକମାନେ ଦିଲ୍ଲୀର ବିଭିନ୍ନ ସୀମାରେ କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଛନ୍ତି।

ସିଂଘୁ ସୀମା ଛଡା ରାଜସ୍ଥାନ ସାହାଜାହାନପୁରରେ ବି କୃଷକଙ୍କ ବିରୋଧରେ ନାରାବାଜି ଆରମ୍ଭ ହୋଇଛି। ଏଠାରେ ୧୫ଟି ଗାଁକୁ ନେଇ ମହାପଞ୍ଚାୟତ ବସିଛି। ଗ୍ରାମବାସୀ କୃଷକ ଆନ୍ଦୋଳନକୁ ବିରୋଧ କରୁଛନ୍ତି। ଲୋକେ ଜାତୀୟ ରାଜପଥ ଖାଲି କରିବାକୁ ଦାବି କରିଛନ୍ତି।
ହିଂସା ପରେ ରାଷ୍ଟ୍ର ଗୃହମନ୍ତ୍ରୀ ଅମିତ ଶାହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦିଲ୍ଲୀ ପୋଲିସକୁ ଆଦେଶ ଦେଇଛନ୍ତି। ଗୁରୁବାର ଦିନ ଦିଲ୍ଲୀ ପୋଲିସ ଭାରତୀୟ କୃଷି ସଂଗଠନର ପ୍ରବକ୍ତା ରାକେଶ ଟିକେତଙ୍କ ଗାଜିପୁର ସୀମା ସ୍ଥିତ ତମ୍ବୁ ବାହାରେ ନୋଟିସ ଲାଗାଇଛି। ନୋଟିସ ଜରିଆରେ ପୋଲିସ ହିଂସାରେ ସାମିଲ ଲୋକଙ୍କ ନାଁ ମାଗିଛି। ଏଥିପାଇଁ ପୋଲିସ ଟିକେତଙ୍କୁ ୩ ଦିନ ସମୟ ଦେଇଛି।

ତାଛଡା ଦିଲ୍ଲୀ ପୋଲିସ ଏଫଆଇଆରରେ ରୁଜ୍ଜୁ ହୋଇଥିବା ନାଁ ବିରୋଧରେ ଲୁକଆଉଟ ଜାରି କରିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କୃଷକ ନେତା ସମେତ ଅନେକ ଅଭିଯୁକ୍ତଙ୍କ ପାସପୋର୍ଟ ଜାମା କରିବାକୁ ଆଦେଶ ଦିଆଯାଇପାରେ। ଅପରପକ୍ଷରେ ଟିକରି ସୀମାରେ କୃଷକ ପ୍ରଦର୍ଶନ ଜାରି ରଖିଛନ୍ତି।