ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନକୁ ଅପେକ୍ଷା, କିନ୍ତୁ ଲକ୍ଡାଉନ୍ ବୃଦ୍ଧି ଘୋଷଣା କରିସାରିଛନ୍ତି ଓଡିଶା ସମେତ ଛଅଟି ରାଜ୍ୟ
12/04/2020 at 9:12 AM

ନୂଆଦିଲ୍ଲୀ ୧୨।୦୪: ସାରାଦେଶରେ ଏବେ କରୋନା ଚିନ୍ତା । ଦିନକୁ ଦିନ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ଦେଶରେ କରୋନା ଜନିତ ଆକ୍ରାନ୍ତଙ୍କ ସଂଖ୍ୟା ୭ହଜାର ପାର ହୋଇସାରିଛି । ଏହାମଧ୍ୟରେ କରୋନାରେ ମ଼ୃତକଙ୍କ ସଂଖ୍ୟା ୨ଶହ ପାର ହୋଇସାରିଲାଣି । ଦେଶରେ କରୋନାକୁ କିପରି ମୁକାବିଲା କରାଯାଇପାରିବ ଏଥିପାଇଁ ଘନ ଘନ ବୈଠକ ବସୁଛି । କେନ୍ଦ୍ରରୁ ରାଜ୍ୟ ପର୍ଯ୍ୟନ୍ତ ସବୁ ସରକାର ସକ୍ରିୟ ମୋଡର ମୁକାବିଲା କରୁଛନ୍ତି । ତେବେ କରୋନା ପରି ମହାମାରୀକୁ ରୋକିବା ପାଇଁ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଏପରିକି ସାରାଦେଶକୁ ୨୧ଦିନିଆ ଲକ୍ଡାଉନ୍ ଘୋଷଣା କରିଛନ୍ତି । ଦେଶରେ ଲକ୍ଡାଉନ୍ ଜାରି ରହିଛି । ଏହା ଆସନ୍ତା ୧୪ତାରିଖରେ ସରିବ ।
ଆସନ୍ତା ୧୪ରେ ଲକ୍ଡାଉନ୍ ଅବଧି ସରିବାକୁ ଯାଉଛି । ତେବେ ଦେଶରେ ପରବର୍ତ୍ତି କାର୍ଯ୍ୟପନ୍ଥା ନେଇ ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ଏବଂ ଏହି ଆଲୋଚନାରେ ପ୍ରାୟ ସମସ୍ତ ରାଜ୍ୟ ଲକ୍ଡାଉନ୍ ଅବଧି ବଢାଇବା ପାଇଁ ପରାମର୍ଶ ଦେଇଥିଲେ । ତେବେ ଦେଶରେ ଲକ୍ଡାଉନ୍ ଅବଧି ବୃଦ୍ଧି କରାଯିବ କି ନାହିଁ ସେନେଇ କେନ୍ଦ୍ର ସରକାର ମନ୍ଥନ ଜାରି ରଖିଛନ୍ତି । ଲକ୍ଡାଉନ୍ ବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ଘୋଷଣା କରାଯାଇନାହିଁ ।
ତେବେ ସୂଚନାନୁସାରେ ପୁଣି ଥରେ ଦେଶବାସୀଙ୍କୁ ସମ୍ବୋଧନ କରିପାରନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହି ସମ୍ବୋଧନ ସମୟରେ ଲକ୍ଡାଉନ୍ ଅବଧି ବୃଦ୍ଧି କରିବା ନେଇ ଘୋଷଣା କରାଯାଇପାରେ । ତେବେ କେନ୍ଦ୍ର ସରକାରଙ୍କ ଲକ୍ଡାଉନ୍ ଅବଧି ବୃଦ୍ଧି କରିବା ପୂର୍ବରୁ କେତେକ ରାଜ୍ୟ ନିଜ ନିଜ ପ୍ରଦେଶରେ ଲକ୍ଡାଉନ୍ ଅବଧି ବୃଦ୍ଧି କରାସାରିଛନ୍ତି । ଯେପରି ଓଡିଶା ସରକାର ଅପ୍ରେଲ ୩୦ପର୍ଯ୍ୟନ୍ତ ଲକ୍ଡାଉନ୍ ଅବଧି ବୃଦ୍ଧି କରିବା ନେଇ କିଛି ଦିନ ତଳେ ଘୋଷଣା କରିସାରିଛନ୍ତି । ଏହାପରେ ପଞ୍ଜାବ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଓ ତେଲେଙ୍ଗାନା ସରକାର ଲକ୍ଡାଉନ୍ ଅବଧି ବୃଦ୍ଧି କରିବା ପାଇଁ ଘୋଷଣା କରିସାରିଛନ୍ତି । ସେହିପରି ଉତ୍ତରାଖଣ୍ଡ ସରକାର ମଧ୍ୟ ଲକ୍ଡାଉନ୍ ଅବଧିକୁ ବୃଦ୍ଧି କରିବା ପାଇଁ ଘୋଷଣା କରିସାରିଛନ୍ତି ।