ନଭେମ୍ବର ୧ ତାରିଖଠାରୁ ବଦଳିଲା ଦେଶର ୬ଟି ନିୟମ ପଢ଼ନ୍ତୁ ଏହି ଗୁରୁତ୍ବପୂର୍ଣ୍ଣ ଖବର
1/11/2019 at 5:19 PM

ନୂଆଦିଲ୍ଲୀ୧/୧୦: ୨୦୧୯ ମସିହା ନଭେମ୍ବର ୧ ତାରିଖଠାରୁ ୬ଟି ନିୟମରେ ପରିବର୍ତ୍ତନ କରାଯାଇଛି। ଯାହାର ପ୍ରଭାବ ସିଧାସଳଖ ବ୍ୟାଙ୍କ ଗ୍ରାହକ ଓ ବ୍ୟବସାୟଙ୍କ ଉପରେ ପଡ଼ିବ। ବଦଳିଥିବା ନିୟମ ସଂପର୍କରେ ନଜାଣିଲେ ହୁଏତ ଆପଣ ଆର୍ଥିକ କ୍ଷତି ସହିବାକୁ ପଡ଼ିବ। ଏହି ୬ଟି ଗୁରୁତ୍ବପୂର୍ଣ୍ଣ ଖବର ସଂପର୍କରେ ଆସନ୍ତୁ ଜାଣିବା।

୨୦୧୯ ମସିହା ନଭେମ୍ବର ୧ ତାରିଖଠାରୁ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ(ଏସବିଆଇ)ର ଗ୍ରାହକଙ୍କ ଡିପୋଜିଟ୍ ଟଙ୍କା ଉପରେ ସୁଧ ଦର ପରିବର୍ତ୍ତନ କରାଯାଇଛି। ଏସବିଆଇ ସହ ଯୋଡ଼ି ରହିଥିବା ୪୨ କୋଟି ଗ୍ରାହକଙ୍କ ପାଇଁ ଏହି ନିୟମ ଲାଗୁ ହୋଇଛି।
ଏ ସଂପର୍କରେ ଏସବିଆଇ ଗତ ଅକ୍ଟୋବର ୯ ତାରିଖରେ ସୂଚନା ଦେଇଥିଲା। ଏସବିଆଇ ବ୍ୟାଙ୍କର ସୂଚନା ଅନୁସାରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା ଧନ ଉପରେ ମିଳୁଥିବା ସୁଧ ଦର ୦.୨୪ ପ୍ରତିଶତକୁ ହଟାଇ ୩.୨୫ ପ୍ରତିଶତ ବୃଦ୍ଧି କରି ଦିଆଯାଇଛି। ଏସବିଆଇ ଗ୍ରାହକଙ୍କ ସେଭିଙ୍ଗ୍ସ ଆକାଉଣ୍ଟରେ ୧ ଲକ୍ଷରୁ ଅଧିକ ଟଙ୍କା ଥିଲେ ସେମାନଙ୍କୁ ରେପୋ ରେଟ୍ ଅନୁସାରେ ସୁଧ ମିଳିବ। ବର୍ତ୍ତମାନ ଏହା ୩ ପ୍ରତିଶତ ରହିଛି।
୨୦୧୯ ମସିହା ନଭେମ୍ବର ୧ ତାରିଖଠାରୁ ରୋଷେଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ହୋଇଛି। ଲଗାତାର ଭାବେ ତୃତୀୟ ମାସରେ ମଧ୍ୟ ରୋଷେଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ହୋଇଛି। ଯେଉଁଥି ପାଇଁ ସାଧାରଣ ଲୋକମାନେ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ବିନା ସବ୍ସିଡିରେ ମିଳୁଥିବା ଗ୍ୟାସ ସିଲିଣ୍ଡର ମୂଲ୍ୟ ପାଖାଖାପଖି ୭୬.୫ ଟଙ୍କା ବୃଦ୍ଧି ହୋଇଛି।

ଦିଲ୍ଲୀରେ ବିନା ସବ୍ସିଡିର ୧୪.୨ ଲିଟର ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ୬୮୧.୫୦ ଟଙ୍କା ରହିଛି। ସେହିପରି କୋଲକାତାରେ ବିନା ସବ୍ସିଡି ସିଲିଣ୍ଡରର ମୂଲ୍ୟ ୭୦୬ ଟଙ୍କା ରହିଛି। ମୁମ୍ବାଇରେ ବିନା ସବ୍ସିଡିର ଗ୍ୟାସ ସିଲିଣ୍ଡର ମୂଲ୍ୟ ୭୯୬ ଟଙ୍କା ରହିଛି।
ସେହିପରି ଦିଲ୍ଲୀରେ ୧୯ ଲିଟରର ବିନା ସବ୍ସିଡ଼ି ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ୧୨୦୫ ଟଙ୍କା ରହିଛି। କୋଲକାତା ୧୯ ଲିଟର ବିନା ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ୧୨୫୮ ଟଙ୍କା ରହିଛି। ମୁମ୍ବାଇରେ ବିନା ୧୯ ଲିଟର ସବସିଡି ଗ୍ୟାସ ସିଲିଣ୍ଡର ମୂଲ୍ୟ ୧୧୫୧.୫୦ ଟଙ୍କା ରହିଛି।
୨୦୧୯ ମସିହା ନଭେମ୍ବର ୧ ତାରିଖଠାରୁ ଅଧିକ ଟଙ୍କା ରିହାତିରେ ଅଫର୍ରେ ମିଳୁଥିବା ଚାରି ଚକିଆ ଯାନ ଆଉ ମିଳିବ ନାହିଁ। କାର୍ ବିକ୍ରି ପାଇଁ ସୋରୁମଗୁଡିକ ଗାଡ଼ି ଉପରେ ବିଭିନ୍ନ ପ୍ରକାର ଅଫର ଓ ରିହାତି ପ୍ରଦାନ କରିଥିଲେ। ଏହି ରିହାତି ଅଫର୍ ଦୀର୍ଘଦିନ ପର୍ଯ୍ୟନ୍ତ ଚାଲିଥିଲା। କିନ୍ତୁ ଏହି ଅଫର ଶେଷ ହୋଇଛି।

ମାରୁତିର ମାର୍କେଟିଂ ଆଣ୍ଡ୍ ସେଲ୍ସର ନିର୍ଦେଶକ ଶଶାଙ୍କ ଶ୍ରୀବାସ୍ତଭଙ୍କ କହିବା ଅନୁସାରେ ରିହାତି ଅଫର ମାଧ୍ୟମରେ ଗ୍ରାହକଙ୍କୁ ଆକର୍ଷିତ କରାଯାଉଥିଲା। ଏହି ରିହାତି ଅଫର୍ ସବୁବେଳେ ରହିବ ନାହିଁ ବୋଲି ଶଶାଙ୍କ କହିଛନ୍ତି।
୨୦୧୯ ମସିହା ନଭେମ୍ବର ୧ ତାରିଖଠାରୁ ବ୍ୟବସାୟୀଙ୍କୁ ଡିଜିଟାଲ ପେପେଣ୍ଟ୍ ସିଷ୍ଟମ ବ୍ୟବହାର କରିବାକୁ ହେବ। ଡିଜିଟାଲ ପେମେଣ୍ଟରେ କୌଣସି ଗ୍ରାହକଙ୍କ ପାଖରୁ ଅତିରିକ୍ତ ଶୁଳ୍କ ବା ମର୍ଚେଣ୍ଟ୍ ଡିସ୍କାଉଣ୍ଟ ରେଟ୍(MDR) ଆଦାୟ କରାଯିବ ନାହିଁ।

୨୦୧୯ ମସିହା ନଭେମ୍ବର ୧ ତାରିଖଠାରୁ ମହାରାଷ୍ଟ୍ରର ସବୁ ସରକାରୀ ବ୍ୟାଙ୍କର ଖୋଲିବା ସମୟ ପରିବର୍ତ୍ତନ କରାଯାଇଛି। ସବୁ ସରକାରୀ ବ୍ୟାଙ୍କର ଖୋଲିବା ଓ ବନ୍ଦ କରିବା ଲାଗି ଗୋଟିଏ ସମୟ ନିର୍ଦ୍ଧାରଣ କରାଯାଇଛି। ନୂଆ ନିୟମ ଅନୁସାରେ ସକାଳ ୯ଟାରୁ ଦିନ ୪ ପର୍ଯ୍ୟନ୍ତ ବ୍ୟାଙ୍କରେ କାମ କରାଯିବ।

ସିଏନଜି ଓ ପିଏନଜି ତେଲ କମ୍ପାନୀ ଗ୍ୟାସ ଦର ପରିବର୍ତ୍ତନ କରି ପାରେ। ଗ୍ୟାସ ଦର ବୃଦ୍ଧି ହେଲେ ସାଧାରଣ ଲୋକ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ କରିବେ। ଏମିତି ଦିନକୁ ଦିନ ଗ୍ୟାସ ଦର ବଢ଼ିବାରେ ଲାଗିଛି।
