ଆଖି ପିଛୁଳାକେ ପୁରା ପରିବାର ସଫା : ପାଣିଟାଙ୍କି ସଫା ବେଳେ ଲାଗିଲା ବିଦ୍ୟୁତ ଆଘାତ, ଜଣଙ୍କୁ ବଞ୍ଚାଇବାକୁ ଯାଇ ଚାଲିଗଲା ୬ଜଣଙ୍କ ଜୀବନ

Published By : Prameya-News7 Bureau | July 11, 2021 IST

ଛତରପୁର ୧୧।୭: ମଧ୍ୟପ୍ରଦେଶ ଛତରପୁର ଜିଲ୍ଲାରେ ବିଦ୍ୟୁତ ଆଘାତ ଲାଗି ଗୋଟିଏ ପରିବାରର ୬ ଜଣଙ୍କର ମୃତ୍ୟୁ ହୋଇଛି । ରବିବାର ସକାଳେ ଏଭଳି ଅଭାବନୀୟ ଘଟଣା ଘଟିଥିବା କୁହାଯାଉଛି । ଘରେ ନିର୍ମିତ ପାଣି ଟାଙ୍କି ସଫା କରୁଥିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଛି । ଟାଙ୍କି ସଫା କରୁଥିବା ବେଳେ ସମସ୍ତେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ ଯାହା ଫଳରେ ୬ ଜଣଙ୍କର ଜୀବନ ଯାଇଛି । ଜଣେ ବ୍ୟକ୍ତି ଆହତ ହୋଇଥିବା ବେଳେ ତାଙ୍କ ଚିକିତ୍ସା ଜାରି ରହିଛି ।

ସୂଚନାଯୋଗ୍ୟ ଯେ, ମଧ୍ୟପ୍ରଦେଶ ଛତରପୁର ଜିଲ୍ଲା ବିଜାଓ୍ବର ଥାନା ଅନ୍ତର୍ଗତ ମହୁଆ ଝାଲା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଘଟଣା ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଟାଙ୍କି ଖୋଲିବାକୁ ପରିବାରର ଜଣେ ସଦସ୍ୟ ଟାଙ୍କି ଭିତରେ ପ୍ରବେଶ କରିଥିଲେ । ତାଙ୍କୁ ପ୍ରଥମେ ବିଦ୍ୟୁତ ଆଘାତ ଲାଗିଥିଲା । ତାଙ୍କୁ ଉଦ୍ଧାର କରିବା ପାଇଁ ଟାଙ୍କି ମଧ୍ୟରେ ପରିବାରର ଅନ୍ୟଜଣେ ସଦସ୍ୟ ପ୍ରବେଶ କରିଥିଲେ । ତାଙ୍କୁ ମଧ୍ୟ ବିଦ୍ୟୁତ ଆଘାତ ଲାଗିଥିଲା । ଏହିଭଳି ଜଣେ ପରେ ଜଣେ ସଦସ୍ୟ ପାଣି ଟାଙ୍କରି ଭିତରକୁ ପ୍ରବେଶ କରି ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ । ଫଳରେ ଗୋଟିର ପରିବାରର ୬ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି ।

ପୋଲିସର କହିବା ଅନୁସାରେ ଟାଙ୍କିରୁ ପାଣି ବାହାର କରିବା ପାଇଁ ଲାଇଟ୍ ର ବ୍ୟବସ୍ଥା କରାଯାଇଥିଲା । ଏଥିଯୋଗୁଁ ପାଣିରେ ବିଦ୍ୟୁତ କରେଣ୍ଟ ରହିଥିଲା । ମୃତକମାନେ ହେଲେ ଲକ୍ଷ୍ମଣ ଅହିରଓ୍ବାର, ଶଙ୍କର ଅହିରଓ୍ବାର, ମିଲନ ଅହିରଓ୍ବାର, ନରେନ୍ଦ୍ର, ରାମପ୍ରସାଦ ଏବଂ ବିଜୟ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ।  ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ୬ ଜଣଙ୍କୁ ମୃତ ଘୋଷଣା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.