ପାଟ୍ରୋଲିଂ ସମୟରେ ବୋମା ବିସ୍ଫୋରଣ, ୬ ପାକିସ୍ତାନୀ ସୁରକ୍ଷାକର୍ମୀ ମୃତ୍ୟୁ, ଜଣେ ଆହତ

Published By : Prameya-News7 Bureau | May 09, 2020 IST

ନୂଆଦିଲ୍ଲୀ ୦୯।୦୫: ବଲୁଚିସ୍ତାନ ପ୍ରାନ୍ତରେ ବୋମା ଆକ୍ରମଣରେ ପାକିସ୍ତାନର ଛଅ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଛି। ଏହି ଆକ୍ରମଣରେ ସେନାର ଜଣେ ମେଜରଙ୍କ ମଧ୍ୟ ମୃତ୍ୟୁ ଘଟିଛି। ପାଟ୍ରୋଲିଂ କରୁଥିବା ସୁରକ୍ଷାକର୍ମୀଙ୍କ ଗାଡି ରାସ୍ତା କଡରେ ହୋଇଥିବା ବୋମା ବିସ୍ଫୋରଣର ଶିକାର ହୋଇଛନ୍ତି। ଏହି ଦୁର୍ଘଟଣା ଇରାନ ସଂଲଗ୍ନ ସୀମା ନିକଟ ଦକ୍ଷିଣ-ପଶ୍ଚିମ ପାକିସ୍ତାନରେ ଘଟିଛି।

ପାକିସ୍ତାନ ସେନା ଶୁକ୍ରବାର ନିଜର ପ୍ରେସ୍ ବିଜ୍ଞପ୍ତିରେ  କହିଛି ଯେ, ଅର୍ଦ୍ଧସୈନିକ ଫ୍ରଣ୍ଟିୟର କୋରର ଏକ ଗାଡିକୁ ଇରାନ ସୀମାରୁ ପ୍ରାୟ ୧୪ କିଲୋମିଟର ଦୂର କେଚ୍‌ ଜିଲ୍ଲାର ବୁଲଦା ଅଞ୍ଚଳରେ ଆଇଇଡି ଜରିଆରେ ଟାର୍ଗେଟ୍ କରାଯାଇଥିଲା। ଏହି ହମଲାରେ ଜଣେ ମେଜରଙ୍କ ସମେତ ପାଞ୍ଚ ସୈନିକଙ୍କ ପ୍ରାଣହାନୀ ଘଟିଛି। ଜଣେ ଯବାନ ଆହତ ହୋଇଛନ୍ତି। ଏହି ଆକ୍ରମଣ ପାଇଁ ଏବେ ସୁଦ୍ଧା କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରି ନାହାନ୍ତି। କିନ୍ତୁ ବଲୁଚ ଆତଙ୍କବାଦୀ ସର୍ବଦା ଏହି ପ୍ରାନ୍ତରେ ସୁରକ୍ଷାବଳକୁ ଟାର୍ଗେଟ୍ କରିଥାନ୍ତି।

ସୁରକ୍ଷା ସୂତ୍ରରୁ ପ୍ରକାଶ ଯେ, ଯେଉଁ ଜାଗାରେ ବିସ୍ଫୋରଣ ଘଟିଲା, ସେହି ଅଞ୍ଚଳ ଉପରେ ତସ୍କର ଓ ବିଦ୍ରୋହୀଙ୍କ ପକ୍ଷରୁ ହେଉଥିବା ଆନ୍ଦୋଳନ କାରଣରୁ ୨୪ ଘଣ୍ଟା ନଜର ରଖାଯାଇଥିଲା। ଆକ୍ରମଣରେ ସାମିଲ ଲୋକଙ୍କ ସନ୍ଧାନ ଲାଗି ସୁରକ୍ଷାବଳ ପକ୍ଷରୁ ତଲାସି ଅଭିଯାନ ଆରମ୍ଭ ହୋଇଛି। କରୋନା ଭାଇରସ୍‌ ମହାମାରୀ ସମୟରେ ବଲୁଚିସ୍ତାନରେ ପାକିସ୍ତାନ ସୁରକ୍ଷାକର୍ମୀଙ୍କ ଉପରେ ଏହା ହେଉଛି ବଡ ହମଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.