ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର

Published By : Prameya-News7 Bureau | January 17, 2021 IST

ଜୟପୁର ୧୭।୦୧: ବସ୍‌ ଯାତ୍ରା ପାଟିଗଲା ଜୀବନର ଶେଷ ଯାତ୍ରା । ନିଆଁରେ ପୋଡ଼ି ହୋଇ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି । ସେହିପରି ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

ଖବର ଅନୁଯାୟୀ, ରାଜସ୍ଥାନ ଜୋଲୋର ଜିଲ୍ଲା ମହେଶପୁର ନିକଟରେ ଏପରି ଦୁଃଖଦ ସାମ୍ନାକୁ ଆସିଛି । ଏକ ଯାତ୍ରୀବାହୀ ବସ୍‌ କିଛି ଯାତ୍ରୀଙ୍କୁ ନେଇ ମଣ୍ଡୋଲିରୁ ବାହିରିଥିଲା । କିନ୍ତୁ ରାତି ହୋଇଥିବା ବସ୍‌ଟି ରାସ୍ତା ଭୁଲି ଯାଇଥିଲା । ଯାହାଫଳରେ କି ବସ୍‌ଟି ଯେଉଁ ରାସ୍ତାରେ ଯିବା କଥା, ସେହି ରାସ୍ତାରେ ଯାଇନଥିଲା । ଅନ୍ୟ ଏକ ରାସ୍ତାରେ ଯାଉଥିବା ବେଳେ ବିଦ୍ୟୁତ ତାର ସଂଶ୍ପର୍ଶରେ ଆସିଥିଲା , ଏବଂ  ବସ୍‌ରେ ନିଆଁ ଲାଗିଯାଇଥିଲା । ଦେଖୁ ଦେଖୁ ନିଆଁ ବହୁ ବେଗରେ ବ୍ୟାପିବାରେ ଲାଗିଥିଲା । ବସ୍‌ରେ ନିଆଁ ଲାଗିବାର ଦେଖି ତୁରନ୍ତ ଅଗ୍ନିଶମ  ବାହିନୀକୁ ଖବର ଦିଆଯାଇଥିଲା ।

ନିଆଁ ବ୍ୟାପିଯିବାରୁ ବସ୍‌ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୭ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି ।  ମୃତକଙ୍କ ମଧ୍ୟରେ ଜଣେ ବସ୍‌ ଡ୍ରାଇଭର୍‌, ଜଣେ ବସ୍‌ କଣ୍ଡକ୍ଟର ଥିବା ବେଳେ ଅନ୍ୟ ୪ଜଣ ଯାତ୍ରୀ ଥିବା ସୂଚନା ରହିଛି । ଘଟଣାସ୍ଥଳରେ ଡ୍ରାଇଭର ଓ କଣ୍ଡକ୍ଟରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ଜଣଙ୍କ ମେଡିକାଲରେ ମୃତ୍ୟୁ ହୋଇଛି।

ସମସ୍ତ ଗୁରୁତରଙ୍କୁ ସେଠାରୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି । କିନ୍ତୁ ମେଡିକାଲରେ ଭର୍ତ୍ତି ହୋଇଥିବା ଯାତ୍ରୀଙ୍କ ମଧ୍ୟରୁ କିଛି ବ୍ୟକ୍ତିଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ଅନ୍ୟ ମେଡିକାଲରୁ ସ୍ଥାନାନ୍ତରିତ କରାଯାଇଛି ।  ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.