ଅନ୍ଲାଇନ୍ରେ ପଢୁଛନ୍ତି ୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ
14/06/2020 at 2:10 PM

ଭୁବନେଶ୍ୱର ୧୪।୦୬: ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ ଆରମ୍ଭ ହୋଇଛି ‘ବିକଳ୍ପ ଶିକ୍ଷା ଓ ମେଣ୍ଟରସିପ୍’ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ଦ୍ୱାରା ୧୭୩୧ ଆବାସିକ ବିଦ୍ୟାଳୟରେ ରହି ଦ୍ୱିତୀୟରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ୁଥିବା ପ୍ରାୟ ୬ ଲକ୍ଷ ଏସ୍ସି ଓ ଏସ୍ଟି ଛାତ୍ରଛାତ୍ରୀଙ୍କୁ ଅନ୍ଲାଇନ୍ରେ ଶିକ୍ଷାଦାନ କରାଯାଉଛି ।
ଇଣ୍ଟରନେଟ୍ ସୁବିଧା ଥିବା ଛାତ୍ରଛାତ୍ରୀଙ୍କ ପାଇଁ ବିଭାଗ ପକ୍ଷରୁ ହ୍ୱାଟ୍ସଆପ୍ ଗ୍ରୁପ୍ କରାଯାଇଛି । ସୀମିତ ସମୟରେ ଦ୍ୱିତୀୟରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟକ୍ରମ ଅନୁସାରେ ଇ-ବିଷୟବସ୍ତୁ ପିଲାମାନେ ପଢୁଛନ୍ତି । ବିଭାଗ ଦ୍ୱାରା ଗଠିତ ରାଜ୍ୟ ରିସୋର୍ସ ଗ୍ରୁପ୍ ଦ୍ୱାରା ପ୍ରସ୍ତୁତ ଇ-ବିଷୟବସ୍ତୁ ସମସ୍ତ ବିଦ୍ୟାଳୟ ଓ ଛାତ୍ରଛାତ୍ରୀଙ୍କୁ ପଠାଯାଉଛି ।
ଏହାସହ ଅଡିଓଭିଜୁଆଲ୍ ଲର୍ଣ୍ଣିଂ ରିସୋର୍ସ ପାଠ୍ୟକ୍ରମ ମଧ୍ୟ ପ୍ରସ୍ତୁତ କରାଯାଇ ବିଭାଗୀୟ ୟୁ-ଟ୍ୟୁବ୍ ଚ୍ୟାନେଲ୍ ‘ଇ-ସୁବିଦ୍ୟା’ରେ ଅପ୍ଲୋଡ୍ କରାଯାଇଛି । ଯେଉଁ ଛାତ୍ରଛାତ୍ରୀଙ୍କ ନିକଟରେ ଇଣ୍ଟରନେଟ୍ ସୁବିଧା ନାହିଁ ସେଠାରେ ମେଣ୍ଟର ଶିକ୍ଷକ ପିଲାଙ୍କ ଗାଁକୁ ଯାଇ ଶିକ୍ଷାଦାନ କରୁଛନ୍ତି । ମେଣ୍ଟରମାନଙ୍କୁ ପ୍ରତି ସପ୍ତାହରେ ବିଭାଗ ପକ୍ଷରୁ ଅନ୍ଲାଇନ୍ରେ ତାଲିମ ଦିଆଯାଉଛି । ୨୧ ହଜାର ୨୩୯ ଆଦିବାସୀ ଗ୍ରାମ ପାଇଁ ସମୁଦାୟ ୪୪୬୭ ମେଣ୍ଟର ଶିକ୍ଷକ ଅଛନ୍ତି ।