ନୟାଗଡ ଭାଲିଆଡିହି ଗାଁରେ ଗୋଷ୍ଠୀ ସଂଘର୍ଷ ; ଉଭୟ ଗୋଷ୍ଠୀର ୬ ଜଣ ଆହତ

Published By : Prameya-News7 Bureau | November 13, 2018 IST

ନୟାଗଡ ୧୩|୧୧:  ନୟାଗଡ ଶରଣକୂଳ ଥାନା ଭାଲିଆଡିହି ଗାଁରେ ଗୋଷ୍ଠୀ ସଂଘର୍ଷ । ଉଭୟ ଗୋଷ୍ଠୀର ୬ ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ରାଜନୈତିକ ଶତ୍ରୁତାରୁ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିବା ଜଣାପଡିଛି । ଗତ ୧୦ରେ ଗାଁରେ ବିଜେଡି ପଦଯାତ୍ରା ଚାଲିଥିବାବେଳେ ଗାଁର ବିଜେପି ସମର୍ଥିତ ପ୍ରସନ୍ନ ନାୟକ ରଣପୁର ବିଧାୟକ ରବିନାରାୟଣ ମହାପାତ୍ରଙ୍କୁ ବିରୋଧ କରିଥିଲେ । ସୋମବାର ସଂଧ୍ୟାରେ ପ୍ରସନ୍ନ ପୁଣି ଥରେ ଗାଁର ବିଜେଡି ସମର୍ଥିତ ମହିଳା ୱାର୍ଡମେମ୍ବର ସରୋଜିନୀ ନାୟକଙ୍କ ଘର ସମ୍ମୁଖରେ ଗାଳିଗୁଲଜ କରିଥିଲେ । ଫଳରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଓ ଠେଲାପେଲା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ପ୍ରସନ୍ନ ମାରଣାସ୍ତ୍ର ଧରି ସରୋଜିନୀଙ୍କୁ ଆକ୍ରମଣ କରିଥିଲେ । ସଂଘର୍ଷରେ ସରୋଜିନୀଙ୍କ ଗୋଷ୍ଠୀର ୪ ଜଣ ଆହତ ହୋଇଥିବାବେଳେ ପ୍ରସନ୍ନଙ୍କ ଗୋଷ୍ଠୀର ୨ ଜଣ ଆହତ ହୋଇଥିଲେ । ସେପଟେ ସରୋଜିନୀଙ୍କ ସମର୍ଥକମାନେ ଏକଜୁ ହୋଇ ମାଡ ମାରି ହାଣିବା ସହ ବାଇକ ବାଙ୍ଗି ଦେଇଥିବା ପ୍ରସନ୍ନ ଅଭିଯୋଗ କରିଛନ୍ତି । ପଦଯାତ୍ରା ସମୟରେ ଗାଁର ସମସ୍ୟା ସଂପର୍କରେ ଜଣାଇବାରୁ ସରୋଜିନୀଙ୍କ ସମର୍ଥକମାନେ ଆକ୍ରମଣ କରିଥିବା ସେ କହିଛନ୍ତି । ଶରଣକୂଳ ପୋଲିସ ମେଡକାଲକୁ ଆସି ତଦନ୍ତ କରୁଛି । ଘଟଣାକୁ ନେଇ ଗାଁରେ ଉତ୍ତେଜନା ଲାଗି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.