ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ : ୬ ମୃତ, ୧୧ ଆହତ

Published By : Prameya-News7 Bureau | May 16, 2019 IST

ଭୁବନେଶ୍ବର ୧୬|୫: ରାଜ୍ୟର ବିଭିନ୍ନ ସ୍ଥାନରେ ବୁଧବାର କାଳବୈଶାଖୀ ବେଳେ ବଜ୍ରପାତ ଯୋଗୁଁ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୧ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ରହିଛି । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ ଦୈତାରୀ ଥାନା ଟାଙ୍ଗିରିଆପାଳ ପଞ୍ଚାୟତ କୋଟଘାଟୀ ସାହିରେ ଜଣେ ବରଙ୍କ ମୃତ୍ୟୁ ଘଟିଥିବାବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ବାଲେଶ୍ୱର ଜିଲ୍ଲାରେ ୨ ଜଣଙ୍କ ମୃତ୍ୟୁ ହୋଇଛି, ୪ ଜଣ ଆହତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଛନ୍ତି । ନବରଙ୍ଗପୁର ଜିଲ୍ଲାରେ ଜଣଙ୍କର ମୃତ୍ୟୁ ହୋଇଛି ।

କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ଅନ୍ତର୍ଗତ କୋଟଘାଟୀ ସାହିଠାରେ କାଳବୈଶାଖୀ ପ୍ରଭାବରେ ବଜ୍ରପା ଯୋଗୁଁ ନବବିବାହିତ ଯୁବକ ଜିତେନ୍ଦ୍ର ମୁର୍ମୁ, ମାମୁଁ ଫଗୁରାମ ହାଁସଦାଃ, ମାଇଁ ସୁଲୋଚନା ମାର୍ଣ୍ଡି , ବାଇଧର ମୁର୍ମ୍ମୁ ଏବଂ ଅନ୍ୟ ଦୁଇ ଜଣ ସମ୍ପର୍କୀୟ ଭାଇ ମସ ମୁର୍ମ୍ମୁ, ମୁନା ମୁର୍ମ୍ମୁ ଅଚେତ ହୋଇ ତଳେ ପଡିଯାଇଥିଲେ । ଗ୍ରାମବାସୀଙ୍କ ସହାୟତାରେ ସମସ୍ତ ଗୁରୁତରଙ୍କୁ ପ୍ରଥମେ କେଶଦୁରାପାଳ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ମାତ୍ର ଜିତେନ୍ଦ୍ରଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଆନନ୍ଦପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ଗୁରୁତରଙ୍କୁ କେଶଦୁରାପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଆନନ୍ଦପୁରକୁ ସ୍ଥାନାନ୍ତର କରାଯାଇଛି । ସେହିପରି ଘସିପୁରା ଥାନ ବାଟସାହିରେ ଜଣେ ଯୁବକ ବଜ୍ରାଘାତରେ ସଞ୍ଜୟ ସୋରେନ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ।

ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ରଣସପୁରଡିହର ବାବୁରାମ ସିଂ ଓ ଚକସାର୍ଥା ଗ୍ରାମର ବାସୁଦେବ ଜେନାଙ୍କର ବଜ୍ରାଘାତରେ ମୃତ୍ୟୁ ହୋଇଛି । ଆହତମାନଙ୍କ ମଧ୍ୟରୁ ଜଣଙ୍କର ପରିଚୟ ମିଳିଥିବା ବେଳେ ଅନ୍ୟ ତିନିଜଣଙ୍କ ପରିଚୟ ମିଳିପାରିନି । ରଣସପୁରଡିହରେ ଥିବା ଏକ ଚିଙ୍ଗୁଡ଼ି ଘେରିରେ ମୃତ ବାବୁରାମ, ବାସୁଦେବଙ୍କ ସମେତ ଅନ୍ୟ ୩ ଜଣ ସେଠାରେ ଲାଗିଥିବା ସେମିନ୍‌ ସଜାଡ଼ୁଥିଲେ । ଏହି ସମୟରେ ବଜ୍ରପାତ ହୋଇଥିଲା । ଏଥିରେ ୫ଜଣ ଯାକ ଆହତ ହୋଇଥିଲେ । ବାବୁରାମ, ବାସୁଦେବ ସଂଜ୍ଞାହୀନ ହୋଇ ଯାଇଥିଲେ । ସ୍ଥାନୀୟ ଲୋକେ ଉଭୟଙ୍କୁ ତୁରନ୍ତ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ । ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ୩ ଆହତ ବିପଦମୁକ୍ତ ଥିବା ଜଣାପଡ଼ିଛି । ସେହିପରି ଜଳେଶ୍ୱର ବ୍ଲକର ଦିବାକର ଜେନା ବଜ୍ରାଘାତରେ ଗୁରୁତର ଆହତ ହୋଇଛନ୍ତି ।

ଗଞ୍ଜାମ ଜିଲ୍ଲାର କୁକୁଡ଼ାଖଣ୍ଡି ଓ ଆସିକାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସାନଖେମୁଣ୍ଡିରେ ଜଣେ ଗୁରୁତର ହୋଇଛନ୍ତି । ବ୍ରହ୍ମପୁର ସଦର ଥାନା ତଥା କୁକୁଡ଼ାଖଣ୍ଡି ବ୍ଲକ୍‌ ଅନ୍ତର୍ଗତ ରାଇଝୋଳ ଗ୍ରାମର ଚାଷୀ ଉପେନ୍ଦ୍ର ଗୌଡ଼ଙ୍କ ପୁଅ ନାରାୟଣ ଗୌଡ଼ ବିଲରୁ ଘରକୁ କେନାଲ୍‌ ହୁଡ଼ା ଦେଇ ଫେରୁଥିବା ବେଳେ ବଜ୍ରାଘାତ ଘଟି ଘଟଣାସ୍ଥଳରେ ତାର ମୃତ୍ୟୁ ହୋଇଥିଲା । ଆସିକା ଥାନା ଅନ୍ତର୍ଗତ ଚେରମାରିଆ ଗ୍ରାମର ଅରକ୍ଷିତ ଗୌଡ଼ଙ୍କ ସ୍ତ୍ରୀ ଅମୁଲି ଗୌଡ ବଜ୍ରାଘାତରେ ପ୍ରାଣ ହରାଇଛନ୍ତି । ସାନଖେମୁଣ୍ଡି ବ୍ଲକ୍‌ ଅନ୍ତର୍ଗତ ଅନ୍ତର୍ଗତ ଛଣମେରୀ ଗ୍ରାମର ଜ୍ୟୋତ୍ସ୍ନା ନାୟକ ବଜ୍ରାଘାତରେ ଗୁରୁତର ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.