ମଧ୍ୟ ପ୍ରଦେଶ ରାଜନୀତି, ୬ ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ସ୍ଵୀକାର କଲେ ବାଚସ୍ପତି

Published By : Prameya-News7 Bureau | March 14, 2020 IST

ଭୋପାଳ ୧୪।୦୩: ମଧ୍ୟ ପ୍ରଦେଶରେ ରାଜନୈତିକ ସଙ୍କଟ ମଧ୍ୟରେ ବିଦ୍ରୋହୀ ୨୨ କଂଗ୍ରେସୀ ବିଧାୟକଙ୍କ ମଧ୍ୟରୁ ବାଚସ୍ପତି ଛଅ ଜଣ ବିଧାୟକ ଇସ୍ତଫା ମଞ୍ଜୁର କରିଛନ୍ତି। ସମସ୍ତ ୨୨ ବିଧାୟକ ନିଜର ଇସ୍ତଫା ବିଧାନସଭା ବାଚସ୍ପତି ନର୍ମଦା ପ୍ରସାଦ ପ୍ରଜାପତିଙ୍କ ପାଖକୁ ପଠାଇଥିଲେ।

ମାତ୍ର ବାଚସ୍ପତି କହିଛନ୍ତି ଯେ, ବିଧାୟକଙ୍କୁ ଖୋଦ୍ ବାଚସ୍ପତିଙ୍କ ସାମ୍ନାରେ ହାଜର  ହୋଇ ନିଜର ପକ୍ଷ ରଖିବାକୁ ପଡିବ। ମଧ୍ୟ ପ୍ରଦେଶର ବିଧାନସଭା ବାଚସ୍ପତି କଂଗ୍ରେସ ବିଧାୟକ ଗୋବିନ୍ଦ ରାଜପୁତ, ଇମରତୀ ଦେବୀ, ତୁଳସୀ ସିଲାଓ୍ଵଟ, ମହେନ୍ଦ୍ର ସିଂହ ସିସୋଦିଆ, ପ୍ରଭୁରାମ ଚୌଧୁରୀ ଓ ପ୍ରଦ୍ୟୁମ୍ନ ସିଂହ ତୋମାରଙ୍କ ଇସ୍ତଫା ସ୍ଵୀକାର କରିଛନ୍ତି।

ଏହା ପୂର୍ବରୁ ମଧ୍ୟ ପ୍ରଦେଶର କଂଗ୍ରେସରୁ ଇସ୍ତଫା ଦେଇଥିବା ଏହି ବିଧାୟକ ଶନିବାର ବାଚସ୍ପତିଙ୍କ ସାମ୍ନାରେ ଉପସ୍ଥିତ ହୋଇ ନାହାନ୍ତି। ବାଚସ୍ପତି ବିଦ୍ରୋହୀ ବିଧାୟକଙ୍କୁ ଅଲଗା ଅଲଗା ଦେଖା କରିବାକୁ ନୋଟିସ୍ ଜାରି କରିଥିଲେ।

ବାଚସ୍ପତି କହିଛନ୍ତି, ରଙ୍ଗ ପଞ୍ଚମୀ ଥିବା ପରେ ମଧ୍ୟ ମୁଁ ସେମାନଙ୍କ ଲାଗି ସମୟ ନିର୍ଦ୍ଧାରିତ କରିଥିଲି। ଶୁକ୍ରବାର ସାତ ଜଣ ବିଧାୟକଙ୍କ ସହିତ ମୋଟ୍ ୧୩ ଜଣ ବିଧାୟକ ଶନିବାର ମୋ ନିକଟରେ ଉପସ୍ଥିତ ହେବାର ଥିଲା। ମାତ୍ର ସେମାନେ ଆସି ନାହାନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, କିଛି ବିଧାୟକଙ୍କ ସମସ୍ୟା ରହିଛି। ଯେଉଁ କାଗଜ ମୋତେ ମିଳିଛି, ତାକୁ ନେଇ ମୁଁ ବିଧାୟକଙ୍କ ଇସ୍ତଫା ସ୍ଵୀକାର କରିବି କି ନାହିଁ ବିଚାର କରୁଛି।

ଅନ୍ୟପଟେ ମଧ୍ୟ ପ୍ରଦେଶ  ବିଦ୍ରୋହୀ ବିଧାୟକ ଶନିବାର ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କୁ ଚିଠି ଲେଖି ସୁରକ୍ଷା ଦାବି କରିଛନ୍ତି। କଂଗ୍ରେସର ୨୨ ବିଦ୍ରୋହୀ ବିଧାୟକଙ୍କ ମଧ୍ୟରୁ ୧୯ ଜଣ ବିଧାୟକ ବେଙ୍ଗାଲୁରୁରେ ଅଛନ୍ତି ଏବଂ ସୁରକ୍ଷା କାରଣରୁ ସେମାନେ ଫେରି ପାରି ନାହାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.