ଦୁଷ୍କର୍ମର ଶିକାର ନାବାଳିକାଙ୍କ ଶିଶୁପୁତ୍ରକୁ ବିକ୍ରି ଅଭିଯୋଗ, ୬ ଗିରଫ

Published By : Prameya-News7 Bureau | November 06, 2021 IST

ଦେବଗଡ଼ ୦୬/୧୧: ଦୁଷ୍କର୍ମର ଶିକାର ନାବାଳିକାର ଶିଶୁ ପୁତ୍ର ଜନ୍ମ ପରେ ବିକ୍ରି ଅଭିଯୋଗରେ ଛଅ ଜଣ ଗିରଫ ହୋଇଛନ୍ତି । ଦେବଗଡ ଜିଲ୍ଲା ବାରକୋଟ ଥାନାଞ୍ଚଳର ଜଣେ ଷୋହଳ ବର୍ଷ ବୟସ୍କା ନାବାଳିକା ଅକ୍ଟୋବର ୨୭ ତାରିଖ ଦିନ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ୨୯ ତାରିଖରେ ତାଙ୍କୁ ଡାକ୍ତରଖାନାରୁ ଛାଡି ଦିଆଯାଇଥିଲା। ନାବାଳିକା ଘରକୁ ଯିବାବେଳେ ଶିଶୁପୁତ୍ର କୁ ଅନ୍ୟ ଜଣଙ୍କୁ ଦେଇ ଏକୁଟିଆ ଘରକୁ ଫେରିଥିଲେ। 

ନାବାଳିକା ଜଣଙ୍କ ଗର୍ଭବତୀ ହେବା ନେଇ ଅଙ୍ଗନବାଡି କର୍ମୀ ପଞ୍ଜିକରଣ କରିଥିବା ବେଳେ ସେ ଗ୍ରାମକୁ ଏକୁଟିଆ ଫେରିବା ନେଇ ଦେବଗଡ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ପାଖରେ ଅଭିଯୋଗ କରିଥିଲେ । ଜିଲ୍ଲା  ଶିଶୁ ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ ବାରକୋଟ ଥାନାରେ ଲିଖିତ ଅଭିଯୋଗ ପରେ ସମସ୍ତ ଘଟଣା ପଦାକୁ ଆସିଛି । ନାବାଳିକା ୨୯ ତାରିଖରେ ଘରକୁ ଫେରିବା ସମୟରେ ସୁନ୍ଦରଗଡ ଜିଲ୍ଲା  ବଣେଇ ଥାନା ଅନ୍ତର୍ଗତ ବାହାରିଗଡ ଗ୍ରାମର ବସନ୍ତ ମୁଣ୍ଡା ଓ ତାଙ୍କ ସ୍ତ୍ରୀ ଅଞ୍ଜଳୀ ମୁଣ୍ଡା ପ୍ରଲୋଭନ ଦେଖାଇ ପାଞ୍ଚ ହଜାର ଟଙ୍କା ଦେଇ ଶିଶୁ ପୁତ୍ରକୁ ନେଇଯାଇଥିଲେ।

ପରେ ଲହୁଣୀପଡା ଥାନା ଅନ୍ତର୍ଗତ ଲଲେଇ ଗ୍ରାମର ଗୁଣନିଧି ସାହୁ ଓ ତାଙ୍କ ମାଆ ଗୋଦାବରୀ ସାହୁଙ୍କ ମଧ୍ୟସ୍ଥତାରେ ଶିଶୁ ପୁତ୍ରକୁ ଟେନସା ଅଞ୍ଚଳରେ କାମ କରୁଥିବା ମୟୁରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅନ୍ତର୍ଗତ ପଣ୍ଡ୍ରାଶୀଳା ଗ୍ରାମର ଅଟଳ ବିହାରୀ ଭୋଳ ଓ ତାଙ୍କ ସ୍ତ୍ରୀ ଲଳିତା ଭୋଳକୁ ଦେଇଥିଲେ। ବାରକୋଟ ଥାନା ପୋଲିସ ଏନେଇ ବିଭିନ୍ନ ଦଫା ଓ ପକ୍ସୋ ଆକ୍ଟରେ ମାମଲା ରୁଜୁ କରି ଛଅ ଜଣଙ୍କୁ ଗିରଫ କରିଛି। ଅଟଳ ବିହାରୀ ଭୋଳ ଓ ତାଙ୍କ ସ୍ତ୍ରୀ ଲଳିତା ଭୋଳ ପାଖରୁ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି । ଉଦ୍ଧାର ଶିଶୁପୁତ୍ରକୁ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରେ ରଖାଯାଇଛି । ଗିରଫ ଛଅ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.