ତନ୍ତ୍ର ମାଧ୍ୟମରେ ଟଙ୍କା ଡବଲ କରିଦେବାକୁ ପ୍ରଲୋଭନ ଦେଖାଇ ଲୁଟୁଥିଲେ ଲକ୍ଷ ଲକ୍ଷ ଟଙ୍କା, ଆତ୍ମଘୋଷିତ ତାନ୍ତ୍ରିକ ଓ ମହିଳା ସହଯୋଗୀ ସମେତ ୬ଗିରଫ
23/07/2019 at 5:38 PM

ନୂଆପଡା ୨୩|୭: ଆବେ ପରଶୁ ଯାଆବେ ପରଶୁ, ବାବୁ ପରଶୁରାମ, ପୈସା କ୍ୟା ନା କରେ କାମ …. ଟଙ୍କା ପାଇଁ କେହି କଣ ବି କରି ପାରେ । ଏହାର ପ୍ରମାଣ ଆଗରୁ ବହୁତ ଅଛି ହେଲେ ଟଙ୍କାକୁ ଗୁଣି ଗାରେଡି ଆଉ ମନ୍ତ୍ର ବଳରେ ଡବଲ କିହେବ ।ଏହା ଯେ କେହି ବି ଶୁଣିଲେ ଆଶ୍ଚର୍ଯ୍ୟ ହେବେ । ହେଲେ କଥା ଟା ସତ । ଟଙ୍କା ଡବଲ କରିବା ବାହାନାରେ ଲୋକଙ୍କୁ ଠକୁଥିଲେ ଆଉ ଶେଷରେ ମାମୁ ଘରକୁ ଜିବାକୁ ପଡିଲା ଜଣେ ତଥାକଥିତ ତାନ୍ତ୍ରିକ ଏବଂ ତାର ସହଯୋଗୀମାନଙ୍କୁ । ନୂଆପଡାରୁ ଏହି ରିପୋର୍ଟ-

ପୂର୍ବରୁ ନୂଆପଡା ଜିଲ୍ଲାର ସିଲଦା ଠାରେ କିଭଳି ଭାବରେ ଟଙ୍କାକୁ ଡବଲ କରିବା ବାହାନାରେ ଆତ୍ମଘୋଷିତ ତାନ୍ତ୍ରିକ ଲୋକଙ୍କୁ ଠକୁଥିଲା ସେ ଖବର ଚର୍ଚ୍ଚାକୁ ଆସିଥିଲା । ଏବେ ପୁଣି ସମାନ ଚିତ୍ର ଆଉ ଥରେ ଦେଖିବାକୁ ମିଳିଛି ସେହି ନୂଆପଡା ଜିଲ୍ଲା ଜୋଙ୍କ ଆଦର୍ଶ ଥାନା ଅନ୍ତର୍ଗତ ଖରିଆର ରୋଡ ଏସଏସି ଓ୍ବାର୍ଡ ନଂ ୩ ସ୍ଥାନୀୟ ମୁଣ୍ଡାଗାଁ ରେ ।

ଅନେକ ଦିନ ହେବ ସେହି ଗାଁ ର କୈଳାଶ ସାହୁ ନାମକ ଜଣେ ଯୁବକ ପଡୋଶି ଛତିଶଗଡ ସମେତ ଅନେକ ସ୍ଥାନରେ ନିଜର ଜାଲ ବିଛେଇବା ସହ ଦଲାଲ ମାଧ୍ୟମରେ ଲୋକଙ୍କୁ ଟଙ୍କା ଡବଲ କରିବା ବାହାନାରେ ଫସାଉଥିଲେ । ମନ୍ତ୍ର ତନ୍ତ୍ର ମାଧ୍ୟମରେ ଟଙ୍କାକୁ ଡବଲ କରୁଥିବା ନେଇ ପୂର୍ବରୁ ଅନେକ ଲୋକଙ୍କ ଟଙ୍କା ଠକେଇ କରିଥିବା କୈଳାସର ବ୍ୟବସାୟ ଆଉ ଏବେ ଚାଲି ପାରିବ ନାହିଁ । କାରଣ ଏହି ଠକେଇ ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ କୈଳାସ ସମେତ ଆଉ ପାଞ୍ଚ ଜଣ ସହଯୋଗୀ ଦଲାଲଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲଣ କରିଛି ।ଗିରଫଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ଅଛନ୍ତି ।

ଚାରିଲକ୍ଷ ଟଙ୍କା ଠକେଇରେ ପଡିଥିବା ଛତିଶଗଡ ଖରୋରା ଥାନା ପରସମାରି ଗ୍ରାମର ବିଜୟ ମନହରେଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ଚଢାଉ କରି ଏହି ଗ୍ୟାଙ୍ଗକୁ ଗିରଫ କରିଛି ।ସୂଚନାଯୋଗ୍ୟ ଯେ, କୈଳାସ ନିର୍ଦ୍ଦେଶରେ ଦଲାଲ ମାନେ ବିଭିନ୍ନ ସ୍ଥାନରେ ଟଙ୍କା ଡବଲ ହେଉଥିବା ନେଇ ଲୋକଙ୍କୁ ଲୋଭ ଦେଖାଉଥିଲେ । ଲୋକେ ଭୋଭର ବଶବର୍ତ୍ତୀ ହୋଇ ଟଙ୍କା ନେଇ ଆସିବା ପରେ ହାତ ସଫେଇ କରି ଟଙ୍କା ହଡପ କରୁଥିଲେ ଏମାନେ । ଡବଲ ଟଙ୍କା ଆଶାରେ ସର୍ବସ୍ବ ହରାଉଥିଲେ ବହୁଲୋକ ।

ତେବେ ଠକେଇର ଶିକାର ହୋଇଥିବା ବିଜୟଙ୍କ ସୂଚନା ଆଧାରରେ ଏସପି ସ୍ମିତ ପରମାରଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି ରାତିରେ ମୁଣ୍ଡା ଗାଁ ସ୍ଥିତ କୈଳାସ ଙ୍କ ଘରେ ମନ୍ତ୍ର ତନ୍ତ୍ର ଚାଲିଥିବା ବେଳେ ଜୋଙ୍କ ପୋଲିସ ଚଢାଉ କରିଥିଲା । ଘଟଣା ସ୍ଥଳରୁ ମାଷ୍ଟର ମାଇଣ୍ଡ କୈଳାସ ସମେତ ୬ ଜଣ ଆନ୍ତଃରାଜ୍ୟ ଠକଙ୍କୁ ଥାନାକୁ ଆଣିଥିଲା ।ଏହାସହ ସେମାନଙ୍କଠାରୁ ୪ ଲକ୍ଷ ୧୨ ହଜାର ଟଙ୍କା,୫ଟି ମୋବାଇଲ ଓ ୪ ଟି ବାଇକ ଜବତ କରାଯାଇଛି । ଏହି କାଣ୍ଡକାରଖାନାରେ ଜଣେ ମହିଳା ମଧ୍ୟ ସଂପୃକ୍ତ ଅଛନ୍ତି । ମାଷ୍ଟର ମାଇଣ୍ଡ ସ୍ଥାନିୟ ମୁଣ୍ଡା ଗାଁ ର ହୋଇଥିବା ବେଳେ ଅନ୍ୟ ପାଞ୍ଚଜଣ ଛତିଶଗଡ ରାଜ୍ୟର ।ସେମାନେ ହେଲେ ଧରମ ପ୍ରଧାନି,ବିନୋଦ କୁମାର ନବରଙ୍ଗେ,ମଥୁରା ପାର୍ଧି ,ମଥୁରାଙ୍କ ସ୍ବାମୀ ଚିନ୍ତାରାମ ଓ ତାଙ୍କ ଭାଇ ଓମ୍ ପ୍ରକାଶ । ଏ ସମସ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲଣ କରିଛି ।