ରାହୁଲଙ୍କୁ ପ୍ରଶଂସା କଲା ଶିବସେନା, କହିଲା- ‘ସଙ୍କଟ ସମୟରେ ନିଜର ଭୂମିକା ଠିକ୍ ଭାବେ ତୁଲାଇଛନ୍ତି’
18/04/2020 at 4:48 PM

ନୂଆଦିଲ୍ଲୀ, ୧୮|୦୪: କରୋନା ସଙ୍କଟ ମଧ୍ୟରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଶିବସେନା ପ୍ରଶଂସା କରିଛି । ରାହୁଲ ଏହି ମହାମାରୀରେ ବିରୋଧୀ ଦଳର ନେତାଙ୍କ ଭୂମିକାକୁ ଭଲ ଭାବେ ନିର୍ବାହ କରିଛନ୍ତି ବୋଲି ଶିବସେନା କହିଛି । ଏହି ସମୟରେ ରାହୁଲ ରାଜନୈତିକ ଶତ୍ରୁତାକୁ ଭୁଲି ଜନତାଙ୍କ ହିତରେ ସରକାରଙ୍କ ସହ ଏକଜୁଟ ହୋଇ ରହିଥିବା ଶିବସେନା କହିଛି ।
ଦଳର ମୁଖପତ୍ର ସାମ୍ନାରେ ଏକ ସମ୍ପାଦକୀୟ ପ୍ରକାଶ ପାଇଛି । ଏଥିରେ ରାହୁଲଙ୍କୁ ଉପରେ ଉଲ୍ଲେଖ ରହିଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାହୁଲ ଗାନ୍ଧୀ କରୋନା ମୁକାବିଲା ପାଇଁ ସାମ୍ନା ସାମ୍ନି ଆଲୋଚନା କରିବା ଆବଶ୍ୟକ । ସେ ପୂର୍ବରୁ କରୋନା ଭାଇରସର ବିପଦକୁ ମାପି ଦେଇଥିଲେ । ସରକାରଙ୍କୁ ଜରୁରୀ ପଦକ୍ଷେପ ନେବାକୁ କହିଥିଲେ । ଯେତେବେଳେ ସମସ୍ତ ନେତା ମଧ୍ୟ ପ୍ରଦେଶରେ କଂଗ୍ରେସ ସରକାରକୁ ଭାଙ୍ଗିବା ପାଇଁ ପ୍ରୟାସ କରୁଥିଲେ ସେତେବେଳେ ରାହୁଲ କରୋନା ମୁକାବିଲା ପାଇଁ ପରାମର୍ଶ ଦେଉଥିଲେ । ସେ ସରକାରଙ୍କୁ ବାରମ୍ବାର କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ଆବଶ୍ୟକୀୟ ଔଷଧୀୟ ଇପକରଣର ରପ୍ତାନୀ ରୋକିବା ପାଇଁ କହିଥିଲେ । ଯାହା ଦେଶକୁ ଅନେକ ଫାଇଦା ଦେଇଥିଲା ।

ଦଳ ଆହୁରି କହିଛି ଯେ, ଗୁରୁବାର ରାହୁଲ ପୁଣିଥରେ ଏହି ସମୟ ଲଢେଇର ନୁହେଁ ବୋଲି କହିଥିଲେ । ମୋଦୀଙ୍କ ସହ ମତଭେଦ ଥିଲେ ମଧ୍ୟ ସେ ରାଜନୈତିକ ଶତ୍ରୁତା କଥା ଚିନ୍ତା କରୁ ନାହାଁନ୍ତି ବୋଲି ପ୍ରକାଶ କରିଥିଲେ । ସଙ୍କଟ ସମୟରେ ବିରୋଧି କିପରି ହେବା ଆବଶ୍ୟକ ତାହା ସେ ପ୍ରମାଣିତ କରିଛନ୍ତି । ସେ ସମସ୍ତଙ୍କୁ ଏକାଠି ହେବାକୁ ପରାମର୍ଶ ଦେଇଥିଲେ ବୋଲି ସାମନାରେ ଉଲ୍ଲେଖ ରହିଛି ।