ବିଜେପିର ନିକଟତର ହେଉଛନ୍ତି କି ଉଦ୍ଧବ ଠାକରେ ? ଦେବେନ୍ଦ୍ର ଫଡନାବୀସଙ୍କୁ ପ୍ରଶଂସାର ପୋତିଲା ଶିବସେନା

Published By : Prameya-News7 Bureau | July 18, 2020 IST

ମୁମ୍ବାଇ, ୧୮।୦୭:  ମହାରାଷ୍ଟ୍ରରେ ଏବେ ଅଧିକାଂଶ ବିଜେପି ନେତା ଶିବସେନାର ଟାର୍ଗେଟରେ ରହିଛନ୍ତି । ଏପରିକି ପୂର୍ବତନ ମୂଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡାନାବୀସଙ୍କୁ ମଧ୍ୟ ଶିବସେନା ସମାଲୋଚନା କରି ଆସୁଛି । ଉଭୟ ଦଳ ମଧ୍ୟରେ ଆରୋପ ଓ ପ୍ରତ୍ୟାରୋପ ଲାଗି ରହିଛି । ତେବେ ଶିବସେନା ନିଜର ମୁଖପତ୍ର ସାମ୍ନାରେ ଫଡନାବୀସଙ୍କୁ ଭୂୟସୀ ପ୍ରଶଂସା କରିଛି । ଫଡନାବୀସଙ୍କ ଏକ ବୟାନକୁ ମଧ୍ୟ ସାମ୍ନାରେ ପ୍ରଶଂସା କରାଯାଇଛି ।

ରାଜ୍ୟର ପୂର୍ବତନ ମନ୍ତ୍ରୀ ଗିରୀଶ ମହାଜନଙ୍କୁ ଫଡନାବୀସ ଏକ ନିବେଦନ  କରିଥିଲେ । ତାଙ୍କୁ କରୋନା ହେଲେ ସରକାରୀ ବିଏମସି ହସ୍ପିଟାଲରେ ଭର୍ତ୍ତି କରାଯିବ ବୋଲି ଫଡନାବୀସ କହିଥିଲେ । ଏହାକୁ ଶିବସେନା ପ୍ରଶଂସା କରିଛି ।

ଶିବସେନା କହିଛି ଯେ, ଫଡନାବୀସ ହୃଦୟଛୁଆଁ ବୟାନ ଦେଇଛନ୍ତି । ସେ ନିଜର ସହଯୋଗୀ ଗିରୀଶଙ୍କୁ ସରକାରୀ ହସ୍ପିଟାଲର ଭର୍ତ୍ତି ହେବାକୁ ନିବେଦନ କରିଥିଲେ । ସେ କହିଥିଲେ ଯେ, ଯଦି ତାଙ୍କୁ କରୋନା ହୁଏ ତେବେ ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେବେ । ଏହାକୁ ନେଇ ଅନେକ ସମାଲୋଚନା କରୁଛନ୍ତି । ଯାହା ଠିକ୍ ନୁହେଁ ।

ସାମ୍ନାରେ ଫଡନାବୀସ ରାଜ୍ୟ ସରକାର, ଡାକ୍ତର ଓ ସ୍ୱାସ୍ଥ୍ୟସେବା ଉପରେ ବିଶ୍ୱାସ ରଖିଥିବାରୁ ଧନ୍ୟବାଦ ଦିଆଯାଇଛି । ଏପରିକି ବିରୋଧୀ ଦଳର ନେତା ଭାବେ ଫଡନାବୀସଙ୍କ କାମକୁ ପ୍ରଶଂସା ମଧ୍ୟ କରାଯାଇଛି ।ଫଡନାବୀସ ଏକ ଅନୁଭବି ନେତା । ମୁଖ୍ୟମନ୍ତ୍ରୀଙ୍କ କାମ ବାବଦରେ ସେ ଜାଣନ୍ତି । ଏହା ଭଲ କଥା ବୋଲି ଦଳ କହିଛି ।

ଏହି ବୟାନ ପରେ ରାଜ୍ୟରେ ରାଜନୈତିକ ଚର୍ଚ୍ଚା ଜୋର୍ ଧରିଛି । ଶିବସେନା ଓ ବିଜେପି ପୁଣିଥରେ ନିକଟତର ହେଉଥିବା କୁହାଯାଉଛି । କାରଣ ପୂର୍ବରୁ ଶିବସେନା-କଂଗ୍ରେସ-ଏନସିପି ସରକାରରେ କିଛି ତିକ୍ତତା ସୃଷ୍ଟି ହୋଇଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.