ସମ୍ବଲପୁରରେ କଂଗ୍ରେସର ସ୍ଥିତି ବେହାଲ, ପ୍ରାର୍ଥୀଙ୍କୁ ଧରାଛୁଆଁ ଦେଉନାହାନ୍ତି ସ୍ଥାନୀୟ ନେତା କି କର୍ମୀ, ତଥାପି ଶରତଙ୍କ ଦମ୍ଭ କଂଗ୍ରେସ ଜିତିବ
7/04/2019 at 4:41 PM

ସମ୍ବଲପୁର୭|୪(ନୀଳାଚଳ ମହାପାତ୍ର): ଦିନ ଥିଲା କଂଗ୍ରେସର ଗଡ ଥିଲା ସମ୍ବଲପୁର । ହେଲେ ବର୍ତ୍ତମାନର ସ୍ଥିତି ପୁରା ଅଲଗା । ଯାହା ଜଣାପଡୁଛି ଆଉ କିଛି ଦିନ ପରେ ଅଫିସ୍ ଥିବ ହେଲେ ନେତା କି କର୍ମୀ ନଥିବେ । ଚଳିତ ନିର୍ବାଚନ ପାଇଁ ନାମାଙ୍କନ ସରିଛି । ଦିନ କେଇଟା ପରେ ଭୋଟ । ହେଲେ କଂଗ୍ରେସ ଅଫିସ୍ରେ ଖାଁ ଖାଁ । ଆଉ ମାଳମାଳ ନେତା,ପଦାଧିକାରୀ ନିଜ ପଦବୀରୁ ଇସ୍ତଫା ଦେଇଚାଲିଛନ୍ତି ।ଯାହା ଏବେ ପ୍ରାର୍ଥୀଙ୍କ ପାଇଁ ମୁଣ୍ଡବଥାର କାରଣ ହୋଇଛି ।

ସମ୍ବଲପୁର କଂଗ୍ରସର ହାଲ୍ ପୁରା ବେହାଲ୍ । ପ୍ରଥମେ ଜିଲ୍ଲା କଂଗ୍ରେସ ସଭାପତି ଅଶ୍ବିନୀ ଗୁରୁଙ୍କୁ ବିଧାନସଭା ପ୍ରାର୍ଥୀ ଘୋଷଣା କରାଯାଇଥିଲା । ତେବେ ନାମାଙ୍କନପତ୍ର ଦାଖଲ ଶେଷଦିନ ପୂର୍ବ ରାତିରେ ଭୀମ୍ସାରର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଅଶ୍ବିନୀ ପୂଜାହାରୀଙ୍କୁ ମିଳିଲା ଟିକେଟ । ଆଶା କରାଯାଉଥିବା ପିସିସି ମୁଖିଆ ଅଶ୍ବିନୀ ପୂଜାରୀଙ୍କୁ ଲୋକସଭା ଟିକେଟ୍ ମିଳିବ । ହେଲେ ନେତା ଆମଦାନୀ କରି ଆଣି ଟିକେଟ୍ ଦେଲା କଂଗ୍ରେସ । ବଲାଙ୍ଗିରରୁ ଲଗାତାର ୫ଥର ହାରିଥିବା କଂଗ୍ରେସର ଶରତ ପଟ୍ଟନାୟକଙ୍କୁ ସମ୍ବଲପୁର ଲୋକସଭା ଟିକେଟ୍ ମିଳିଲା।

ଏହାକୁ ନେଇ ୧୬ଜଣ କଂଗ୍ରେସ ପଦାଧିକାରୀ ନିଜ ପଦବୀରୁ ଇସ୍ତଫା ଦେଲେ। ଜିଲ୍ଲା କଂଗ୍ରେସ ସଭାପତି ସେବେଠାରୁ ଆଉ କାର୍ଯ୍ୟାଳୟକୁ ଆସୁନାହାଁନ୍ତି। ଏମିତି ପରିସ୍ଥିତିରେ ସମ୍ବଲପୁରରେ କଂଗ୍ରେସ କେମିତି ନିର୍ବାଚନକୁ ଓହ୍ଲାଇବ ତାହା ବଡ ପ୍ରଶ୍ନ । ତେବେ ୧୬ ପଦାଧିକାରୀଙ୍କ ଇସ୍ତଫାକୁ, ଠିକ୍ ବୋଲି କହିଛନ୍ତି, ଡାକ୍ତରରୁ ରାଜନେତା ପାଲଟିଥିବା ପ୍ରଫେସର ଅଶ୍ବିନୀ ପୂଜାହାରୀ ।ଅପରପକ୍ଷରେ ଲୋକସଭା ପ୍ରାର୍ଥୀ କହିଛନ୍ତି ଯେ, କହି ଦଳ ଛାଡିନାହାନ୍ତି । ଅଭିମାନ କରି ଯେଉଁମାନେ ଦଳ ଛାଡିଥିଲେ ସେମାନଙ୍କ ଇସ୍ତଫା ଗୃହୀତ ହୋଇନାହିଁ । ସମସ୍ତେ ପୁଣି ଉତ୍ସାହର ସହ କାମରେ ଲାଗିଲେଣି । କଂଗ୍ରେସର ସବୁ ବିଭାଗ ଏକ ହୋଇ ଲଢିବ ଓ ସମିବଲପୁରରେ ବିଜେଡି ବିଜେପିକୁ ପରାସ୍ତ କରିବ ।

ଫେବୃୟାରୀରେ ସମ୍ବଲପୁର ଜିଲ୍ଲା କଂଗ୍ରେସ କମିଟି ନିକଟରେ ଟିକେଟ୍ ଆବେଦନ କରିବାକୁ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା । ରାସ୍ତା ଜାମ୍,କଂଗ୍ରେସ କାର୍ଯ୍ୟାଳୟରେ ଠିଆ ହେବାକୁ ମଧ୍ୟ ଜାଗା ନଥିଲା। ଆଜିର ଏହି ଦୃଶ୍ୟ କିନ୍ତୁ ଥିଲା ପୂରା ଭିନ୍ନ। ଏଠାରେ କେବଳ ହାତଗଣତି କିଛି କର୍ମୀ ଏପଟ ସେପଟ ହେଉଥିଲେ । ନୂଆନୂଆ ରାଜନୀତିରେ ପାଦ ଦେଇଥିବା ଅଶ୍ବିନୀ ପୂଜାହାରୀ କର୍ମୀଙ୍କୁ ଚିହ୍ନିବାକୁ କାର୍ଯ୍ୟାଳୟକୁ ଯାଇଥିଲେ । ହେଲେ କର୍ମୀ ନେତା କାହାରି ଦେଖା ନଥିଲା । ଏଥିରୁ ସ୍ପଷ୍ଟ ଅନୁମେୟ ଯେ, ପିସିସି ମୁଖିଆ ଓ ଦିଲ୍ଲୀରେ ବସିଥିବା ହାଇକମାଣ୍ଡ କେବେ ବି କର୍ମୀ, ସ୍ଥାନୀୟ ନେତା,ବର୍ଷବର୍ଷ ଧରି କଂଗ୍ରେସ ସଂଗଠନକୁ ବଞ୍ଚେଇ ରଖିଥିବା ଛାମୁଆ ନେତାମାନଙ୍କ କଥାକୁ ବିଚାରକୁ ନେଇନାହାଁନ୍ତି ।

ଭୋଟ ଗ୍ରହଣ ତାରିଖ ଯେତିକି ପାଖଉଛି କଂଗ୍ରେସରେ ଫାଟ ସେତିକି ବଢିବଢି ଚାଲିଛି। ଗୋଟିଏ ପଟେ ଉଭୟ ବିଧାନସଭା ଓ ଲୋକସଭା ପ୍ରାର୍ଥୀ ଭୋଟରଙ୍କ ପାଇଁ ନୂଆ । ପାର୍ଥୀଙ୍କ ପାଖରେ ପୁରୁଣା କର୍ମୀ ବି ନାହାଁନ୍ତି । ଏଥିରୁ କଂଗ୍ରେସର ଭବିଷ୍ୟତ ପୁରା ଜଳଜଳ ହୋଇଦେଖାଯାଉଛି ।
