ଅର୍ଥମନ୍ତ୍ରୀଙ୍କ ଘୋଷଣା- କୃଷି କ୍ଷେତ୍ର ପାଇଁ ୧ ଲକ୍ଷ କୋଟି

Published By : Prameya-News7 Bureau | May 15, 2020 IST

ନୂଆଦିଲ୍ଲୀ ୧୫।୦୫: କରୋନା ମୁକାବିଲା ସଟ୍‌ଡାଉନ୍‌ କାରଣରୁ ଦେଶର ଅର୍ଥନୀତିକୁ ଗତିଶୀଳ କରାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଘୋଷଣା କରାଯାଇଥିବା ଆତ୍ମନିର୍ଭର ଭାରତ ଯୋଜନା ଅଭିଯାନ ପ୍ୟାକେଜ୍‌ର ତୃତୀୟ ପର୍ଯ୍ୟାୟ ସଂପର୍କରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ବିସ୍ତୃତ ସୂଚନା ଦେଇଛନ୍ତି। ଆଜି କୃଷିର ଢାଞ୍ଚାଗତ ଓ ଭିତ୍ତିଭୂମି ବିକାଶ ପାଇଁ ୧ ଲକ୍ଷ କୋଟି ଟଙ୍କା ଘୋଷଣା କରାଯାଇଛି। ମତ୍ସ୍ୟ, ଦୁଗ୍ଧ ଓ ପଶୁପାଳନ ପାଇଁ ମଧ୍ୟ ଗୁରୁତ୍ଵାରୋପ କଗାଯାଇଛି। ଏଥିରେ କୃଷକଙ୍କ ଆୟ ବୃଦ୍ଧିରେ ବେଶ ସହାୟକ ହେବ।

ଆୟ ବୃଦ୍ଧି ଲାଗି ଏକ ଲକ୍ଷ କୋଟି

କୃଷକ  ଫସଲ ଉତ୍ପାଦନ ସହିତ ରପ୍ତାନୀରେ ସାହାଯ୍ୟ କରନ୍ତି। ମାତ୍ର ଶସ୍ୟ ଭଣ୍ଡାରର ଅଭାବ କାରଣରୁ ସେମାନଙ୍କୁ ସମସ୍ୟା ଭୋଗିବାକୁ ପଡେ। ତେଣୁ ଭଣ୍ଡାର ପାଇଁ ୧ ଲକ୍ଷ କୋଟି ଟଙ୍କାର ଫଣ୍ଡ ଦିଆଯିବ। ଏଥିରେ ମୂଲ୍ୟ ବୃଦ୍ଧିରେ ସହାୟକ  ହେବା ସହ କୃଷକଙ୍କ ଆୟ ବୃଦ୍ଧି ହେବ। ଏକ ଲକ୍ଷ କୋଟି ଟଙ୍କା ଏଗ୍ରିଗେଟର୍ସ, ଏଫପିଓ, ଫାର୍ମର ପ୍ରୋଡ୍ୟୁସରଙ୍କୁ ଯୋଗାଇ ଦିଆଯିବ। ଏହି ଅର୍ଥ ଗୋଦାମ, ଷ୍ଟୋରେଜ୍ ସେକ୍ଟର ତିଆରିରେ ବ୍ୟବହାର କରାଯାଇ ପାରିବ।

ଅର୍ଥ ମନ୍ତ୍ରୀ ତୃତୀୟ ପର୍ଯ୍ୟାୟ ଘୋଷଣାର ସୂଚନା ଦେଇ କହିଛନ୍ତି, ପ୍ରଧାନମନ୍ତ୍ରୀ ମତ୍ସ୍ୟ ସଂପଦା ଯୋଜନା ପାଇଁ ୨୦,୦୦୦ କୋଟି ଟଙ୍କା ଜାରି କରାଯିବ। ଏଥିରେ ଥିବା ସମସ୍ୟା ଦୂର ହେବ। ୧୧୦୦୦ କୋଟି ଟଙ୍କା ସମୁଦ୍ର ଓ ଆନ୍ତଃଦେଶୀୟ ମତ୍ସ୍ୟପାଳନ, ୯୦୦୦ କୋଟି ଟଙ୍କା କୋଲ୍ଡ ଚେନ୍‌ ପାଇଁ ଦିଆଯିବ। ଏଥିରେ ଆଗାମୀ ୫ ବର୍ଷରେ ମତ୍ସ୍ୟ ଉତ୍ପାଦନ ୭୦ ଲକ୍ଷ ଟନ୍  ହେବ ଏବଂ ୫୫ ଲକ୍ଷ ଲୋକଙ୍କୁ ପ୍ରତିଦିନ ରୋଜଗାର ମିଳିବ।

ଖାଦ୍ୟ ପ୍ରକ୍ରିୟାକରଣ ଲାଗି ୧୦  ହଜାର କୋଟି ଟଙ୍କାର ଘୋଷଣା

ସୂକ୍ଷ୍ମ, ଖାଦ୍ୟ ସଂସ୍କରଣ ୟୁନିଟ୍‌ ପାଇଁ ୧୦ ହଜାର କୋଟି ଟଙ୍କାର ଯୋଜନା ରହିଛି। ପ୍ରାୟ ୨ ଲକ୍ଷ ସୂକ୍ଷ୍ମ ୟୁନିଟ୍‌କୁ ଏହାର ଲାଭ ମିଳିବ। ଏହି ଯୋଜନା କ୍ଲଷ୍ଟର ଆଧାରିତ ହେବ। ଏଥିରେ ଭାରତୀୟ କମ୍ପାନୀଙ୍କୁ ସହାୟକ ଦିଆଯିବ।

ଅର୍ଥ ମନ୍ତ୍ରୀ କହିଛନ୍ତି, ଗତ ଦୁଇ ମାସରେ କୃଷକଙ୍କ ପାଇଁ ଏମଏସପି ଉପରେ ୭୪୩୦୦ କୋଟି ଟଙ୍କାର କ୍ରୟ ହୋଇଛି। ୧୮୭୦୦ କୋଟି ଟଙ୍କା ପ୍ରଧାନମନ୍ତ୍ରୀ କିଷାନ ଖାତାରେ ଟ୍ରାନ୍ସଫର କରାଯାଇଛି। ୬୪୦୦ କୋଟି ଫସଲ ବୀମା ଯୋଜନାରେ ଦିଆଯାଇଛି।

କୃଷି କ୍ଷେତ୍ର ପାଇଁ ୧୧ ଉପାୟ ଉପରେ ଘୋଷଣା କରାଯାଇଛି। ମନ୍ତ୍ରୀ କହିଛନ୍ତି ଭାରତ ଡାଲି, ଦୁଗ୍ଧ, ଝୋଟର ସବୁଠୁ ବଡ ଉତ୍ପାଦକ ଦେଶ। କ୍ଷୁଦ୍ର ଓ ମଧ୍ୟମ ବର୍ଗର ଚାଷୀଙ୍କ ପାଖରେ ୮୫ ପ୍ରତିଶତ ଚାଷ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.