Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରତିରକ୍ଷାଠୁ ନେଇ ଅନ୍ତରୀକ୍ଷ ପର୍ଯ୍ୟନ୍ତ, ଆର୍ଥିକ ପ୍ୟାକେଜ୍‌ରେ ଆଜିର ୮ ବଡ ଘୋଷଣା

16/05/2020 at 6:49 PM

ନୂଆଦିଲ୍ଲୀ ୧୬।୦୫: ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ୨୦ ଲକ୍ଷ କୋଟି ଟଙ୍କାର ଆତ୍ମନିର୍ଭର ଭାରତ ପ୍ୟାକେଜ୍‌ର ଚତୁର୍ଥ ପର୍ଯ୍ୟାୟର ଘୋଷଣା କରିଛନ୍ତି। ଏଥିରେ ୮ଟି କ୍ଷେତ୍ର ଉପରେ ଗୁରୁତ୍ଵାରୋପ କରାଯାଇଛି। ଅର୍ଥମନ୍ତ୍ରୀ କୋଇଲା, ଖଣିଜ ଦ୍ରବ୍ୟ, ପ୍ରତିରକ୍ଷା ଉତ୍ପାଦନ, ସାମାଜିକ ଭିତ୍ତିଭୂମି ଢାଞ୍ଚା, ବେସାମରିକ ବିମାନ, ବିଜୁଳି ବିତରଣ, ଅନ୍ତରୀକ୍ଷ ଓ ଆଣବିକ ଶକ୍ତି କ୍ଷେତ୍ରର ସୁଦୃଢୀକରଣ ପାଇଁ ଘୋଷଣା କରିଛନ୍ତି।

୧ – କୋଇଲା

କୋଇଲା କ୍ଷେତ୍ରରେ ସରକାରଙ୍କ ଏକାଧିକାର ସମାପ୍ତ କରାଯିବ। କୋଇଲା ସେକ୍ଟରରେ ବାଣିଜ୍ୟିକ ମାଇନିଙ୍ଗ ଆରମ୍ଭ କରାଯିବ। ଭାରତ ପାଖରେ ଦୁନିଆର ତୃତୀୟ ବଡ କୋଇଲା ଭଣ୍ଡାର ରହିଛି। ୫୦ ନୂତନ କୋଇଲା ଖଣି ନିଲାମ କରାଯିବ। ଆଂଶିକ ଭାବେ ବନ୍ଦ ରହିଥିବା ଖଣିକୁ ଘରୋଇ କ୍ଷେତ୍ରକୁ ଦିଆଯିବ। ସମୟ ପୂର୍ବରୁ ଖନନ ପୂରା କରୁଥିବା କମ୍ପାନୀକୁ ପ୍ରୋତ୍ସାହନ ଦିଆଯିବ। ସରକାର ବେଶ୍ ଭଲ ଭାବେ ଜାଣିଛନ୍ତି ଯେ, କୋଇଲା ପରିବେଶ ଲାଗି ଅନୁକୂଳ ନୁହେଁ। ତେଣୁ ଏହାର ବାଷ୍ପୀୟକରଣ ଉପରେ ଜୋର୍ ଦିଆଯାଇଛି। ଏଥିରେ ସ୍ଵଚ୍ଛ ଉର୍ଜା ମିଳିବ ଏବଂ ଅର୍ଥବ୍ୟବସ୍ଥାକୁ ବଳ ମିଳିବ। ଭିତ୍ତିଭୂମିର ବିକାଶ ଉପରେ ୫୦ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ। କୋଇଲା ଆଧାରିତ ମିଥେନର ନିଲାମ ହେବ। କମ୍ପାନୀକୁ ରାଜସ୍ଵର ସୂଚନା ଦେବାକୁ ପଡିବ।

୨- ଖଣିଜ

ଖଣିଜ କ୍ଷେତ୍ରରେ ଢାଞ୍ଚାଗତ ବ୍ୟବସ୍ଥାରେ ସୁଧାର ଅଣାଯିବ। ୫୦୦ ମାଇନିଙ୍ଗ ବ୍ଲକ ଉପଲବ୍ଧ କରାଯିବ। ବକ୍ସାଇଟ୍ ଓ କୋଇଲାର ଯୁଗ୍ମ ନିଲାମ କରାଯିବ। ଷ୍ଟାମ୍ପ ଡ୍ୟୁଟିକୁ ବ୍ୟବହାରିକ କରାଯିବ।

୩ – ବିଜୁଳି ବିତରଣ କ୍ଷେତ୍ର

କେନ୍ଦ୍ର ଶାସିତ ଅଞ୍ଚଳରେ ବିଜୁଳି ବିତରଣର ଘରୋଇ କରଣ କରାଯିବ। ଏଥିରେ ଉନ୍ନତ ସେବା ମିଳିବ ଓ ଶକ୍ତି ବିତରଣରେ ମୋଡେଲ୍ ରୂପେ ବିକଶିତ କରାଯିବ। ବାକି ରାଜ୍ୟ ମଧ୍ୟ ଏଥିରେ ପ୍ରେରିତ ହେବେ। ଏଥିରେ ବିଜୁଳି କ୍ଷେତ୍ରରେ ସ୍ଥିରତା ଆସିବ। ବିଜୁଳି ଉତ୍ପାଦନ କମ୍ପାନୀକୁ ଉଚିତ୍ ସମୟରେ ଅର୍ଥ ପୈଠ ହୋଇପାରିବ। ଏହା ସହିତ ସବସିଡି ଡିବିଟି ମାଧ୍ୟମରେ ଦିଆଯିବ।

୪ – ସାମାଜିକ ଭିତ୍ତିଭୂମି

ହସ୍ପିଟାଲ ଓ ସ୍କୁଲ ପରି ସାମାଜିକ ଭିତ୍ତିଭୂମି ଢାଞ୍ଚାରେ ଘରୋଇ ନିବେଶକୁ ଆକର୍ଷିତ କରିବା ପାଇଁ ଭାୟବିଲିଟି ଗ୍ୟାପ୍‌ ଫଣ୍ଡିଂରେ ପରିବର୍ତ୍ତନ କରାଯିବ। ସରକାର ଏହାକୁ ୨୦ ପ୍ରତିଶତରୁ ବଢାଇ ୩୦ ପ୍ରତିଶତ କରିଛନ୍ତି। ଏଥିରେ ଘରୋଇ ନିବେଶ ବଢିବ। ଏଥିପାଇଁ ୮୧୦୦ କୋଟି ଟଙ୍କାର ପ୍ରାବଧାନ କରାଯାଇଛି।

୫ – ପ୍ରତିରକ୍ଷା

ଦେଶରେ ପ୍ରତିରକ୍ଷା କ୍ଷେତ୍ରରେ ମେକ୍ ଇନ୍‌ ଇଣ୍ଡିଆକୁ ଗୁରୁତ୍ଵାରୋପ କରାଯିବ। ପ୍ରତିରକ୍ଷା କ୍ଷେତ୍ରର ଅସ୍ତ୍ର ଶସ୍ତ୍ରର ତାଲିକା ପ୍ରସ୍ତୁତ କରାଯିବ। ପ୍ରତିରକ୍ଷା ଉପକରଣର ସ୍ଵଦେଶୀକରଣ କରାଯିବ। ପ୍ରତିରକ୍ଷା ଉପକରଣ ଦେଶରେ ନିର୍ମାଣ ଲାଗି ପଦକ୍ଷେପ ନିଆଯିବ। ପ୍ରତିରକ୍ଷା ଉତ୍ପାଦନରେ ଏଏଫଡିଆଇ ସୀମାକୁ ୪୯ ପ୍ରତିଶତରୁ ବଢାଯାଇ ୭୪ ପ୍ରତିଶତ କରାଯାଇଛି। ସେନାକୁ ଆବଶ୍ୟକ ପଡୁଥିବା ଆଧୁନିକ ହତିଆରର ଉତ୍ପାଦନ ଭାରତରେ କରାଯିବ।

୬ – ବିମାନ ଚଳାଚଳ

ବେସାମରିକ ବିମାନ ପାଇଁ ବାୟୁ କ୍ଷେତ୍ରର ପ୍ରତିବନ୍ଧକ କମ କରାଯିବ। ଏବେ ଦେଶରେ ଏହି କ୍ଷେତ୍ର ପାଇଁ ୬୦ ପ୍ରତିଶତ ବାୟୁକ୍ଷେତ୍ର ଉପଲବ୍ଧ ରହିଛି। ନୂତନ ପଦକ୍ଷେପ ପରେ କମ ଇନ୍ଧନ ଖର୍ଚ୍ଚ ହେବ ଏବଂ ସମୟ ମଧ୍ୟ ବଞ୍ଚିବ। ଏହା ସହିତ ଯାତ୍ରୀଙ୍କୁ କମ  ଭଡା ପଡିବ। ଦେଶରେ ପିପିପି ଆଧାରରେ ୬ ନୂତନ ବିମାନ ବନ୍ଦର ବିକଶିତ କରାଯିବ। ପ୍ରଥମ ଏବଂ ଦ୍ଵିତୀୟ ପର୍ଯ୍ୟାୟରେ ୧୨ ବିମାନ ବନ୍ଦରରେ ୧୩ ହଜାର କୋଟି ଟଙ୍କାର ନିବେଶ କରାଯିବ। ଦେଶରେ ହିଁ ବିମାନର ରକ୍ଷଣାବେକ୍ଷଣ ଓ ମରାମତିକୁ ଗୁରୁତ୍ଵ ଦିଆଯିବ। ବିମାନର ରକ୍ଷଣାବେକ୍ଷଣ ଓ ମରାମତି ପାଇଁ ଭାରତକୁ ଏକ ବୈଶ୍ଵିକ କେନ୍ଦ୍ରରେ ପରିଣତ କରାଯିବ।

୭ – ଅନ୍ତରୀକ୍ଷ

ଅନ୍ତରୀକ୍ଷରେ ଘରୋଇ କ୍ଷେତ୍ରର ଭାଗିଦାରୀକୁ ପ୍ରୋତ୍ସାହନ ଦିଆଯିବ। ଘରୋଇ କମ୍ପାନୀକୁ ଇସ୍ରୋର ସୁବିଧା ସୁଯୋଗର ଉପଯୋଗ କରି ପାରିବେ। ଜିଓସ୍ପେସ୍‌ ଡାଟା ପାଇଁ ଉଦାର ନୀତି ଅଣାଯିବ ଯଦ୍ଵାରା ଆମର ଷ୍ଟାଟ୍‌ ଅପ୍‌କୁ ବିଦେଶ ଉପରେ ନିର୍ଭର ରହିବାକୁ ନପଡେ।

୮ – ଆଣବିକ ଶକ୍ତି

ମେଡିକାଲ ଆଇସୋଟୋପ୍ ତିଆରି ପାଇଁ ପିପିପି ମୋଡ୍‌ରେ ରିସର୍ଚ୍ଚ ରିୟାକ୍ଟର ସ୍ଥାପନ ହେବ। ଏଥିରେ କ୍ୟାନ୍ସର ପରି ରୋଗର ଚିକିତ୍ସାରେ ଦୁନିଆକୁ ବେଶ ସାହାଯ୍ୟ ମିଳିବ। ଏବେ ପରମାଣୁ ଉର୍ଜା ସଂପୂର୍ଣ୍ଣ ଭାବେ ସରକାରଙ୍କ ନିୟନ୍ତ୍ରଣରେ ରହିଛି। ଶୀଘ୍ର ଖରାପ ହେଉଥିବା ପନିପରିବା  ପାଇଁ ବିକିରଣ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଏକ ଖାଦ୍ୟ ସଂରକ୍ଷଣ କରାଯାଇ ପାରିବ। ଏହା ଦ୍ଵାରା ଫସଲ ନଷ୍ଟକୁ ରକ୍ଷା କରାଯାଇ ପାରିବ ଏବଂ ପିଆଜ ପରି ଶସ୍ୟକୁ ଅଧିକ ସମୟ ଭଣ୍ଡାରରେ ରଖାଯାଇ ପାରିବ। ଷ୍ଟାଟ୍ ଅପ୍‌କୁ ଦେଶର ଆଣବାିକ ଉର୍ଜାର ଲାଭ ମିଳି ପାରିବ।

   Related Posts