୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ହାତ ମିଳାଇଲେ ସିପିଆଇ(ଏମ୍) ଓ କଂଗ୍ରେସ

Published By : Prameya-News7 Bureau | November 01, 2020 IST

ନୂଆଦିଲ୍ଲୀ ୧।୧୧:  କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ (ମାର୍କସବାଦୀ) କେନ୍ଦ୍ରୀୟ କମିଟି ବୈଠକରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ କଂଗ୍ରେସ ସହ ମିସି ଲଢିବା ଲାଗି ପ୍ରସ୍ତାବକୁ ମଞ୍ଜୁର ହୋଇଛି। ଏହି ସୂଚନା ଦେଇଛନ୍ତି ସିପିଆଇ(ଏମ) ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ। ସେହିପରି ତାମିଲନାଡୁ, ଆସାମ ଓ କେରଳରେ ଧର୍ମନିରପେକ୍ଷ ଦଳଙ୍କ ସହ ମେଣ୍ଟର ମଧ୍ୟ ୟେଚୁରୀ ସୂଚନା ଦେଇଛନ୍ତି।

ଅକ୍ଟୋବର ୩୦ ଓ ୩୧ରେ ଅନୁଷ୍ଠିତ କେନ୍ଦ୍ରୀୟ କମିଟି ବୈଠକ ପରେ ୟେଚୁରୀ ଏହି ସୂଚନା ଦେଇଥିବା ବେଳେ କେରଳରେ ଏଲଡିଏଫର ଅଂଶୀଦାର ଦଳ ଭାବେ ପାର୍ଟି ନିର୍ବାଚନ ଲଢିବ ବୋଲି ୟେଚୁରୀ କହିଛନ୍ତି।  ସେହିପରି  ତାମିଲନାଡ଼ୁରେ ଡିଏମକେ ନେତୃତ୍ୱାଧୀନମେଣ୍ଟରେ ଦଳ ପ୍ରତିଦ୍ୱନ୍ଦ୍ୱୀତା କରିବ। ତେବେ ଆସାମରେ ସିପିଆଇ(ଏମ)  କଂଗ୍ରେସ ସମେତ ଧର୍ମ ନିରପେକ୍ଷ ଦଳମାନଙ୍କ ସହ ମେଣ୍ଟ କରି ବିଜେପି ବିରୋଧରେ ନିର୍ବାଚନ ମୈଦାନକୁ ଓହ୍ଲାଇବ ବୋଲି ୟେଚୁରୀ କହିଛନ୍ତି।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ମେ ୨୦୨୧ରେ ହେବାର ଆକଳନ କରାଯାଉଛି। ଏଠାରେ ବାମପନ୍ଥୀ ଦଳ ନିରବଛିନ୍ନ ଭାବେ ୩୪ ବର୍ଷ ସରକାର କରିଥିବା ବେଳେ ତୃଣମୂଳ କଂଗ୍ରେସ ଓ ବିଜେପି ରାଜ୍ୟରେ ସିପିଆଇ(ଏମ) ଲାଗି ମୁଖ୍ୟ ଚାଲେଅ଼ଜ ପାଲଟିଛନ୍ତି। ଏଣୁ ଉଭୟ ଦଳଙ୍କ ମୁକାବିଲା ଲାଗି ସିପିଆଇ(ଏମ) କଂଗ୍ରେସ ଓ ଧର୍ମ ନିରପେକ୍ଷ ଦଳମାନଙ୍କ ସହ ନିର୍ବାଚନୀ ମେଣ୍ଟ କରିବାକୁ କେନ୍ଦ୍ରୀୟ କମିଟି ବୈଠକରେ ନିଷ୍ପତ୍ତି ହୋଇଛି। ୨୯୪ ସଦସୀୟ ପଶ୍ଚିମବଙ୍ଗ ବିଧାନସଭାରେ ଏବେ ସିପିଆଇ(ଏମ)ର ମାତ୍ର ୨୧ଟି ଆସନଅଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.