ନୂଆଦିଲ୍ଲୀ ୧/୫: ବିଶିଷ୍ଟ ସୀତାର ବାଦକ ପଣ୍ଡିତ ଦେବବ୍ରତ (ଦେବୁ) ଚୌଧୁରୀଙ୍କ କରୋନାରେ ନିଧନ ହୋଇଯାଇଛି। ଶନିବାର ଏକ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ପ୍ରାଣ ହରାଇଛନ୍ତି ଦେବବ୍ରତ ଚୌଧୁରୀ। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା। ପଣ୍ଡିତ ଚୌଧୁରୀଙ୍କ ପୁଅ ପ୍ରତୀତ ଚୌଧୁରୀ ଏନେଇ ସୂଚନା ଦେଇଛନ୍ତି।
ସେ ଦେବୁ ଚୌଧୁରୀ ନାମରେ ପ୍ରସିଦ୍ଧି ଲାଭ କରିଥିଲେ। ପ୍ରତୀକ ଚୌଧୁରୀ ନିଜ ଫେସବୁକ୍ ପେଜରେ ଲେଖିଛନ୍ତି, ‘ମୋ ବାପ, ପ୍ରସିଦ୍ଧ ସୀତାର ବାଦକ ଦେବୁ ଚୌଧୁରୀ ଆଉ ନାହାନ୍ତି।’ ଏହା ସହ ସେ ଆହୁରି ଲେଖିଛନ୍ତି, ‘ତାଙ୍କୁ କରୋନା ସଂକ୍ରମଣ ଏବଂ ଅନ୍ୟନ୍ୟ ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଶୁକ୍ରବାର ରାତିରୁ ସେ ଆଇସିୟୁରେ ଭେଣ୍ଟିଲେଟରରେ ଥିଲେ। ତାଙ୍କର ହୃଦଘାତ ହୋଇଥିଲା। ସେଥିରୁ ସେ ସୁସ୍ଥ ହୋଇପାରିନଥିଲେ। ଡାକ୍ତରମାନେ ଯଥାସମ୍ଭବ ଚେଷ୍ଟା କରିଥିଲେ କିନ୍ତୁ ତାଙ୍କୁ ବଞ୍ଚାଇପାରିଲେ ନାହିଁ।’ ପଣ୍ଡିତ ଚୌଧୁରୀଙ୍କ ପରିବାରରେ ତାଙ୍କ ପୁଅ ପ୍ରତୀକ ଚୌଧୁରୀ, ବୋହୂ ରତ୍ନା ଚୌଧୁରୀ ଏବଂ ନାତି-ନାତୁଣୀ ଅଛନ୍ତି।
ତେବେ ମିଳିଥିବା ସୂଚନା ଅନୁସାରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ପଣ୍ଡିତ ଦେବବ୍ରତ ଚୌଧୁରୀ ନୂଆଦିଲ୍ଲୀର ଗୁରୁ ଟେଗ୍ ବାହାଦୂର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କର ଅକ୍ସିଜେନ୍ ସେଚୁରେସନ୍ ଲେଭେଲ୍ ଖସିଆସିଥିଲା। ଶୁକ୍ରବାର ସନ୍ଧ୍ୟାରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଅତ୍ୟନ୍ତ ଖରାପ ହୋଇପଡ଼ିଥିଲା। ତାପରେ ତାଙ୍କୁ ଭେଣ୍ଟିଲେଟ ସପୋର୍ଟରେ ରଖାଯାଇଥିଲା। କିନ୍ତୁ ସବୁ ଚେଷ୍ଟା ପରେ ବି ଶନିବାର ପୂର୍ବାହ୍ନରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ପଣ୍ଡିତ ଦେବବ୍ରତ ଚୌଧୁରୀ