ଶୀତଳଷଷ୍ଠୀ : ଆଜି ଶିବ ବିବାହ, ମଧ୍ୟରାତ୍ରିରେ ବାହାରିବେ ମହାଦେବଙ୍କ ବରଯାତ୍ରୀ

Published By : Prameya-News7 Bureau | June 15, 2021 IST

ସମ୍ବଲପୁର,୧୫/୦୬: ପବିତ୍ର ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥିଲା ଦେବ ବିବାହର ବିଭିନ୍ନ ବିଧି । ଥାଳ ଉଠାରୁ ଆରମ୍ଭ କରି ପତରପେଣ୍ଡି ବା ନିର୍ବନ୍ଧ ଆଉ ସୋମବାର ଦେବ ନିମନ୍ତ୍ରଣ ବା ହନୁମାନ ନିଉତା ବିଧି ବି ଶେଷ ହୋଇଛି । ବିବାହରେ ସାମିଲ ହେବାକୁ ସାକ୍ଷୀ ଗୋପିନାଥ ବି ଆସି ପହଞ୍ଚି ସାରିଛନ୍ତି । ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଦେବତା, ଗନ୍ଧର୍ବ, କିନ୍ନର ସମସ୍ତେ ପହଞ୍ଚିବାକୁ ଯାଉଛନ୍ତି । ଆଉ ମଙ୍ଗଳବାର ଦିନତମାମ ଶିବାଳୟରୁ ଆରମ୍ଭ କରି ମାତା ପାର୍ବତୀଙ୍କ ଘରେ ବିଭିନ୍ନ ବିବାହର ପୂର୍ବ ନୀତି ସଂପନ୍ନ ହେବା ପରେ ଶେଷରେ ସନ୍ଧ୍ୟାରେ ସେହି ବହୁ ପ୍ରତୀକ୍ଷିତ ମୁହୁର୍ତ୍ତ ଆସିବ । ସମ୍ବଲପୁର ଶୀତଳଷଷ୍ଠୀର ସବୁଠୁ ଆକର୍ଷିତ ମୁହୁର୍ତ୍ତ ଆଜି ପଦାର୍ପଣ କରିବ । ଆଉ ବର ବେଶରେ ସଜ୍ଜିତ ହୋଇ ସଂହାରକର୍ତ୍ତା ଆଶୁତୋଷ ବାହାରିବେ ଜଗଜ୍ଜନନୀ ମାତା ପାର୍ବତୀଙ୍କ ସହ ବିବାହ ପାଇଁ ବାହା ମଣ୍ଡପ ଅଭିମୁଖେ ।

ସମ୍ବଲପୁର ଶୀତଳଷଷ୍ଠୀ ଏବର୍ଷ ବି କରୋନା କଟକଣା ଯୋଗୁଁ ବିଧିରକ୍ଷାରେ ସୀମିତ ହେଉଥିଲେ ବି ଏହାର ଆୟୋଜନରେ ଆଦୌ ଉଣା ହୋଇନାହିଁ । ଇତିମଧ୍ୟରେ ସମସ୍ତ କମିଟିର ପତରପେଣ୍ଡି ବା କନ୍ୟା ଅନ୍ୱେଷଣର ପର୍ବ ସାଙ୍ଗକୁ ଦେବ ନିମନ୍ତ୍ରଣ ନୀତି ବି ଶେଷ ହୋଇଛି । ଗତ ୧୧ ତାରିଖରେ ନନ୍ଦପଡାର ବଂ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ପତରପେଣ୍ଡି ଶେଷ ହୋଇଥିବା ବେଳେ ୧୨ରେ ଗୁଆଗୁଣ୍ଡା ବି ସଂପନ୍ନ ହୋଇଥିଲା । ଆଉ ଏହି ବିବାହରେ ସାକ୍ଷୀ ହେବା ପାଇଁ ସାକ୍ଷୀ ଗୋପିନାଥ ବି ଆସି ପହଞ୍ଚି ଯାଇଛନ୍ତି ।

ସେପଟେ, ଝାଡୁଆପଡ଼ାର ଲୋକନାଥ ବାବା, ମୁଦିପଡ଼ାର ଜାଗେଶ୍ୱର ବାବାଙ୍କ ଗୁଆଗୁଣ୍ଡା ବି ରବିବାର ସନ୍ଧ୍ୟାରେ ଶେଷ ହୋଇଛି । ସଙ୍କଟମୋଚନ ହନୁମାନ ସହରରର ବିଭିନ୍ନ ପଡ଼ାରେ ଥିବା ଦେବା ଦେବୀଙ୍କ ମନ୍ଦିରକୁ ଯାଇ ନଡିଆ, ଗୁଆ, ହଳଦି ଦେଇ ପୂଜାର୍ଚ୍ଚନା କରି ବିବାହରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରିଛନ୍ତି । ଏଥିପାଇଁଜି ଅପରାହ୍ନରେ ସବୁ ଶିବାଳୟରେ ମହାଦେବଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ଆଳତୀ କରାଯାଇଥିଲା । ଏହି ଦେବ ନିମନ୍ତ୍ରଣ ବେଳେ ବରପିତାଙ୍କ ସହିତ ମନ୍ଦିର ପୂଜକ ଏବଂ ଷଷ୍ଠୀ ଯାତ୍ରା ପୁରୋହିତ ଓ କମିଟି କର୍ମକର୍ତ୍ତା ସାମିଲ ହୋଇଥିଲେ ।

ଅପରପକ୍ଷେ, ମଙ୍ଗଳବାର ଗତବର୍ଷର କନ୍ୟା ପିତାମାତା ମାନଙ୍କ ଗଣ୍ଠଳି ଫିଟା କାର୍ଯ୍ୟକ୍ରମ ସହିତ ନୂତନ କନ୍ୟା ପିତାମାତାଙ୍କ କୋଳକୁ ମାତା ପାର୍ବତୀ ଯିବେ । ଆଉ ନୂତନ କନ୍ୟା ପିତାମାତାଙ୍କ ଘରେ ଦିନତମାମ ମାଁଙ୍କ ବିବାହ ପୂର୍ବବର୍ତ୍ତୀ ବିଭିନ୍ନ ନୀତି ସଂପନ୍ନ ହେବ । ମାଁଙ୍କ ତୈଳାଭିଷେକରୁ ଆରମ୍ଭ କରି ହଳଦି ଖେଳ ଆଦି ନୀତି ଅନୁଷ୍ଠିତ ହେବ । ଆଉ ସନ୍ଧ୍ୟାରେ ମାତା ପାର୍ବତୀଙ୍କୁ ନବବଧୁ ବେଶରେ ସଜ୍ଜିତ କରାଯିବ ।

ସେହିପରି ଶିବାଳୟରେ ମଧ୍ୟ ମହାଦେବଙ୍କ ରୁଦ୍ରାଭିଷେକ ସହିତ ତୈଳାଭିଷେକ, ଗନ୍ଧଷଣ ଆଦି ନୀତି ସଂପନ୍ନ ହେବ । ଆଉ ସନ୍ଧ୍ୟାରେ ମହାଦେବ ବରବେଶରେ ସଜ୍ଜିତ ହୋଇ ବାହା ମଣ୍ଡପ ଅଭିମୁଖେ ବାହାରିବାର କାର୍ଯ୍ୟକ୍ରମ ରହିଛି । ତେବେ, କରୋନା କଟକଣା ଯୋଗୁଁ ଏବର୍ଷର ଷଷ୍ଠୀ ଯାତ୍ରା କେବଳ ବିଧିରକ୍ଷାରେ ସୀମିତ ହୋଇଛି । ଏଥିପାଇଁ ବରଯାତ୍ରୀ କନ୍ୟା ଘରକୁ ନ ଯାଇ ମନ୍ଦିର ପ୍ରାଙ୍ଗଣରେ ହିଁ ବିବାହ ସଂପନ୍ନ କରିବାକୁ ସ୍ଥିର ହୋଇଛି । ଆଉ ମନ୍ଦିର ପ୍ରାଙ୍ଗଣରେ ହିଁ ବୁଧବାର ଏବଂ ଗୁରୁବାର ଯୁଗଳ ଦର୍ଶନ ଅନୁଷ୍ଠିତ ହେବ ବୋଲି ଚୂଡାନ୍ତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.