ସମ୍ବଲପୁରରେ ଶୀତଳଷଷ୍ଠୀ ଧୁମ୍, ବୈଦିକ ରୀତିନୀତିରେ ଶିବ-ପାର୍ବତୀଙ୍କ ବିବାହ ସମ୍ପନ୍ନ

Published By : Prameya-News7 Bureau | June 08, 2019 IST

ସମ୍ବଲପୁର ୮|୬: ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ । ବିଳମ୍ବିତ ରାତିରେ ଧୁମଧାମରେ ସମ୍ପନ୍ନ ହେଲା ଶିବ ବିବାହ ।  ଜ୍ୟେଷ୍ଠ ଶୁକ୍ଲପକ୍ଷ ଷଷ୍ଠୀ ଲଗ୍ନରେ ମଙ୍ଗଳବାର ବ୍ରାହ୍ମ ମୁହୂର୍ତ୍ତରେ ଦେବାଧିଦେବ ମହାଦେବ ଜଗଜ୍ଜନନୀ କରୁଣାମୟୀ ମା’ ପାର୍ବତୀଙ୍କ ପାଣିଗ୍ରହଣ କରିଛନ୍ତି।

{"id":120824}

ଆଜି ସକାଳେ କନ୍ୟା ବିଦାୟ, ମଧ୍ୟରାତ୍ରରୁ ଆରମ୍ଭ ହେବ ଦେବଦମ୍ପତିଙ୍କ ବର୍ଣ୍ଣାଢ୍ୟ ଲେଉଟାଣୀ । ନବବଧୂ ପାର୍ବତୀଙ୍କ ସହ ମହାଦେବ ସ୍ୱମନ୍ଦିର ପ୍ରତ୍ୟାବର୍ତ୍ତନ କରିବା ସହିତ ଆରମ୍ଭ ହେବ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା ।  ମଧ୍ୟରାତ୍ରିରୁ ଦେବଦମ୍ପତି ନଗର ପରିକ୍ରମା ଆରମ୍ଭ କରି ରବିବାର ସନ୍ଧ୍ୟାରେ ସ୍ୱମନ୍ଦିର ପ୍ରବେଶ କରିବେ। ଶୀତଳଷଷ୍ଠୀ ଅବସରରେ ସମଗ୍ର ସମ୍ବଲପୁର ଶିବମୟ ହୋଇପଡ଼ିଛି । 

{"id":120825}

ଶୁକ୍ରବାର ସକାଳେ ଶିବ-ପାର୍ବତୀ ଗତ ବର୍ଷର କନ୍ୟା ମାତାପିତାଙ୍କ ବାସଭବନକୁ ଯାଇଥିଲେ । ସେଠାରେ ଦୁହିଙ୍କ ମଧ୍ୟରେ ପଡ଼ିଥିବା ଗଣ୍ଠି ଖୋଲା ଯାଇଥିଲା। ଶିବ-ପାର୍ବତୀ ସେଠାରୁ ମନ୍ଦିରକୁ ଫେରିଲା ପରେ ଏ ବର୍ଷର କନ୍ୟା ପିତାମାତା ଦେବୀ ପାର୍ବତୀଙ୍କୁ ନିଜ ଘରକୁ ପାଛୋଟି ନେଇଥିଲେ । ଶିବାଳୟରେ ଶିବଙ୍କ ରୁଦ୍ରାଭିଷେକ ଓ ପିତ୍ରାଳୟରେ ପାର୍ବତୀଙ୍କ ହରିଦ୍ରାଭିଷେକ ବା ‘ଗଣଷଣ’ ହୋଇଥିଲା। ରାତିରେ ବରପିତା, ପୁରୋହିତ, ସପ୍ତଋଷି, ମୁରବୀ, ଶୀତଳଷଷ୍ଠୀ ଯାତ୍ରା କମିଟିର କର୍ମକର୍ତ୍ତାଙ୍କ ଗହଣରେ ବରବେଶୀ ମହାଦେବ ଥାଟ ପଟୁଆର ଧରି ବାହାରିଥିଲେ ପାର୍ବତୀଙ୍କ ବାସଭବନ ଅଭିମୁଖେ।

{"id":120826}

ନନ୍ଦପଡ଼ାର ବମ୍‍ବରାଡ଼ ଶ୍ରୀ ବାଲୁଙ୍କେଶ୍ୱର ବାବା, ଝାଡ଼ୁଆପଡ଼ାର ଶ୍ରୀ ଲୋକନାଥ ବାବା, ମୁଦିପଡ଼ାର ଶ୍ରୀ ଜାଗେଶ୍ୱର ବାବା, ବଡ଼ବଜାରର ଶ୍ରୀ ଶୀତଳେଶ୍ୱର ବାବା, ଠାକୁରପଡ଼ାର ଶ୍ରୀ ଗୁପ୍ତେଶ୍ୱର ବାବା ଓ ଅନ୍ୟ ସମସ୍ତ ଶିବାଳୟରୁ ବାହାରିଥିଲା ବରଯାତ୍ରୀ ଶୋଭାଯାତ୍ରା।। ବରବେଶୀ ଶିବଙ୍କ ‘ଗାଲସେକା’ ପରେ ତାଙ୍କୁ ବିବାହ ବେଦୀକୁ ପାଛୋଟି ନେଇ ପୁରୋହିତଙ୍କ ମନ୍ତ୍ରପାଠ ଓ ଶ୍ଲୋକ ଉଚ୍ଚାରଣ ମଧ୍ୟରେ ଲୋକାଚାରରେ ବରବେଶୀ ମହାଦେବ ମାତା ପାର୍ବତୀଙ୍କ ପାଣିଗ୍ରହଣ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.