ନୟାଗଡ ପରୀ ହତ୍ୟାର ତଦନ୍ତ କରିବ ଏସଆଇଟି, ଅରୁଣ ବୋଥ୍ରାଙ୍କ ନେତୃତ୍ଵରେ ୫ ଜଣିଆ ଟିମ ଗଠନ, ସେପଟେ ମନ୍ତ୍ରୀ ଅରୁଣଙ୍କ ଇସ୍ତଫା ଦାବିରେ ଅଡି ବସିଛି ବିଜେପି

Published By : Prameya-News7 Bureau | November 28, 2020 IST

ଭୁବନେଶ୍ଵର ୨୮।୧୧: ନୟାଗଡ ପରୀ ହତ୍ୟା ମାମଲାର ତଦନ୍ତ କରିବାକୁ ଏସଆଇଟି ଗଠନ କଲେ ରାଜ୍ୟ ସରକାର ।ବରିଷ୍ଠ ଆଇପିଏସ୍ ଅଫିସର ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଟିମ ଗଠନ କରାଯାଇଛି । ଟିମ ଗଠନ ନେଇ ଗୃହ ବିଭାଗର ସ୍ବତନ୍ତ୍ର ସଚିବ ହାଇକୋର୍ଟଙ୍କ  ରେଜିଷ୍ଟାର ଜେନରାଲଙ୍କୁ ଚିଠି ଲେଖି ଅବଗତ କରିଛନ୍ତି । ଏସଆଇଟି ତଦନ୍ତରେ ତତ୍ତ୍ଵାବଧାନ କରିବାକୁ ହାଇକୋର୍ଟଙ୍କ ଜଣେ ସିଟିଙ୍ଗ୍ ଜଜଙ୍କୁ ଦାୟିତ୍ବ ଦେବାକୁ ନିବେଦନ କରାଯାଇଛି । ଏସଆଇଟି ତଦନ୍ତ ନିର୍ଦେଶକୁ କଂଗ୍ରେସ ସ୍ବାଗତ କରିଥିବା ବେଳେ କୃଷି ମନ୍ତ୍ରୀଙ୍କ ଇସ୍ତଫା ସହ ସିବିଆଇ ତଦନ୍ତ ଦାବିରେ ଅଡି ବସିଛି ବିଜେପି।  

ପରୀ ହତ୍ୟା ମାମଲାର ତଦନ୍ତ ପାଇଁ ଏସଆଇଟି ଗଠନ କଲେ ରାଜ୍ୟ ସରକାର । ବରିଷ୍ଠ ଆଇପିଏସ୍ ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ଜଣିଆ ଟିମ୍ ଏହି ଘଟଣାର ତଦନ୍ତ କରିବ । ଟିମ୍‌ରେ କ୍ରାଇବ୍ରାଞ୍ଜ ଏସପି ଆର. କେ ଦୋରା, ଅତିରିକ୍ତ ଏସପି ଆର.ସି ଥମ୍ବଙ୍କ ସହ କ୍ରାଇବ୍ରାଞ୍ଜ ଇନ୍ସପେକ୍ଟର ନରେନ୍ଦ୍ର ବେହେରା, ମମତା ପଣ୍ଡା ସଦସ୍ୟ ଅଛନ୍ତି । ହାଇକୋର୍ଟର ଜଣେ ସିଟିଂ ଜଜଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ପରୀ ହତ୍ୟା ମାମଲାର ତଦନ୍ତ କରିବ ଏସଆଇଟି । ଏନେଇ ଗୃହ ବିଭାଗ ପକ୍ଷରୁ ହାଇକୋର୍ଟଙ୍କ ରେଜିଷ୍ଟ୍ରାର ଜେନେରାଲଙ୍କୁ ଚିଠି ଲେଖି ଅବଗତ କରାଯାଇଛି । ହାଇକୋର୍ଟର ଜଣେ ସିଟିଙ୍ଗ୍ ଜଜଙ୍କୁ ଦାୟିତ୍ବ ଦେବାକୁ ଅଦାଲତଙ୍କୁ ନିବେଦନ କରିଛନ୍ତି ସରକାର ।

{"id":369249,"sizeSlug":"large"}

ସେପଟେ ନୟାଗଡ ପରୀ ହତ୍ୟା ଘଟଣାରେ କୃଷିମନ୍ତ୍ରୀ ଅରୁଣ ସାହୁଙ୍କୁ ଛନ୍ଦି ଲଗାତର ଚତୁର୍ଥ ଦିନରେ ବିଧାନସଭାରେ ହଙ୍ଗାମା କରିଛନ୍ତି ବିରୋଧୀ । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ବାଚସ୍ପତିଙ୍କ ପୋଡ଼ିୟମ ଉପରେ ଚଢ଼ିବା ସହ ମାଇକ ଉପାଡ଼ି ଦେଇଥିଲେ । ଗୃହରେ ପ୍ଲା-କାର୍ଡ଼ ଧରି ପ୍ରତିବାଦ କରିଥିଲେ ବିରୋଧୀ ସଦସ୍ୟ ।ତେବେ ଏସବୁ ଭିତରେ ଏସଆଇଟି ଟିମ୍ ଗଠନ ନେଇ ସରକାରଙ୍କ ପଦକ୍ଷେପକୁ ନେଇ କଂଗ୍ରେସ ସ୍ବାଗତ କରିଥିବା ବେଳେ କୃଷି ମନ୍ତ୍ରୀଙ୍କ ଇସ୍ତଫା ସହ ସିବିଆଇ ତଦନ୍ତ ଦାବିରେ ଅଡିବସିଛି ବିଜେପି ।

ନୟାଗଡର ୬ବର୍ଷର ଶିଶୁ କନ୍ୟା ପରୀର ମୃତ୍ୟୁକୁ ନେଇ ଜୁଲାଇ ୧୭ରେ ଥାନାରେ ମାମଲା ରୁଜୁ କରିଥିଲା ପୋଲିସ । ଜୁଲାଇ ୨୩ରେ ଗଳିତ ଶବ ମିଳିଥିବା ପରେ ପୋଷ୍ଟମର୍ଟମ କରାଯାଇଥିଲା । ଶବ ନଷ୍ଟ ହୋଇଯାଇଥିବାରୁ ରିପୋର୍ଟରେ ମୃତ୍ୟୁର କାରଣ ଜଣାପଡିନଥିଲା ।  ତେବେ ୬ବର୍ଷ କୁନି ଝିଅକୁ  କିଏ ଓ କାହିଁକି ହତ୍ୟା କଲା ?  ଏଥିରେ ପ୍ରକୃତ ଦୋଷୀ କିଏ ?  କାହିଁକି ୪ମାସ ହେଲା ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିପାରିନି ? ଏସବୁ ପ୍ରଶ୍ନର ଉତ୍ତର ଏବେ ଖୋଜିବ ଏସଆଇଟି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.