ପରୀକୁ ହତ୍ୟା ପୂର୍ବରୁ ଯୌନ ନିର୍ଯାତନା ସନ୍ଦେହ, ଏସଆଇଟି ରିପୋର୍ଟରେ ରହିଛି ସୂଚନା
16/12/2020 at 6:02 PM

ଭୁବନେଶ୍ବର ୧୬।୧୨: ନୟାଗଡ ପରୀ ହତ୍ୟା ଘଟଣାର ଷ୍ଟାଟସ୍ ରିପୋର୍ଟ ହାଇକୋର୍ଟରେ ଦାଖଲ କରିଛି କ୍ରାଇମବ୍ରାଞ୍ଚ ଏସ୍ଆଇଟି । ପରୀକୁ ଯୌନ ନିର୍ଯାତନା ଦିଆଯିବା ପରେ ତାକୁ ହତ୍ୟା କରାଯାଇଥିବା ରିପୋର୍ଟରେ ଉଲ୍ଲେଖ ଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି । ଅଭିଯୁକ୍ତଙ୍କ ଗିରଫଦାରୀ ଓ ତ୍ବରିତ ତଦନ୍ତ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୨୪ ରେ ପରବର୍ତ୍ତୀ ଶୁଣାଣି ହେବ । ସେପଟେ ପରୀ ହତ୍ୟାକାଣ୍ଡରେ ଜଡିତ ବ୍ୟକ୍ତିକୁ ଚିହ୍ନଟ କରିସାରିଛି ଏସଆଇଟି । ହତ୍ୟାକାଣ୍ଡରେ ଜଡିତ ବ୍ୟକ୍ତି ପରୀ ଗାଁର ବୋଲି କୁହାଯାଉଛି । ପରୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ନେଇ ହାଇକୋର୍ଟରେ ଦୁଇଟି ଜନସ୍ବାର୍ଥ ମାମଲା ଦାୟର ହୋଇଥିଲା ।
ପରୀ ମୃତ୍ୟୁ ଘଟଣାକୁ ନେଇ ବଡ଼ ଖୁଲାସା । ପରୀକୁ ଯୌନ ନିର୍ଯାତନା ପରେ ହତ୍ୟା କରାଯାଇଛି । ନୟାଗଡ଼ ଯଦୁପୁର ଗାଁର ୫ ବର୍ଷର ଝିଅ ପରୀକୁ ମୃତ୍ୟୁ ପୂର୍ବରୁ ଯୌନ ନିର୍ଯାତନା ଦିଆଯାଇଥିଲା । ପରୀ ପିନ୍ଧିଥିବା ଡ୍ରେସରୁ ଏମିତି କିଛି ପ୍ରମାଣ ରହିଥିବା ସୂଚନା ମିଳିଛି । ପରୀ ମୃତ୍ୟୁ ମାମଲାରେ ହାଇକୋର୍ଟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିଛି କ୍ରାଇମବ୍ରାଞ୍ଚ ଏସଆଇଟି। ତଦନ୍ତର ଅଗ୍ରଗତି ନେଇ ଏହି ରିପୋର୍ଟ ଦାଖଲ କରାଯାଇଛି । ଏସଆଇଟି ତଦନ୍ତ ଚାଲିଛି ଓ ତଦନ୍ତ ସାରିବାକୁ ଅଧିକ ସମୟ ଲୋଡା ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ ଦର୍ଶଯାଇଛି। ସିଲ୍ କଭରରେ ଦାଖଲ ହୋଇଛି ଏହି ଷ୍ଟାଟସ୍ ରିପୋର୍ଟ । ଅଭିଯୁକ୍ତଙ୍କ ଗିରଫଦାରୀ ଓ ତ୍ବରିତ ତଦନ୍ତ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୨୪ ତାରିଖ ସୁଦ୍ଧା ବିସ୍ତୃତ ରିପୋର୍ଟ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୨୪ ତାରିଖରେ ମାମଲାରେ ପରବର୍ତ୍ତୀ ଶୁଣାଣି ହେବ।
ସେପଟେ ପରୀ ହତ୍ୟାକାରୀକୁ କ୍ରାଇମବ୍ରାଞ୍ଚ ଏସଆଇଟି ଚିହ୍ନଟ କରିସାରିଥିବା କୁହାଯାଉଛି । ପରୀ ହତ୍ୟାକାରୀ ସେହି ଯଦୁପୁର ଗାଁର ବୋଲି ଜଣାପଡିଛି । ତେବେ ଏନେଇ ଏସ୍ଆଇଟି କିଛି ଖୁଲାସା କରିନାହିଁ । ଆହୁରି ଅଧିକ ତଥ୍ୟ ପ୍ରମାଣ ଯୋଗାଡ ଚାଲିଛି । ପରୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ନେଇ ହାଇକୋର୍ଟରେ ଦୁଇଟି ଜନସ୍ବାର୍ଥ ମାମଲା ଦାୟର ହୋଇଥିଲା । ଉଭୟ ମାମଲାରେ ସିବିଆଇ ତଦନ୍ତ ପାଇଁ ଦାବି କରାଯାଇଛି । ଏଥି ସହିତ ପରୀର ବାପା-ମା’ଙ୍କୁ ୨୫ ଲକ୍ଷ ଟଙ୍କା ରାଜ୍ୟ ସରକାର କ୍ଷତିପୂରଣ ପ୍ରଦାନ କରନ୍ତୁ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି । ତେବେ ପରୀ ରିପୋର୍ଟ ନେଇ ପ୍ରଶ୍ନ ଉଠାଇଛି ବିଜେପି । ବନ୍ଦ ଲଫାପାରେ ରିପୋର୍ଟ ହାଇକୋର୍ଟଙ୍କୁ ଏସଆଇଟି ଦେଇଥିବା ବେଳେ ତାହା କିଭଳି ବାହାରକୁ ଆସିଲା ଏବଂ ପରୀକୁ ହତ୍ୟା ପୂର୍ବରୁ ଦୁଷ୍କର୍ମ କରାଯାଇଥିବା କୁହାଗଲା ବୋଲି ବିଜେପି ପ୍ରଶ୍ନ କରିଛି । ଯାହା ଏସଆଇଟି ତଦନ୍ତ ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି ।
ପରୀ ଥିଲେ ଆଜି ଘରେ ପାଳନ ହୋଇଥାନ୍ତା ତାର ଷଷ୍ଠ ଜନ୍ମଦିନ । ହେଲେ ସେ ନଥିବାରୁ ଛଳଛଳ ଆଖିରେ ଜନ୍ମଦିନକୁ ଦୀପ ଜାଳି ଏବଂ ପିଲାଙ୍କୁ ଚକୋଲେଟ୍ ବାଣ୍ଟି ପାଳନ କରିଛନ୍ତି ବାପା-ମା’ । ମନ ଭିତରେ ଢେର କୋହ । ଏବର୍ଷ ଦୁଇଟି କେକ୍ କାଟିବାକୁ ଅର୍ଡର କରିଥିଲା ପରୀ । ହଲେ ଭାଗ୍ୟର ବିଡମ୍ବନା ସେ ଆଉ ନାହିଁ । ତେବେ ଏସଆଇଟି ଦେଇଥିବା ରିପୋର୍ଟକୁ ବିରୋଧ କରିଛନ୍ତି ପରୀର ବାପା-ମା’ । ତଦନ୍ତକୁ ବାଟବଣା କରିବାକୁ ଏସଆଇଟି ଚେଷ୍ଟା କରୁଥିବା ସେମାନେ ଅଭିଯୋଗ କରିଛନ୍ତି । ଘଟଣାର ସିବିଆଇ ତଦନ୍ତ ଦାବିକୁ ଦୋହରାଇଛନ୍ତି । ଅନ୍ୟପଟେ ପରୀକୁ ନ୍ୟାୟ ପାଇଁ ଆସନ୍ତାକାଲି ନୟାଗଡରେ ଏକ ସମାବେଶ କରିବାକୁ ଯାଉଛି କଂଗ୍ରେସ ।
ଜୁଲାଇ ୧୪ରେ ଗଁ। ଦାଣ୍ଡରେ ଖେଳୁଥିବାବଳେ କେଉଁଆଡେ ନିଖୋଜ ହୋଇଯାଇଥିଲା ପରୀ । ବହୁ ଖୋଜାଖୋଜି ପରେ ମଧ୍ୟ ତାର ପତ୍ତା ମିଳିନଥିଲା । ଜୁଲାଇ ୨୪ରେ ଘର ବାଡିପଟୁ ଏକ ପୋଖରୀ କୂଳରୁ ବସ୍ତାରେ ତାର ଖପୁରି, କିଛି ହାଡ ଏବଂ ଡ୍ରେସ୍ ମିଳିଥିଲା । ନଭେମ୍ବର ୨୪ରେ ପରୀର ବାପା-ମା’ ବିଧାନସଭା ଆଗରେ ଆତ୍ମାହୁତି ଉଦ୍ୟମ କରିଥିଲେ। ପୋଲିସ ଅପରାଧୀକୁ ଧରିବାରେ ବିଫଳ ହେବାପରେ ରାଜ୍ୟ ସରକାର ଘଟଣାର କ୍ରାଇମବ୍ରାଞ୍ଚ ଏବଂ ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଗତ ୧ରୁ ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ଏସଆଇଟି ତାର ତଦନ୍ତ ଜାରି ରଖିଛି ।