ସାଙ୍ଘାତିକ ଅବ୍ୟବସ୍ଥା : ୮ ବର୍ଷର ଶିଶୁ ସଫାକଲା କୋଭିଡ୍ କେୟାର ସେଣ୍ଟର୍‌ର ପାଇଖାନା, ବଦଳରେ ଦିଆଗଲା ୫୦ ଟଙ୍କା

Published By : Prameya-News7 Bureau | June 03, 2021 IST

ମୁମ୍ବାଇ, ୦୩|୦୬ :  ୮ ବର୍ଷର ଶିଶୁ ସଫାକଲା କୋଭିଡ୍ ହସ୍ପିଟାଲର ପାଇଖାନା । ଶିଶୁଟି ପାଇଖାନା ସଫା କରୁଥିବାର ଭିଡିଓ ଭାଇରାଲ ମଧ୍ୟ ହୋଇଛି । ଯାହାକୁ ନେଉ ବିବାଦ ଘନେଇବାରେ ଲାଗିଛି । ଭିଡିଓ ଭାଇରାଲ ପରେ ଶିଶୁକୁ ଏପରି କାର୍ଯ୍ୟରେ ଲଗାଇଥିବା ଗ୍ରାମ ପଞ୍ଚାୟତ ସମିତିର ସଦସ୍ୟଙ୍କୁ ନିଲମ୍ବନ କରାଯାଇଛି ।

ସୂଚନା ଅନୁସାରେ, ମହାରାଷ୍ଟ୍ରରେ ସୋସିଆଲ ମିଡିଆରେ ଏକ ଭିଡିଓ ଫୋନରୁ ଫୋନକୁ ଘୁରି ବୁଲୁଛି । ଯେଉଁଥିରେ ଏକ ଶିଶୁ ପାଇଖାନା ସଫା କରୁଛି । ଏଥିପାଇଁ ଜଣେ ବ୍ୟକ୍ତି ତାଙ୍କୁ ମରାଠି ଭାଷାରେ କିଛି ନିର୍ଦ୍ଦେଶ ଦେଉଛନ୍ତି । ଗତ ୩ ଦିନ ଧରି ଭାଇରାଲ ହେଉଥିବା ଏହି ଭିଡିଓ ମହାରାଷ୍ଟ୍ରର ବୁଲଢାଣା ଜିଲ୍ଲାର ମରୋଡା ଗ୍ରାମରୁ ଆସିଛି । ଶିଶୁଟି ଜିଲ୍ଲା ପରିଷଦ ସ୍କୁଲର ପାଇଖାନା ସଫା କରୁଛି । ଏହି ସ୍କୁଲକୁ ଏବେ ଆଇସୋଲେସନ ସେଣ୍ଟରରେ ପରିବର୍ତ୍ତନ କରାଯାଇଛି ।

ତେବେ ଏବେ ଏହି ସ୍କୁଲରେ କରୋନା ଆକ୍ରାନ୍ତଙ୍କୁ ରଖାଯାଇଛି । ଗ୍ରାମ ଅଧିକାରୀଙ୍କୁ ଯେତେବେଳେ ଜଣାପଡିଥିଲା ଯେ ଜିଲ୍ଲାପାଳ ଏଠାକୁ ତଦାରଖ ପାଇଁ ଆସୁଛନ୍ତି ସେମାନେ ତତ୍ପର ହୋଇଯାଇଥିଲେ । କୋଭିଡ୍ ସେଣ୍ଟରର ପାଇଖାନା ସଫା ନଥିବାରୁ ପଞ୍ଚାୟତ ସମିତିର ଜଣେ ସଦସ୍ୟ ଏକ ୮ ବର୍ଷର ଶିଶୁକୁ ଧମକ ଦେଇ ପାଇଖାନା ସଫା କରିବାକୁ କହିଥିଲେ । କାରଣ କରୋନା ଆକ୍ରାନ୍ତଙ୍କ ପାଇଖାନା ସଫା ପାଇଁ କେହି ରାଜି ନହେବାରୁ ଶିଶୁ ଦ୍ୱାରା ସଫା କରାଯାଇଥିଲା । ଏପରିକି ସଫା ନକଲେ ମାଡ ମାରିବା ନେଇ ଧମକ ଦିଆଯାଇଥିବା ଶିଶୁଟି କହିଛି । ଏହା ବଦଳରେ ତାକୁ ୫୦ ଟଙ୍କା ଦିଆଯାଇଥିଲା ।

ଭିଡିଓ ଭାଇରାଲ ହେବା ପରେ ପଞ୍ଚୟତ ସମିତିର ଜଣେ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ବିଜେପି ନେତା ଚିତ୍ରା ବାଘ ଘଟଣାରେ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.