ଭୂ-ବୈଜ୍ଞାନିକଙ୍କ ଚେତାବନୀ, ପାଖେଇ ଆସୁଛି ବିଶାଳ ହିମାଳୟ ଭୂମିକମ୍ପ ସମୟ

Published By : Prameya-News7 Bureau | July 11, 2020 IST

ନୂଆଦିଲ୍ଲୀ ୧୧।୭:  ଏକ ବିଶାଳ ହିମାଳୟ ଭୂମିକମ୍ପକୁ ନେଇ ଭୂ-ବୈଜ୍ଞାନିକ ଏବେ ଚିନ୍ତାରେ। ଅନ୍ତତଃ ବଡ ଧରଣର ଏକ କମ୍ପନ ହେବାକୁ ଥିବା ବେଳେ ପାର୍ବତ୍ୟ ରାଜ୍ୟ ଶିମଲା ଓ ସମତଳ ଦିଲ୍ଲୀ କିନ୍ତୁ ଏପର୍ଯ୍ୟନ୍ତ ଏଥିଲାଗି କୌଣସି ପ୍ରସ୍ତୁତି ମଧ୍ୟ କରିନାହାନ୍ତି। ଯଦି ଏପରି କିଛି ହୁଏ ତେବେ ଭୀଷଣ କ୍ଷୟକ୍ଷତି ନେଇ ସିସମୋଲଜିଷ୍ଟମାନେ ସତର୍କ କରାଇ ଦେଇଛନ୍ତି।

୨୦୧୫ ମସିହାରେ ଶେଷ ଥର ହିମାଳୟରେ ଭୂମିକମ୍ପ ହୋଇଥିଲା। ୭.୮ ତୀବ୍ରତାର ଏହି ଭୂମିକମ୍ପ ନେପାଳକୁ ଅସ୍ତବ୍ୟସ୍ତ କରିଦେଇଥିଲା। ଭୀଷଣ ପ୍ରାକୃତିକ ବିତ୍ପାତରେ ୯ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୨ ହଜାର ଲୋକେ ଆହତ ହୋଇଥିଲେ। ଅନେକ ବଡବଡ କୋଠାବାଡି ଭୂମିକମ୍ପରେ କ୍ଷତିଗ୍ରସ୍ତ ହୋଇଥିଲା। ଏହି ଭୂମିକମ୍ପ ଯୋଗୁ ରାଜଧାନୀ କାଠମାଣ୍ଡୁର ଏକ ବିସ୍ତୃତ ଅଞ୍ଚଳ ସମତଳ  ହୋଇଯାଇଛି। ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ କାଠମାଣ୍ଡୁ ସହରକୁ ଦକ୍ଷିଣ ଦିଗରେ ପ୍ରାୟ ଦେଢ ମିଟର ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛି। ତେବେ ଏମଡବ୍ଲୁ-୮ ପରି ଏହା ଏକ ବଡ ଭୂମିକମ୍ପ ନଥିଲା।  ହେଲେ ଏଥିଲାଗି କ୍ଷେତ୍ର ପ୍ରସ୍ତୁତ କରିଦେଇଥିବା ବୈଜ୍ଞାନିକ କହିଛନ୍ତି।

ନେପାଳ ଘଟଣା ପରେ ସିସମୋଲଜିଷ୍ଟମାନେ ହିମାଳୟ କ୍ଷେତ୍ରରେ ଆଉ ଏକ ଏଭଳି ଭୀଷଣ ଭୂମିକମ୍ପ ଆକଳନ କରିଛନ୍ତି। ତେବେ ଏହି ପ୍ରାକୃତିକ ପ୍ରଳୟ ଲାଗି ସମୟ ନିର୍ଦ୍ଧାରିତ ହୋଇନି। ହୁଏତ ଏବେ ହୋଇପାରେ ଅଥବା ୧୦୦ ବର୍ଷ ପରେ। ତେବେ ଏହି କ୍ଷେତ୍ରରେ ଏକ ବଡଧରଣର ଭୂମିକମ୍ପ ନିଶ୍ଚିତ ହେବ ବୋଲି ଭୂ-ବୈଜ୍ଞାନିକମାନେ କିନ୍ତୁ ନିଶ୍ଚିତ। ତେବେ ଏଥିଲାଗି ଭାରତକୁ ଆଗୁଆ ପ୍ରସ୍ତୁତି କରିନେବା ଦରକାର ବୋଲି ବୈଜ୍ଞାନିକମାନେ କହିଛନ୍ତି।

୨୦୧୫ ମସିହାରେ ହୋଇଥିବା ନେପାଳ ଭୂମିକମ୍ପ ୟୁରେସିଆ ପ୍ଲେଟ୍‌ ସହ ଭାରତୀୟ ପ୍ଲେଟ୍‌ର ଟେକଟୋନିକ୍ ଧକ୍କା ଯୋଗୁ ହୋଇଥିବାର ବୈଜ୍ଞାନିକ କହିଥିଲେ। ତେବେ ଏଥିଯୋଗୁ ହିମାଳୟର ଫଲ୍ଟ ଜୋନରେ ଅନେକ ଫାଟ ସୃଷ୍ଟି ହୋଇଛି। ଏହା ପୂର୍ବରୁ ୨୦୦୫ ମସିହାରେ କାଶ୍ମୀରରେ ୭.୬ ତୀବ୍ରତାର ଭୂମିକମ୍ପ ହୋଇଥିଲା। କମ୍ପନ ପ୍ରଭାବରେ ସୀମାରେ ନିୟନ୍ତ୍ରଣ ରେଖାର ଉଭୟ ପଟରେ ୮୬ ହଜାର ଲୋକେ ପ୍ରାଣ ହରାଇଥିଲେ। ଭାରତରେ ଭୂମିକମ୍ପ ଏବେବି ବ୍ଲାଇଣ୍ଡ ସ୍ପଟ ହୋଇ ରହିଛି। କେତେବେଳେ କେଉଁଠାରେ ଏପରି ପ୍ରାକୃତିକ ବିତ୍ପାତ ପ୍ରଳୟ ରଚିବ ତାର ଠିକଣା ନାହିଁ।

ଗତ ୨୦୧୯ ମସିହାରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନଡିଏମଏ) ଆର୍ଥ କ୍ୱେକ୍‌ ଡିଜାଷ୍ଟର ରିସ୍କ ଇଣ୍ଡେକ୍ସ (ଇଡିଆରଆଇ) ପ୍ରକାଶ କରିଥିଲେ। ଏଥିରେ ସେସମିକ୍ ଜୋନ ୪ ଓ ୫କୁ ଦେଶର ସକ୍ରିୟ ଅଞ୍ଚଳ ଚିହ୍ନଟ କରାଯାଇଥିବା ବେଳେ ମେଟ୍ରୋ ସମେତ ୫୦ଟି ସହର ଲାଗି ବିପଦ ଆକଳନ କରାଯାଇଛି। ଯେଉଁଥିରେ ରାଜଧାନୀ ଦିଲ୍ଲୀ ମଧ୍ୟ ରହିଛି।  ତେବେ ନିର୍ମାଣ ଶୈଳୀ ଲାଗି ଦିଲ୍ଲୀକୁ ଅଧିକ ବିପଦପୂର୍ଣ୍ଣ ବୋଲି ମନେ କରାଯାଉଛି। ସହର  ଉଚ୍ଚ ତୀବ୍ରତାର କମ୍ପନ ଲାଗି ଅସୁରକ୍ଷିତ ବୋଲି ଏଥିରେ ଜଣାଇ ଦିଆଯାଇଛି। ଏଥିଲାଗି ଦିଲ୍ଲୀ ହାଇକୋର୍ଟ ମଧ୍ୟ ରାଜ୍ୟ ସରକାରଙ୍କୁ ସତର୍କ କରାଇ ଦେଇଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.