Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

‘ସିପଲା’ ଏକ ମହାନ ଲକ୍ଷ୍ୟର ଯାତ୍ରା: ଦିନେ ଯେଉଁ କମ୍ପାନୀ ବିରୋଧରେ ପ୍ୟାଟେଣ୍ଟ ଉଲ୍ଲଂଘନର ଅଭିଯୋଗ ଆଣିଥିଲା ଆମେରିକା, ଏବେ ମାଗୁଛି ତାରି ପ୍ରସ୍ତୁତ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍

1/05/2020 at 8:22 PM

ଡା.ସମରେନ୍ଦ୍ର ମିଶ୍ର
ଗତ ଶତାବ୍ଦୀର ଦ୍ୱିତୀୟ ଦଶକ ଅର୍ଥାତ ୧୯୨୦ ମସିହାରେ ଜନୈକ ଭାରତୀୟ ଧନୀକ ତାଙ୍କ ପୁଅକୁ ଆଇନ ପାଠ ପଢାଇବାକୁ ବ୍ରିଟେନ ପଠାଇଲେ । ପୁଅକୁ  ବାରିଷ୍ଟର  କରିବାକୁ ଥିଲା ଲକ୍ଷ୍ୟ ।  ବମ୍ବେରୁ ଏକ ଜାହାଜରେ ପୁଅକୁ ବ୍ରିଟେନ ପଠାଇଥିଲେ। ସେ ସମୟରେ ଦେଶର ପ୍ରାୟ ବିତ୍ତଶାଳୀ ଲୋକେ ଓ ସେମାନଙ୍କ ପରିବାର ପିଲାଙ୍କୁ ଆଇନ ପଢାଇବା ଏକ ଚଳଣୀ ଥିଲା। ତେବେ ପିଲାଟି ଆଇନ ପଢି ଓକିଲ ହେବାକୁ ଚାହୁଁନଥିଲା। ରସାୟନ ବିଜ୍ଞାନ ପ୍ରତି ତା ମଧ୍ୟରେ ଥିଲା ଅହେତୁକ ଆଗ୍ରହ। ହେଲେ ସେତେବେଳର ଭାରତରେ ଏପରି ପାଠର କୌଣସି ଭବିଷ୍ୟତ ନଥିଲା। ହେଲେ ପିଲାଟିର ପସନ୍ଦ ପ୍ରତି ତାଙ୍କ ପିତାଙ୍କ ସାମାନ୍ୟ ଆଗ୍ରହ ବି ନଥିଲା। ଏଣୁ ବ୍ରିଟେନ ଯିବା ଲାଗି ତାଙ୍କୁ ଜାହଜରେ ଉଠାଇଥିଲେ। 

ଜାହାଜ ସମୁଦ୍ରରେ ଯେତିକି ଆଗକୁ ଆଗକୁ ବଢୁଥାଏ ପିଲାଟିର ମନ ତା ଲକ୍ଷ୍ୟ ପଥରେ ଯିବାକୁ ସେତିକି ଆନ୍ଦୋଳିତ କରୁଥାଏ। ଜାହାଜ ଡେକ୍‌ରେ ଛିଡା ହୋଇ ପିଲାଟି ନିଜ ଭବିଷ୍ୟତକୁ ନେଇ ଅନେକ ଚିନ୍ତା କରିବା ପରେ ମଝି ସମୁଦ୍ରରେ ଜାହାଜରୁ ଡେଇଁ ଜର୍ମାନ ଚାଲିଗଲା। ଏହି ପିଲା ଜଣକ ଆଉ କେହି ନୁହନ୍ତି, ସେ ହେଉଛନ୍ତି ଖ୍ୱାଜା ଅବଦୁଲ ହମ୍ମିଦ୍। ଯାହାଙ୍କୁ ଦେଶ ‘କେମିକାଲ, ଇଣ୍ଡଷ୍ଟ୍ରିଆଲ ଏଣ୍ଡ ଫାର୍ମାସ୍ୟୁଟିକାଲ ଲାବୋରେଟରିଜ’ (ସିପଲା)ର ସଂସ୍ଥାପକ ଭାବେ ହିଁ ଜାଣେ।

ଗତ ଶତାବ୍ଦୀ ପ୍ରାରମ୍ଭରେ ରସାୟନ ବିଜ୍ଞାନ ଓ ରସାୟନୀକ ଅଧ୍ୟାୟନ ଲାଗି ଜର୍ମାନୀ ଥିଲା ବିଶ୍ୱର ଅଗ୍ରଣୀ ଦେଶ। ଖ୍ୱାଜା ଜର୍ମାନୀରେ ପହଞ୍ଚିବା ପରେ ସେଠାରେ ରସୟାନରେ ଡିଗ୍ରୀ ହାସଲ କରିବା ସହ ଜନୈକା ଇହୁଦୀ ଯୁବତୀଙ୍କୁ ବିବାହ କରିଥିଲେ। ଯୁବତୀଙ୍କ ପରିବାର କମ୍ୟୁନିଷ୍ଟ ହୋଇଥିବା ବେଳେ ଆଡଲଫ୍ ହିଟଲରଙ୍କ ନାଜି ସରକାର ଉଭୟ ଇହୁଦି ଓ କମ୍ୟୁନିଷ୍ଟକୁ ଘୃଣା କରୁଥିଲେ। ତେବେ ହିଟଲରଙ୍କ ଗେଷ୍ଟାପୋରେ ଧରାପଡିବା ପୂର୍ବରୁ ଖ୍ୱାଜା ପତ୍ନୀଙ୍କ ସହ ସୁରକ୍ଷିତ ଭାରତ ଫେରିସାରିଥିଲେ। 

ରାସାୟନୀକ  ଉପାଦାନ ଏବଂ ସାମଗ୍ରୀ ଉପରେ  ଖ୍ୱାଜଙ୍କର ଥିଲା ଅଗାଧ ଜ୍ଞାନ ଓ ଅଭିଜ୍ଞତା । ଏହି ପୁଞ୍ଜିକୁ  ପାଥେୟ କରି ୧୯୩୫ ମସିହାରେ  ଖ୍ୱାଜା ଭାରତରେ ପ୍ରଥମେ ଗଢିଲେ ଇଣ୍ଡଷ୍ଟ୍ରିଆଲାଣ୍ଡ ଫାର୍ମାସ୍ୟୁଟିକାଲ୍ ଲାବୋରେଟୋରୀ।  ସ୍ୱାଧୀନତାର ଦୀର୍ଘ ଦଶନ୍ଧିପରେ ଏହା CIPLA ଭାବେ ଏବେ ଦେଶର ଘରେ ଘରେ ପରିଚିତ। 

ଖ୍ୱାଜା ହମ୍ମିଦ ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ଥିଲେ।  ପ୍ରକୃତ ଜାତୀୟତାବାଦୀ ମନୋଭାବ ନେଇ ସେ ସାଧାରଣ ଲୋକଙ୍କ ଲାଗି ଦେଶରେ ସ୍ୱଳ୍ପ ମୂଲ୍ୟର ଜେନେରିକ୍  ଔଷଧ ଉତ୍ପାଦନ କରିବା ଆରମ୍ଭ କରିଥିଲେ। ଏଥିରେ ସିପଲା  ସେତେବେଳେ ମ୍ୟାଲେରିଆ , ଯକ୍ଷ୍ମା (ଟିବି) ଲାଗି  ଔଷଧ ସାଙ୍ଗକୁ ନିଶ୍ୱାସ ପ୍ରଶ୍ୱାସ ଜନିତ ସମସ୍ୟା, ହୃଦ୍‌ରୋଗ, ମଧୁମେହ ଓ ଆର୍ଥାରାଇଟିସ୍ ଭଳି ରୋଗର ଔଷଧ ପ୍ରସ୍ତୁତି କରିଥିଲେ। ଆଉ ସେହି ରୋଗ ଗୁଡିକ ସେତେବେଳେ ଭୟଙ୍କର ଏବଂ ଆତଙ୍କର କାରଣ ଥିବା ବେଳେ, ସିପଲା ତାହାର ନିଦାନ ପ୍ରସ୍ତୁତ କରି ଜାତୀୟ ସ୍ୱାସ୍ଥ୍ୟରକ୍ଷାକାରୀ ପାଲଟିଥିଲା ।

୧୯୭୦ ଦଶକରେ ସିପଲା ତାଙ୍କ ବ୍ରାଣ୍ଡ ନେମ୍‌ରେ ପ୍ରୋପ୍ରାନୋଲଲ ନାମକ ଏକ  ଔଷଧ ପ୍ରସ୍ତୁତି ଆରମ୍ଭ କରିଥିଲେ। ସେ ସମୟରେ ରକ୍ତଚାପ, ଅଧକପାଳୀ ଓ ହୃଦଜନିତ ସମସ୍ୟା ଲାଗି ଏହି ଔଷଧର ଯୌଗିକକୁ ଆମେରିକୀୟ ଫର୍ମାସ୍ୟୁଟିକାଲ କମ୍ପାନୀ ପେଟେଣ୍ଟ କରିନେଇଥିଲେ। ଆମେରିକା ସେତେବେଳେ ବିଶ୍ୱର ଏକ କ୍ଷମତାଶାଳୀ ରାଷ୍ଟ୍ର ଭାବେ ଉଭା ହୋଇଥିବା ବେଳେ ଆଜିର ଦିନ ଭଳି ଭାରତ ସହ ସେପରି ଦ୍ୱିପାକ୍ଷୀକ ସମ୍ପର୍କ ବି ନଥିଲା।  ଏଣୁ ଭାରତୀୟ କମ୍ପାନୀଙ୍କ ବିରୋଧରେ ଆମେରିକା ଅଭିଯୋଗ ଆଣିଥିଲା। ତେବେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧି ଏଥିପ୍ରତି କୌଣସି ପଦକ୍ଷେପ ନେବା ବଦଳେ ଖ୍ୱାଜାଙ୍କ ପୁଅ ୟୁସୁଫ ହମ୍ମିଦଙ୍କୁ ରସାୟନରେ ସ୍ନାତକ ଲାଗି କେମ୍ବ୍ରିଜ୍ ପଠାଇଥିଲେ।

ୟୁସୁଫ କେମ୍ବ୍ରିଜରୁ ସ୍ନାତ୍ତକ ଶିକ୍ଷାରେ ଉତୀର୍ଣ୍ଣ ହେବା ପରେ ଥରେ ଇନ୍ଦିରା ଗାନ୍ଧି ତାଙ୍କୁ ପେଟେଣ୍ଟ ଆଇନ ଉଲ୍ଲଂଘନ କରି ସାରା ଦେଶକୁ କିପରି ବିପଦ ଆଗରେ ଛିଡା କରିଦେଲ ବୋଲି ପ୍ରଶ୍ନ କରିଥିଲେ। ଏହାର ଜବାବରେ ୟୁସୁଫ ତାଙ୍କ ପିତାଙ୍କ କାହାଣୀ କହିଥିଲେ। ଭାରତ ଭଳି ଏକ ଦେଶରେ ଲୋକଙ୍କୁ ସ୍ୱଳ୍ପ ମୂଲ୍ୟରେ ଗୁଣାତ୍ମକ ଔଷଧ ଉପଲବ୍ଧ କରିବା ହିଁ ଖ୍ୱାଜାଙ୍କର ଏକମାତ୍ର ଉଦ୍ଦେଶ୍ୟ ବୋଲି ପ୍ରଥମ ଥର ଜାଣିବାକୁ ପାଇଥିଲେ ପ୍ରଧାନମନ୍ତ୍ରୀ । 

ଖ୍ୱାଜାଙ୍କ ପରେ ସିପଲାର ଦାୟିତ୍ୱ  ଗ୍ରହଣ କଲେ ୟୁସୁଫ । ତେବେ ୟୁସୁଫଙ୍କୁ ଦାୟିତ୍ୱ ହସ୍ତାନ୍ତର ବେଳେ ଖ୍ୱାଜା ପଦଟିଏ କହିଥିଲେ ‘ମନେ ରଖିବ କ’ଣ ପାଇଁ ସିପଲାର ସ୍ଥାପନା ହୋଇଥିଲା’। ସାରା ବିଶ୍ୱରେ ଅନେକ ଫାର୍ମାସ୍ୟୁଟିକାଲ କମ୍ପାନୀ ଅଛନ୍ତି। ହେଲେ ଲାଭ ଉଦ୍ଦେଶ୍ୟରେ ନୁହେଁ ଗୁଣାତ୍ମକ ଔଷଧ ଆଶାରେ ଯେପରି କେହି ମୃତ୍ୟୁ ମୁଖରେ ନ ପଡେ ସେଥି ପାଇଁ ଖ୍ୱାଜା ଲୋକଙ୍କ ସ୍ୱାସ୍ଥ୍ୟର ଯତ୍ନ  ସହ ଆଶ୍ୱସ୍ତି ଲାଗି ସିପଲାର ସ୍ଥାପନା  କରିଥିବା ୟୁସୁଫ ଇନ୍ଦିରାଙ୍କୁ କହିଥିଲେ।    

ୟୁସୁଫଙ୍କ କଥା ତତ୍କାଳୀନ ପ୍ରଧାନମନ୍ତ୍ରୀଙ୍କୁ ବେଶ୍ ପ୍ରଭାବିତ କରିଥିଲା। ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ମଧ୍ୟ ଦେଶର ପରିସ୍ଥିତି ସମ୍ପର୍କରେ ସମ୍ପୂର୍ଣ୍ଣ ଅଭିଜ୍ଞ ଥିଲେ।  ଏଣୁ ଏଭଳି ଔଷଧର ଉତ୍ପାଦନ ବନ୍ଦ ଲାଗି ଆମେରିକାର ନିର୍ଦ୍ଦେଶ ପ୍ରତ୍ୟାଖ୍ୟାନ  କଲେ କ’ଣ ହେବ ଜାଣି ମଧ୍ୟ ଇନ୍ଦିରା ଔଷଧର ଉତ୍ପାଦନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେବା ବଦଳରେ ୟୁସୁଫଙ୍କ ପରାମର୍ଶରେ ଦେଶର ପେଟେଣ୍ଟ ଆଇନରେ ପରିବର୍ତ୍ତନ  କରିଥିଲେ।    ଯେଉଁଥିରେ ଔଷଧ ପ୍ରସ୍ତୁତିର ପ୍ରତି ସେଗମେଣ୍ଟକୁ  ସାମିଲ କରା ନଯାଇ କେବଳ ଔଷଧ ପ୍ରସ୍ତୁତି ପ୍ରକ୍ରିୟାକୁ ସାମିଲ କରାଯାଇଥିଲା। ଫଳରେ ସିପଲା ସ୍ୱଳ୍ପ ମୂଲ୍ୟରେ ଅନେକ ଗୁଣାତ୍ମକ ଔଷଧ ପ୍ରସ୍ତୁତ କରିପାରିଥିବା ବେଳେ ଏଚଆଇଭି ଭଳି ରୋଗର ଚିକିତ୍ସା ଲାଗି କମ୍ ମୂଲ୍ୟରେ ଗୁଣାତ୍ମକ ଔଷଧ ଉତ୍ପାଦନ କରିବା ସହ ଆଫ୍ରିକା ଓ ଅନ୍ୟ ବିକାଶଶୀଳ ଦେଶଙ୍କୁ ରପ୍ତାନୀ କରି ପାରୁଛନ୍ତି ।  ତେବେ ଏଥିଲାଗି  ଭାରତକୁ ତାର ଅନ୍ୟାନ୍ୟ ଗତିବିଧି ଲାଗି ପରେ ଆମେରିକୀୟ କଡା କଟକଣାର ଶିକାର ହେବାକୁ ପଡିଥିଲା। ହେଲେ ଖ୍ୱାଜାଙ୍କ ଭାରତକୁ  ଗୁଣାତ୍ମକ ଔଷଧ ଲାଗି କାହା ପାଖରେ କେବେ ହାତ ପାତିବାକୁ ପଡିନାହିଁ।

ସିପଲା ସେହି କମ୍ପାନୀ ଯିଏ ଦେଶରେ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ (ଏଚସିକ୍ୟୁ) ଉତ୍ପାଦନ କରିଥାନ୍ତି। ଏବେ ସେହି ଆମେରିକା  କୋଭିଡ-୧୯ ପ୍ରସାରରେ ଭାରତକୁ ତୁରନ୍ତ ଏଚସିକ୍ୟୁ ଯୋଗାଣ ଲାଗି ନିର୍ଦ୍ଦେଶ ଦେଇଥିବା ବେଳେ ଯେଉଁ କମ୍ପାନୀକୁ କେବେ ଔଷଧ ପେଟେଣ୍ଟ ଲାଗି ବିରୋଧ କରିଥିଲା ସେହି କମ୍ପାନୀରୁ ତାକୁ ଏଚସିକ୍ୟୁ ଯୋଗାଇ ଦିଆଯାଇଛି। କେବଳ ଆମେରିକା ନୁହେଁ ବିଶ୍ୱର ବିଭିନ୍ନ ଦେଶଙ୍କୁ କରୋନା ସଂକ୍ରମଣରେ ଭାରତ ଏବେ ଏହି ଔଷଧ ଯୋଗାଇ ଦେଉଛି।

ଏଚସିକ୍ୟୁ ସାଧାରଣତଃ ଭାରତରେ ମ୍ୟାଲେରିଆ, ରୁମାଟିଜିମ ଆର୍ଥାରାଇଟିସ୍‌ ଭଳି ରୋଗର ଚିକିତ୍ସାରେ ବର୍ଷ ବର୍ଷରୁ ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇ ଆସିଛି। ତେବେ ଏହି ଔଷଧ ଲାଗି ଟ୍ରମ୍ପ ପ୍ରଶାସନ ଭାରତକୁ ଧମକାଇବା ପୂର୍ବରୁ ମୁମ୍ବାଇ ସେଇଫି ହସ୍ପିଟାଲର ସଂକ୍ରାମକ ରୋଗ ବିଶେଷଜ୍ଞ ଡା. ହମିଦୁଦ୍ଦିନ ପର୍ଦାୱାଲା ଯେଉଁ ସବୁ ଦେଶରେ ମ୍ୟେଲେରିଆ ଅଥବା ଟିବି ରୋଗର ପ୍ରାଦୁର୍ଭାବ ରହିଛି ସେହି ସବୁ ଦେଶରେ କରୋନାର କୌଣସି ପ୍ରଭାବ ରହିବନି ବୋଲି କହିଥିଲେ। ବିଶ୍ୱର ଆମେରିକା, ବ୍ରିଟେନ, ଇସ୍ରାଏଲ, ଫ୍ରାନ୍ସ, ଜର୍ମାନୀ, ସ୍ପେନ୍ ଓ  କାନାଡା ଆଦି ମ୍ୟାଲେରିଆ ମୁକ୍ତ ଦେଶ ହୋଇଥିବା ବେଳେ ଏବେ ସେଠାରେ କରୋନାର ପ୍ରାଦୁର୍ଭାବ ବେଶ ବୃଦ୍ଧି ପାଇଛି।   

ଯେତେବେଳେ ଜର୍ମାନ ବିଷୟରେ ଚିନ୍ତା କରାଯାଏ , ଆଶ୍ଚର୍ଯ୍ୟ  ଲାଗେ ଏହି ଦେଶମାନେ, ଯେଉଁମାନେ ବର୍ତ୍ତମାନ ସେମାନଙ୍କୁ  ଏଚସିକ୍ୟୁ ଯୋଗାଇ ଦେଇଥିବାରୁ ଭାରତକୁ ଅଶେଷ ଧନ୍ୟବାଦ ଦେଉଛନ୍ତି, ଯଦି ସେଦିନ ଖ୍ୱାଜା ହମିଦ୍ ଏବଂ ତାଙ୍କ ପତ୍ନୀଙ୍କୁ ଗେଷ୍ଟାପୋରେ   ଧରିଥାନ୍ତେ ଆଜି ଏ ଔଷଧ କେଉଁଠୁ ପାଇଥାନ୍ତେ?

କେବଳ ଭାରତ ନୁହେଁ ବିଶ୍ୱରେ ସିପଲା ପରି ଏପରି କୌଣସି ଫାର୍ମାସ୍ୟୁଟିକାଲ କମ୍ପାନୀ ନାହାନ୍ତି ଯିଏ ଲୋକଙ୍କୁ ସ୍ୱଳ୍ପ ମୂଲ୍ୟରେ ଗୁଣାତ୍ମକ ହେଲଥକେୟାର ଉପଲବ୍ଧ କରାଇପାରୁଛନ୍ତି। ସିପଲା କେବେବି ନିଜର ଗବେଷଣା ଲାଗି ରକ୍ଷଣଶୀଳ ନଥିଲେ କି ନାହାଁନ୍ତି। ଦେଶର  ଅନ୍ୟ ଫର୍ମାସ୍ୟୁଟିକାଲ କମ୍ପାନୀଙ୍କୁ ସେମାନଙ୍କ ଔଷଧି ପ୍ରସ୍ତୁତି ପ୍ରକ୍ରିୟାରେ ସିପଲା ପ୍ରାୟତଃ  ଉପାଦାନ ଯୋଗାଇ ଆସୁଛନ୍ତି।

କେବଳ ପେଷାଦାରୀ ନୁହେଁ ହମ୍ମିଦ ସଚ୍ଚୋଟ ଭାରତୀୟ ମଧ୍ୟ।  ମହମ୍ମଦ ଅଲ୍ଲୀ ଜିନ୍ନା ବମ୍ବେର ଯେଉଁ ସମୂଦାୟରେ ରହୁଥିଲେ ଖ୍ୱାଜା ହମ୍ମିଦଙ୍କ ପରିବାର ମଧ୍ୟ ସେହି ପରିବେଷ୍ଟନୀରେ ରହୁଥିଲେ। ଭାରତ ବିଭାଜନରେ ଖ୍ୱାଜାଙ୍କ ପରିବାରଙ୍କୁ ମଧ୍ୟ ଜିନ୍ନା ସସମ୍ମାନରେ ପାକିସ୍ତାନ ଆମନ୍ତ୍ରଣ କରିଥିଲେ। ହେଲେ ଖ୍ୱାଜା ହମ୍ମିଦ ଜାଣିଥିଲେ ଏପରି ପରିସ୍ଥିତିରେ ତାଙ୍କର ଓ ତାଙ୍କ ପରିବାରର ବିସ୍ୱସ୍ଥତା କାହା ପ୍ରତି ରହିବା ଦରକାର ଏବଂ ଭାରତକୁ ହିଁ ଏଥିଲାଗି ଚୟନକରିଥିଲେ। 

   Related Posts