୯ଟି ପୁଞ୍ଜିବିନିଯୋଗ ପ୍ରସ୍ତାବକୁ ମଞ୍ଜୁରୀ ଦେଲା ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି, ୧୪ ଶହ ୧୧ କୋଟି ଟଙ୍କାର ହେବ ବିନିଯୋଗ

Published By : Prameya-News7 Bureau | October 02, 2021 IST

ଭୁବନେଶ୍ୱର ୦୨।୧୦: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ବୈଠକରେ ୧୪ ଶହ ୧୧ କୋଟି ଟଙ୍କାର ୯ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଏହିସବୁ ପ୍ରକଳ୍ପରେ ୨ ହଜାର ୮୪୬ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ମୁଖ୍ୟତଃ ଖାଦ୍ୟ ପ୍ରକ୍ରିୟାକରଣ, ସାର, ଇସ୍ପାତ ଡାଉନ୍ ଷ୍ଟ୍ରିମ୍ ପ୍ରକଳ୍ପ ରହିଛି । ଗଞ୍ଜାମ ଗୋପାଳପୁର ଏସ.ଇ.ଜେଡ୍.ରେ ସମୁଦ୍ର ପାଣିରୁ ମଧୁର ଜଳ ପ୍ରସ୍ତୁତ ପାଇଁ ୧୦୭ କୋଟି ଟଙ୍କା ନିବେଶ କରିବ ଟାଟା । ବର୍ଷକୁ ୫ ହଜାର ୪୭୫ ନିୟୁତ ଲିଟର ମଧୁର ଜଳ ଉତ୍ପାଦନ ହେବ ।

ସେହିପରି କୋଣାର୍କରେ ସି-ସ୍କୋପ୍ କମ୍ପାନୀ ୧୦୦ କୋଟି ଟଙ୍କା ଖର୍ଚ୍ଚ କରି ହୋଟେଲ ନିର୍ମାଣ କରିବ । ବାରଙ୍ଗରେ ଡ୍ରେନେଜ୍ ଏବଂ ସ୍ୱେରେଜ ବ୍ୟବସ୍ଥାରେ ବ୍ୟବହୃତ ହେଉଥିବା ଉପକରଣ ପାଇଁ କାରଖାନା ନିର୍ମାଣ ହେବ । ଓଡ଼ିଶା କଙ୍କ୍ରିଟ ପ୍ରାଇଭେଟ ଲିମିଟେଡ ଏଥିରେ ୫୪ କୋଟି ୪୨ ଲକ୍ଷ ଟଙ୍କା ନିବେଶ କରିବାକୁ ଥିବା ବେଳେ, ୧୦୬ ଜଣଙ୍କୁ ନିଯୁକ୍ତି ମିଳିବ । ବାରିପଦାରେ ୫୫ କୋଟି ଟଙ୍କାର ଖର୍ଚ୍ଚରେ ଅତ୍ୟାଧୁନିକ ଟେକନୋମେକ୍ କାରଖାନା ସମ୍ପ୍ରସାରଣ ହେବ । ଏଥିରେ ୫୬୮ ଜଣଙ୍କୁ ନିଯୁକ୍ତି ମିଳିବ ।

ସେହିପରି ଅନୁଗୁଳ, ବରଗଡ଼, ଯାଜପୁର, ଝାରସୁଗୁଡ଼ା ଏବଂ ସମ୍ବଲପୁରରେ ୩୧୯ କୋଟି ଟଙ୍କା ବ୍ୟୟରେ ବାୟୋ ଗ୍ୟାସ୍ କାରଖାନା ହେବ । ଏଥିରେ ୧୨ ଶହ ୫୦ ଜଣଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହାସହ କଳାହାଣ୍ଡିର ଜୁନାଗଡ଼ରେ ୨୩୫ କୋଟି ଟଙ୍କା ଖର୍ଚ୍ଚରେ ଇଥାନଲ ଉତ୍ପାଦନ ହେବ । ଏଥିରେ ନିଯୁକ୍ତି ପାଇବେ ୨୦୦ ଜଣ । ପାରାଦୀପ ଇଫକୋରେ ବର୍ଷକୁ ୩୩ ହଜାର କିଲୋ ଲିଟର କ୍ଷମତା ବିଶିଷ୍ଟ ନୂଆ ୟୁରିଆ ୟୁନିଟ ତିଆରି ହେବ । ଯେଉଁଥିରେ ୨୦୦ ଲୋକ କାମ ପାଇବେ । ଏହିସବୁ ପ୍ରକଳ୍ପ କିପରି ଖୁବଶୀଘ୍ର ଆରମ୍ଭ ହୋଇପାରିବ ସେଥିପାଇଁ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.