ଆଜିଠୁ ରାଜ୍ୟର ସହରାଞ୍ଚଳରେ ପ୍ଲାଷ୍ଟିକ୍ ବ୍ୟାନ୍ : ଧରାପଡିଲେ ଲକ୍ଷେ ଟଙ୍କା ଜରିମନା ସହ ହୋଇପାରେ ୫ବର୍ଷ ପର୍ଯ୍ୟନ୍ତ ଜେଲ୍

Published By : Prameya-News7 Bureau | October 02, 2019 IST

ଭୁବନେଶ୍ବର ୨।୧୦: ଆଜିଠୁ ନୋ ପ୍ଲାଷ୍ଟିକ । ରାଜ୍ୟର ସମସ୍ତ ସହରାଞ୍ଚଳରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ବା ‘ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍' ବ୍ୟାନ୍ । କୌଣସି ବ୍ୟକ୍ତିବିଶେଷ ପ୍ଲାଷ୍ଟିକ୍ ପଲିଥିନ୍ ଆଦି ଉତ୍ପାଦନ ଓ ବିକ୍ରି କରିପାରିବେ ନାହିଁ । ପ୍ଲାଷ୍ଟିକ୍‌ରୁ ନିର୍ମିତ ଚାମଚ୍, କପ୍, ପ୍ଲେଟ୍, ଗ୍ଲାସ୍, ପାଉଚ୍ ଆଦି ବ୍ୟବହାର ଉପରେ କଟକଣା ଲଗାଯାଇଛି । ତେବେ କ୍ଷୀର ଓ ଏଥିରୁ ପ୍ରସ୍ତୁତ ସାମଗ୍ରୀ ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବ୍ୟବହୃତ ସିରିଞ୍ଜ, ମେଡିକାଲ ଇନଷ୍ଟ୍ରୁମେଣ୍ଟ ଓ ଅନ୍ୟ ସାମଗ୍ରୀ ପାଇଁ ଏହି କଟକଣା ଲାଗୁ ହେବନାହିଁ ବୋଲି ପରିବେଶ ବିଭାଗ ନିର୍ଦ୍ଦେଶକ କେ. ମୁରୁଗେସନ କହିଛନ୍ତି ।

ଆଧ୍ୟାତ୍ମିକସ୍ଥଳୀ, ହୋଟେଲ୍, ରେଷ୍ଟୁରାଣ୍ଟ୍ , କାଫେ, ଭ୍ରାମ୍ୟମାଣ ଖାଦ୍ୟ କାଉଣ୍ଟର, ବିବାହ ଉତ୍ସବ, ଅନୁଷ୍ଠାନ, କାର୍ଯ୍ୟାଳୟରେ ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍ ବ୍ୟବହାର ହେଲେ ସମ୍ପୃକ୍ତ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ସେଥିପାଇଁ ଦାୟୀ ରହିବେ । କୌଣସି ବ୍ୟକ୍ତି ବା ବ୍ୟବସାୟିକ ସଂସ୍ଥା ପଲିଥିନ୍ ପ୍ରସ୍ତୁତ କରିପାରିବେ ନାହିଁ ବା ବିକ୍ରି କରିପାରବେ ନାହିଁ । ଏଣିକି ୨୦୦ମିଲିଲିଟର ପାଣି ବୋତଲ ବ୍ୟବହାର କରିପାରିବେ ନାହିଁ । ୫୦ମାଇକ୍ରନରୁ କମ ପଲିଥିନ ସଂପୂର୍ଣ୍ଣ ନିଷିଦ୍ଧ କରାଯାଇଛି । ପୌରସଂସ୍ଥାର ଅଧିକାରୀମାନେ ଏ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ନିର୍ଦେଶ ଦିଆଯାଇଛି।

ପ୍ଲାଷ୍ଟିକ୍‌ର କିଭଳି ଉଚିତ୍ ପରିଚାଳନା ଓ ରିସାଇକଲ୍ କରାଯିବ ସେ ଦିଗରେ ପୌରସଂସ୍ଥା ପଦକ୍ଷେପ ନେବେ । ଜିଲ୍ଲାପାଳମାନେ ଅତିରିକ୍ତ ଜିଲ୍ଲାପାଳ, ଏସ୍‌ପି, ବନ ବିଭାଗ ଅଧିକାରୀ, ତହସିଲଦାର, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ, ପୌରସଂସ୍ଥାର ଅଧିକାରୀମାନଙ୍କୁ ନେଇ ଏକ ଟିମ୍ ଗଠନ କରିବେ। ଏହି ଟିମ୍ ସହରର ବିଭିନ୍ନ ସ୍ଥାନରେ ଚଢ଼ଉ କରି ପଲିଥିନ୍ ବ୍ୟବହାରକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.