କାଲିଠୁ ନୋ ପ୍ଲାଷ୍ଟିକ୍ : ବନ୍ଦ ହେବ ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍, ଧରାପଡିଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ

Published By : Prameya-News7 Bureau | October 01, 2019 IST

ଭୁବନେଶ୍ବର ୧|୧୦:  ଅକ୍ଟୋବର ୨ରୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ବନ୍ଦ ହେବ ‘ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍’ ବା ‘ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍’ । ଏ ନେଇ ରାଜ୍ୟ ସରକାର ଘୋଷଣା କରିଥିଲେ । ଏହାପରେ ଜଙ୍ଗଲ ଓ ପରିବେଶ ବିଭାଗ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛି । କୌଣସି ବ୍ୟକ୍ତିବିଶେଷ ପ୍ଲାଷ୍ଟିକ୍  ପଲିଥିନ୍ ଆଦି ଉତ୍ପାଦନ ଓ ବିକ୍ରି କରିପାରିବେ ନାହିଁ । ପ୍ଲାଷ୍ଟିକ୍ ରୁ ନିର୍ମିତ ଚାମଚ, କପ୍ , ପ୍ଲେଟ୍ , ଗ୍ଲାସ୍ , ପାଉଚ୍  ଆଦି ବ୍ୟବହାର ଉପରେ କଟକଣା ଲଗାଯାଇଛି ।

ଆଧ୍ୟାତ୍ମିକସ୍ଥଳୀ, ହୋଟେଲ୍ , ରେଷ୍ଟୁରାଣ୍ଟ୍ , କାଫେ, ଭ୍ରାମ୍ୟମାଣ ଖାଦ୍ୟ କାଉଣ୍ଟର, ବିବାହ ଉତ୍ସବ, ଅନୁଷ୍ଠାନ, କାର୍ଯ୍ୟାଳୟରେ ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍  ବ୍ୟବହାର ହେଲେ ସମ୍ପୃକ୍ତ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ସେଥିପାଇଁ ଦାୟୀ ରହିବେ । କୌଣସି ବ୍ୟକ୍ତି ବା ବ୍ୟବସାୟିକ ସଂସ୍ଥା ପଲିଥିନ୍ ପ୍ରସ୍ତୁତ କରିପାରିବେ ନାହିଁ ବା ବିକ୍ରି କରିପାରବେ ନାହିଁ । ଏଣିକି ୨୦୦ମିଲିଲିଟର ପାଣି ବୋତଲ ବ୍ୟବହାର କରିପାରିବେ ନାହିଁ । ୫୦ମାଇକ୍ରନରୁ କମ୍ ପଲିଥିନ୍ ସଂପୂର୍ଣ୍ଣ ନିଷିଦ୍ଧ କରାଯାଇଛି ।

ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ କାର୍ଯ୍ୟାନୁଷ୍ଠାନ ଦାୟିତ୍ବ ଦିଆଯାଇଛି । ପୌରସଂସ୍ଥାର ଅଧିକାରୀମାନେ ଏ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ଲାଷ୍ଟିକ୍ ର କିଭଳି ଉଚିତ୍ ପରିଚାଳନା ଓ ରିସାଇକଲ୍ କରାଯିବ ସେ ଦିଗରେ ପୌରସଂସ୍ଥା ପଦକ୍ଷେପ ନେବେ । ଜିଲ୍ଲାପାଳମାନେ ଅତିରିକ୍ତ ଜିଲ୍ଲାପାଳ, ଏସପି, ବନ ବିଭାଗ ଅଧିକାରୀ, ତହସିଲଦାର, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ, ପୌରସଂସ୍ଥାର ଅଧିକାରୀମାନଙ୍କୁ ନେଇ ଏକ ଟିମ୍ ଗଠନ କରିବେ। ଏହି ଟିମ୍  ସହରର ବିଭିନ୍ନ ସ୍ଥାନରେ ଚଢ଼ଉ କରି ପଲିଥିନ୍ ବ୍ୟବହାରକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.