ସିଙ୍ଘୁ ସୀମାରେ ଯୁବକଙ୍କୁ ହତ୍ୟା ଘଟଣା : ସୁପ୍ରିମକୋର୍ଟରେ ପହଁଚିଲା ମାମଲା

Published By : Prameya-News7 Bureau | October 16, 2021 IST

ଚଣ୍ଡିଗଡ, ୧୬/୧୦:   ସିଂଘୁ ସୀମାରେ ଜଣେ ୩୫ବର୍ଷୀୟ ଦଳିତ ଯୁବକଙ୍କୁ ହତ୍ୟା ଏବଂ ମୃତଦେହ ସହ ବର୍ବରତା ମାମଲା ଏବେ ସୁପ୍ରିମକୋର୍ଟ ପହଞ୍ଚିଛି । ସିଂଘୁସୀମା ଖାଲି କରିବାକୁ କୋର୍ଟରେ ଆବେଦନ କରାଯାଇଛି । କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ସିଂଘୁ ସୀମାରେ ଚାଷୀ ଆନ୍ଦୋଳନ ଚଳାଇଛନ୍ତି ।

ଆବେଦନକାରୀ ସ୍ୱାତି ଗୋଏଲ ଓ ସଞ୍ଜୀବ ନେବାରଙ୍କ ତରଫରୁ ଆଇନଜୀବୀ ଶଶାଙ୍କ ଶେଖର ଝା ଅନେଇ କୋର୍ଟରେ ଆବେଦନ କରିଛନ୍ତି । ଏଥିରେ ସେ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ କୃଷି ଆଇନକୁ କୃଷକ ଖୋଲାଖୋଲି ଭାବେ ବିରୋଧ କରୁଛନ୍ତି । ତେଣୁ ଲୋକଙ୍କ ଜୀବନ ପ୍ରତି ବିପଦ ରହିଛି । ଆନ୍ଦୋଳନ ପାଇଁ ଅନେକ ଅମାନବୀୟ ଘଟଣା ଘଟୁଛି ।

ଆବେଦନକାରୀ ଶଶାଙ୍କ କହିଛନ୍ତି ଯେ, ଅନେକ ରିଟ୍ ଆବେଦନର ଶୁଣାଣି ଘୁଞ୍ଚି ଘୁଞ୍ଚି ଯାଉଛି ଯ ଏହି ମାମଲା ବ୍ୟାପକ ଜନହିତ ସହ ଜଡିତ ଅଟେ । ତେଣୁ ମାମଲାର ତୁରନ୍ତ ଶୁଣାଣି ହେବା ଆବଶ୍ୟକ ।


ସିଙ୍ଘୁ ସୀମାରେ ଘଟିଥିବା ଜଘନ୍ୟ ହତ୍ୟାକାଣ୍ଡ ଏବେ ସାରା ଭାରତରେ ଚର୍ଚ୍ଚାର କାରଣ ସାଜିଛି । ଏହାର ମୁଖ୍ୟ ଅଭିଯୁକ୍ତ ନିହଙ୍ଗ ଶିଖ ସରବଜିତ ସିଂ ହରିୟାଣା ପୋଲିସଙ୍କ ନିକଟରେ ଆତ୍ମ ସମର୍ପଣ କରିଛନ୍ତି । ପୋଲିସ ତାଙ୍କୁ ଗିରଫ କରି ଡାକ୍ତରୀ ପରୀକ୍ଷା ପାଇଁ ପଠାଇଛି ।

ସୂଚନାଯୋଗ୍ୟ, ଶୁକ୍ରବାର ସକାଳେ ୩୫ ବର୍ଷୀୟ ଲଖବୀର ପବିତ୍ର ଗ୍ରନ୍ଥର ଅପମାନ କରିବାରୁ ତାଙ୍କୁ ହତ୍ୟା କରାଯାଇଥିଲା ।
ପୋଲିସ ଅଭିଯୁକ୍ତଙ୍କୁ ଖୋଜୁଥିବା ବେଳେ ସେ ଆତ୍ମ ସମର୍ପଣ କରିଛନ୍ତି । ଏହି ହତ୍ୟା ଘଟଣାକୁ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ନିନ୍ଦା କରାଯାଇଛି । ଅପରପକ୍ଷରେ ଆମ ଧର୍ମଗ୍ରନ୍ଥକୁ ଯିଏ ବି ଅପମାନ କରିବ ତାକୁ ଏ ଭଳି ସଜା ଦିଆଯିବ ବୋଲି ନିହଙ୍ଗ ଧାର୍ମିକ ଅନୁଷ୍ଠାନ ପକ୍ଷରୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.