ସ୍ୱାସ୍ଥ୍ୟ ପାସ୍‌ ପାଇଁ ଜାଣି ଜାଣି କରୋନାରେ ସଂକ୍ରମିତ ହୋଇଥିଲେ କଣ୍ଠଶିଳ୍ପୀ, ଚାଲିଗଲା ଜୀବନ

Published By : Prameya-News7 Bureau | January 20, 2022 IST

ନୂଆଦିଲ୍ଲୀ, ୨୦।୦୧: ଅଜବ ମନବୃତ୍ତି ପାଇଁ ଜୀବନ ଚାଲିଗଲା। ଟିକା ଉପରେ ଭରସା ନଥିଲା, ଆଉ ଜାଣି ଜାଣି କରୋନାରେ ଆକ୍ରାନ୍ତ ହେଲେ। ଆଉ ଶେଷରେ ଏମିତି ପରିଣତି। ଟିକାକୁ ବିରୋଧ କରୁଥିବା ଆଣ୍ଟି-ଭ୍ୟାକ୍ସ ଚେକର ପ୍ରସିଦ୍ଧ ଗାୟୀକା ହାନା ହୋର୍କା କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି। ସ୍ୱାସ୍ଥ୍ୟ ପାସ୍ ପାଇଁ ଜାଣିଶୁଣି ସେ କରୋନାରେ ନିଜକୁ ସଂକ୍ରମିତ କରାଇଥିଲେ।

ନିୟମ ଅନୁଯାୟୀ, ଯେଉଁମାନେ ଟିକା ନେଇଥିବେ କିମ୍ବା ନିକଟରେ କରୋନାରେ ଆକ୍ରାନ୍ତ ହୋଇଥିବେ ସେମାନଙ୍କୁ ସରକାର ସ୍ୱାସ୍ଥ୍ୟ ପାସ୍ ଦେବେ। ସ୍ୱାସ୍ଥ୍ୟ ପାସ୍ ଦ୍ୱାରା ହାନା ସଉନା ଓ ଥିଏଟରକୁ ପ୍ରବେଶ କରିବେ ବୋଲି ଆଶା ରଖିଥିଲେ। ହେଲେ ଟିକା ବଦଳରେ କରୋନାରେ ସଂକ୍ରମିତ ହେବାକୁ ଅଧିକ ପସନ୍ଦ କରିଥିଲେ। ଆଉ ଏହି ପାସ୍ ଲୋଭ ତାଙ୍କ ଜୀବନ ନେଇଛି।

ଖ୍ରୀଷ୍ଟମାସ ପୂର୍ବରୁ ତାଙ୍କ ସ୍ୱାମୀ ଓ ପୁଅ ଉଭୟ କରୋନାରେ ଆକ୍ରାନ୍ତ ହୋଇଥିଲେ। ଉଭୟ ଟିକା ନେଇଥିବାରୁ ବେଶୀ ଗୁରୁତର ହୋଇ ନଥିଲେ। ସ୍ୱାମୀ ଓ ପୁଅ ପଜିଟିଭ ହୋଇଥିବା ସତ୍ତ୍ୱେ ଟିକା ନେଇ ନଥିବା ହାନା ସେମାନଙ୍କ ସହ ସ୍ୱାଭାବିକ ଭାବେ ସମୟ କାଟିଥିଲେ। ଏହି ସମୟରେ ସେ ଜାଣିଶୁଣି ନିଜକୁ କରୋନା ଦ୍ୱାରା ସଂକ୍ରମିତ କରାଇଥିଲେ। ଏହାପରେ ସେ ଗୁରୁତର ହେବା ସହ ରବିବାର ସବୁଦିନ ପାଇଁ ଆଖି ବୁଜିଛନ୍ତି।

ମୃତ୍ୟୁର ଦୁଇ ଦିନ ପୂର୍ବରୁ ହାନା ସୋଶାଲ ମିଡିଆରେ ଗୋଟିଏ ପୋଷ୍ଟ କରିଥିଲେ। ଏଥିରେ ସେ ଲେଖିଥିଲେ ଯେ “ମୁଁ ବଞ୍ଚିଛି। ମୁଁ ସଂକ୍ରମିତ। ସୁସ୍ଥ ହେବା ପରେ ମୁଁ ଥିଏଟର, ବିଭିନ୍ନ କାର୍ଯ୍ୟକ୍ରମ, ବାର ଓ କ୍ଲବକୁ ଯିବା ପାଇଁ ପାସ୍ ପାଇବି। ଏଥିସହ ସମୁଦ୍ରରେ ମଧ୍ୟ ଭ୍ରମଣ କରିବି।” ହାନାଙ୍କ ପୁଅ ଜାନ ରେକ କହିଛନ୍ତି, ହାନା ରବିବାର ପ୍ରାଣ ହରାଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୭ ବର୍ଷ ବୟସ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.