ଫ୍ୟାନ୍ସ-ସ୍ୱପ୍ନ-ପରିବାରକୁ ଛାଡି ଚାଲିଗଲେ ବଲିଉଡ଼ର ଧ୍ରୁବ ତାରା, ସୁଶାନ୍ତଙ୍କ ଜନ୍ମଦିନରେ ମନେ ପକାଉଛନ୍ତି ପ୍ରଶଂସକ

Published By : Prameya-News7 Bureau | January 21, 2021 IST

ମୁମ୍ବାଇ ୨୧।୦୧: ଜାନୁଆରୀ ୨୧ ମାନେ ଆଜି ଏମିତି ଏକ ଫିଲ୍ମ ଷ୍ଟାରର ଜନ୍ମଦିନ , ଯିଏକି ଏବେ ଏହି ଦୁନିଆ ଆଉ ନାହିଁ । ଗତ ବର୍ଷ ଜୁନ୍‌ ୧୪ରେ ନିଜ ଘରେ ଥିବା ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଥିଲେ । ଯାହାପରେ ବଲିଉଡ଼ରେ ଏକ ଦୁଃଖର ମାହୋଲ ସୃଷ୍ଟି ହୋଇଯାଇଥିଲା । ସେ ଅଭିନେତା ଜଣଙ୍କ ଆଉ କେହି ନୁହେଁ, ସେ ସମସ୍ତଙ୍କର ପ୍ରିୟ ଅଭିନେତା ସୁଶାନ୍ତ ସିଂହ ରାଜପୁତ । ଆଜି ଏହି ଉଦୀୟମାନ ଅଭିନେତାଙ୍କ ଜନ୍ମଦିନ । ଯାହାଙ୍କୁ ଅଗଣିତ ଫ୍ୟାନ୍ସମାନେ ଖୁବ୍‌ ମନେ ପକାଉଛନ୍ତି । ଏପରିକି ସୋସିଆଲ୍‌ ମିଡିଆରେ ଓ୍ୱାନ୍‌ ଡେ ଫ୍‌ ସୁଶାନ୍ତ ନାଁର ଟ୍ରେଣ୍ଡ ମଧ୍ୟ କରୁଛି ।

୧୯୮୬ ମସିହାର ଜାନୁଆରୀ ୧୨ତାରିଖରେ ବିହାରର ପାଟନାରେ ସୁଶାନ୍ତଙ୍କ ଜନ୍ମ । ମହାକାଶଚାରୀ ହେବାକୁ ସ୍ୱପ୍ନ ଦେଖିଥିବା ସୁଶାନ୍ତ, କିନ୍ତୁ ପରେ ପାଲଟିଗଲେ ବଲିଉଡର ହିରୋ ।  ସୁଶାନ୍ତ ପ୍ରଥମେ ଟିଭିରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ସେ ପ୍ରଥମେ ‘କିସ ଦେଶ ମେଁ ହେ ମେରା ଦିଲ’ ଧାରାବାହିକରୁ ତାଙ୍କର ଅଭିନୟ ଆରମ୍ଭ କରିଥିଲେ। କିନ୍ତୁ ପ୍ରଯୋଜକ ଏକତା କପୁରଙ୍କ ସିରିଏଲ୍‌ ପବିତ୍ର ରିସ୍ତା ଖୁବ୍‌ ପରିଚୟ ଦେଇଥିଲା । ଘରେ ଘରେ ମାନବ ନାଁର ପରିଚିତ ହୋଇଥିଲେ ସୁଶାନ୍ତ । ଏହା ପରେ ସେ ଫିଲ୍ମ ଜଗତରେ ପାଦ ଥାପିଥିଲେ। ସୁଶାନ୍ତ ବଲିଉଡରେ ଜଣେ ଲୋକପ୍ରିୟ ଅଭିନେତା ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।

ପ୍ରଥମ ଫିଲ୍ମ କାଇ ପୋ ଚେରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସୁଶାନ୍ତ । ଏହି ଫିଲ୍ମରେ  ତାଙ୍କ ଅଭିନୟକୁ ଖୁବ୍‌ ପ୍ରଶଂସା ମିଳିଥିଲା। ଏହାପରେ ସୁଶାନ୍ତ ଶୁଦ୍ଧ ଦେଶୀ ରୋମାନ୍ସରେ ଅଭିନେତ୍ରୀ ବାଣୀ କପୁର ଏବଂ ପରିଣୀତି ଚୋପ୍ରାଙ୍କ ସହ ନଜର ଅଭିନୟ କରିଥିଲେ । କିନ୍ତୁ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ନେଇ ହୋଇଥିବା ଫିଲ୍ମ, ତାଙ୍କୁ ଖୁବ୍‌ ଚର୍ଚ୍ଚିତ କରିଥିଲା । ଏହି ଫିଲ୍ମରେ ତାଙ୍କ ଅଭିନୟ ଲୋକଙ୍କୁ ଖୁବ୍‌ ଭଲ ଲାଗିଥିଲା । ଯାହାଫଳରେ କି ଫିଲ୍ମଟି ବକ୍ସ ଅଫିସରେ ମଧ୍ୟ ଭଲ ବ୍ୟବସାୟ କରିଥିଲା ।

 ସୁଶାନ୍ତଙ୍କ ଫିଲ୍ମ କ୍ୟାରିୟରର  ଧୋନି-ଦି ଅନଟୋଲ୍ଡ ଷ୍ଟୋରି ପ୍ରଥମ ଫିଲ୍ମ ଥିଲା,  ଯାହା ଶହେ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ କରିଥିଲା । ଏହାବ୍ୟତୀତ ସୁଶାନ୍ତ ସୋନଚିଡ଼ିଆ, ରବ୍‌ତା, କେଦାରନାଥ ଏବଂ ଛିଛୋରେ ଭଳି ଅନେକ ଫିଲ୍ମରେ ନଜର ଆସିଥିଲେ। ସୁଶାନ୍ତ ବଲିଉଡ଼ରେ ଜଣେ ଉଦୀୟମାନ କଳାକାର ଥିଲେ । ତାଙ୍କର ଦମ୍‌ଦାର ଅଭିନୟ ଲାଗି ବଲିଉଡ଼ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । କିନ୍ତୁ ତାଙ୍କର ଏପରି ଅକାଳ ବିୟୋଗ ସମସ୍ତଙ୍କୁ ଚକିତ କରିଦେଇଥିଲା । ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ଫିଲ୍ମ ‘ଦିଲ୍‌ ବିଚେରା’, ଶେଷ ଫିଲ୍ମ ଭାବେ OTT ପ୍ଲାଟଫର୍ମୀରେ ରିଲିଜ ହୋଇଥିଲା ।

ତେବେ ସୁଶାନ୍ତ କଣ ପାଇଁ ଆତ୍ମହତ୍ୟା କଲେ , ତାହା ବର୍ତ୍ତମାନ ପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନାହିଁ । ଘଟଣାରେ ମହାରାଷ୍ଟ୍ର ପୋଲିସର ତଦନ୍ତ ପରେ ସିବିଆଇ ମଧ୍ୟ ଛାନ୍‌ଭିନ୍‌ କରୁଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସଠିକ୍‌ କାରଣରେ ସିବିଆଇ ପହଞ୍ଚିପାରିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.