ମଞ୍ଚରେ ଗାଉଥିଲେ ଏବେ ମାଛ ବିକୁଛନ୍ତି, ଲକଡାଉନରେ ଗାୟକଙ୍କ ବୃତ୍ତି ଏବେ ଭିନ୍ନ

Published By : Prameya-News7 Bureau | May 23, 2020 IST

ଭଦ୍ରକ, ୨୩|୦୫: ସମୟ ବଡ ବଳବାନ । କେତେବେଳେ କାହାକୁ , କେମିତି ସ୍ଥାନରେ ରଖିବ ସେ କଥାର କୌଣସି କଳନା ନାହିଁ । ଆଉ ଏହି କରୋନା ର କଟକଣା ପାଇଁ ଏବେ ଜଣେ କଳାକାର ପାଲଟିଛି ମାଛବାଲା । ସେଥି ପାଇଁ କେହି ଜଣେ କହିଛନ୍ତି । ପଚାରନା ପଚାରନା କଳାକାରର ଯନ୍ତ୍ରଣା । କେମିତି ବଞ୍ଚିଛି ସିଏ ତାକୁ ଏକା ଜଣା । ହସି ହସି କରେ ସଭିଙ୍କୁ ଆପଣା । ପାଇନାହିଁ କେବେ ତାର  ମାନଲାଖି ପାଉଣା । ଯେମିତିବି ବଞ୍ଚିଥିଲା ମାରିଦେଲା କରୋନା । ଆସନ୍ତୁ ଦେଖିବା ଭଦ୍ରକ ଜିଲ୍ଲାରୁ ଏହି ରିପୋର୍ଟ କେମିତି କାରୋନାର ଯନ୍ତ୍ରଣା ଜଣେ କଣ୍ଠଶିଳ୍ପୀରୁ କରିଦେଇଛି ମାଛବାଲା ।

ରଙ୍ଗୀନ ରଙ୍ଗ ମଞ୍ଚ ,  ଝିକମିକ ଆଲୁଅ । ଗ୍ରୀନରୁମରୁ ମୁହଁ ରେ ପାଉଡର ମାଖି ବାହାରି ଆସନ୍ତି ଷ୍ଟେଜକୁ । ହାତରେ ମାଇକ୍ ଆଉ କଣ୍ଠରେ ଗୀତ । ରାତି ରାତି ଅନିଦ୍ରା ହୋଇ ଦର୍ଶକ ଙ୍କୁ ମତୁଆଲା କରନ୍ତି । ଏମିତି ଜଣେ କଣ୍ଠଶିଳ୍ପୀ ହେଲେ ଭଦ୍ରକ ଜିଲ୍ଲାର କୁମାର ଗୌତମ । ଘର ବନ୍ତ ବ୍ଲକ ଆଗରପଡା ହରିପୂର । ବୟସ ମାତ୍ର ୧୮ । ସଂଗୀତ ର ନିଶା ଏତେ ଯେ , ପାଠ ପଢା ଛାଡି ପଳାଇଲେ ଯାତ୍ରା ଦୁନିଆକୁ । ବିବାହ ପରେ ଉଭୟ ସ୍ଵାମୀ ଓ ସ୍ତ୍ରୀ ମଧ୍ୟ ଯାତ୍ରା ପାର୍ଟି ରେ ଗୀତ ଗାଇଲେ । ଶେଷ ରେ ଯାତ୍ରା ଛାଡି ଆରମ୍ଭ କଲେ ମେଲୋଡି ଟିମ । ଖୁବ କମ ଦିନ ରେ ୩୦ ରୁ ଅଧିକ କଳାକାରଙ୍କୁ ନେଇ ଦୁଇଟି  ମେଲୋଡି ପାର୍ଟି ଗଢିଲେ । ବେପାର ଆରମ୍ଭ ହୋଇଛି କି ନୁହଁ ଆରମ୍ଭ ହେଲା କାରୋନା ମହାମାରୀ । ସବୁ ବନ୍ଦ , କଳାକାର ଘରକୁ ଫେରିଲେ । ଏମିତି ବେଳେ ବାପା , ମା ଓ ପେଟପାଟଣା କଥା ଭାବି ଆରମ୍ଭ କଲେ ମାଛ ବେପାର । ଭଦ୍ରକ ସହରର ବନ୍ତ ଛକ ନିକଟ ରେ ରାସ୍ତା କଡ ରେ ଖୋଲିଛନ୍ତି ଦୋକାନ । 

ଯେଉଁ ହାତ ରେ ମାଇକ ଥିଲା । ସେହି ହାତ ଏବେ ମାଛ ଧରିଛି । ଆଉ ଗୀତ ଗାଉଥିବା କଣ୍ଠ ଏବେ ପାଦଚଲା ଲୋକଙ୍କୁ ଡାକି ଡାକି କହୁଛି ମାଛ ନିଅ ମାଛ । ବେପାର ପାଇଁ ଖୋଲିଥିବା ଦୋକାନ ପାଖରେ ରଖିଛନ୍ତି ସାନିଟାଇଜର । ଗ୍ରାହକ ଙ୍କୁ ମଧ୍ୟ ସଚେତନ କରୁଛନ୍ତି ।  ଆଉ ଲୋକେ ମଧ୍ୟ ତାଙ୍କ ଦୋକାନରୁ ମାଛ ନେବାକୁ ବେଶ ଆଗ୍ରହୀ । ପଡୋଶୀ କୁହନ୍ତି ଏଇଠି ପ୍ରତ୍ୟକ ଦିନ ପ୍ଲାକ୍ଟିସ୍ କରାଯାଏ । ବହୁ ପିଲା ଆସନ୍ତି । ଗୀତ ଗାଆନ୍ତି । ଏମିତି ସମୟରେ ସେମାନେ ମଧ୍ୟ ନିଜ ସାଙ୍ଗ ସାଥିଙ୍କୁ କହୁଛନ୍ତି ତାଙ୍କ ପାଖରୁ ହିଁ ମାଛ ନିଅ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.