କରୋନା ସଂକ୍ରମିତ ହେବା ପୂର୍ବରୁ କନିକା କପୁର ରହିଥିଲେ ସେହି ହୋଟେଲରେ, ଯେଉଁଠି ରହିଥିଲେ ଦ. ଆଫ୍ରିକା କ୍ରିକେଟ୍ ଦଳ

Published By : Prameya-News7 Bureau | March 22, 2020 IST

ନୂଆଦିଲ୍ଲୀ ୨୨।୦୩:  ବଲିଉଡର ପ୍ରଚ୍ଛଦପଟ୍ଟ ଗାୟିକା କନିକା କପୁର କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଦଳର ସମସ୍ୟା ବଢିପାରେ। କାରଣ ଏହି ଗାୟିକା ଲକ୍ଷ୍ନୌର ଯେଉଁ ପଞ୍ଚତାରକା ହୋଟେଲରେ ଥିଲେ, ସେଠାରେ ଦକ୍ଷିଣ ଆଫ୍ରିକା ଦଳ ଦ୍ଵିତୀୟ ଦିନିକିଆ ପାଇଁ ରହିଥିଲେ। ମାତ୍ର କୋଭିଡ-୧୯ କରୋନା ଭାଇରସ୍ କାରଣରୁ ଦିନିକିଆ ଶୃଙ୍ଖଳା ମଝିରେ ବାତିଲ୍ ହୋଇ ଯାଇଥିଲା। ଏହା ପରେ ଭ୍ରମଣକାରୀ ଦଳ ସ୍ଵଦେଶ ଫେରି ଯାଇଥିଲେ। ସେଠାରେ ସମସ୍ତ ଖେଳାଳିଙ୍କୁ ୧୪  ଦିନ ପାଇଁ ସେଲ୍‌ଫ କ୍ଵାରେଣ୍ଟାଇନରେ ରଖାଯାଇଛି।

ମିଡିଆ ରିପୋର୍ଟ ମୁତାବକ, କନିକା ମାର୍ଚ୍ଚ ୧୪ ରୁ ୧୬ ମଧ୍ୟରେ ହୋଟେଲରେ ରହିଥିଲେ। ଏହି ସମୟରେ ସେ ହୋଟେଲର ଲବିରେ ଡିନର ମଧ୍ୟ କରିଥିଲେ। ଅନେକ ଅତିଥିଙ୍କୁ ମଧ୍ୟ ଭେଟିଥିଲେ। ଏହା ପରଠୁ ଉତ୍ତର ପ୍ରଦେଶର ସ୍ଵାସ୍ଥ୍ୟ ବିଭାଗ ଦଳ ହୋଟେଲର ସିସିଟିଭି ଫୁଟେଜ୍ ଓ ଭିଡିଓ ରେକର୍ଡକୁ ନେଇ ଲୋକଙ୍କୁ ଚିହ୍ନଟ କରୁଛି। ଏହା ବ୍ୟତୀତ ସ୍ଵାସ୍ଥ୍ୟ ବିଭାଗ କନିକାଙ୍କ ଘର ଆଖପାଖରେ ରହୁଥିବା ୨୨ ହଜାର  ଲୋକଙ୍କ ସ୍କ୍ରିନିଂ ମଧ୍ୟ କରିଛନ୍ତି।

କନିକା ମାର୍ଚ୍ଚ ୯ରେ ଲଣ୍ଡନରୁ ଫେରିଥିଲେ। ଏହା ପରେ ସେ ଲକ୍ଷ୍ନୌର ମହାନଗର ସ୍ଥିତ ଏକ ଆର୍ପାଟମେଣ୍ଟରେ ରହିଥିଲେ। ସେଠାରେ ୭୦୦ ପରିବାର ମଧ୍ୟ ରହୁଛନ୍ତି। କନିକା ତାଜ୍ ହୋଟେଲରେ ଆୟୋଜିତ ପାର୍ଟିରେ ମଧ୍ୟ ସାମିଲ ହୋଇଥିଲେ। ମାର୍ଚ୍ଚ ୧୫ରେ ଏହି ପାର୍ଟି କଂଗ୍ରେସର ପୂର୍ବତନ ସାଂସଦ ଜିତିନ ପ୍ରସାଦଙ୍କ ଶ୍ଵଶୁର ଆଦେଶ ସେଠ୍ ଆୟୋଜନ କରିଥିଲେ। ଏହି ପାର୍ଟିରେ କନିକାଙ୍କ ସହିତ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ, ତାଙ୍କ ପୁତ୍ର ସାଂସଦ ଦୁଷ୍ୟନ୍ତ ସିଂହ, ଉତ୍ତର ପ୍ରଦେଶର ସ୍ଵାସ୍ଥ୍ୟ ମନ୍ତ୍ରୀ ଜୟ ପ୍ରତାପ ସମେତ ଅନେକ ଲୋକ ଉପସ୍ଥିତ ଥିଲେ। ଏଥିରୁ ୪୫ ଜଣଙ୍କ ରିପୋର୍ଟ ନେଗେଟିଭ୍ ଆସିଥିବା ବେଳେ ଅନେକଙ୍କ ରିପୋର୍ଟ ଆସିବା ବାକି ରହିଛି। ତିନି ନେତା ନିଜକୁ ଆଇସୋଲେସନରେ ରଖିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.