ସୋନୁ ସୁଦଙ୍କୁ ବଡ ଉପହାର, ପ୍ରବାସୀ ରୋଜଗାରରେ ୨୫୦ କୋଟି ଟଙ୍କା ନିବେଶ କରିବ ସିଙ୍ଗାପୁର କମ୍ପାନୀ ଟେମାସେକ୍

Published By : Prameya-News7 Bureau | November 26, 2020 IST

ନୂଆଦିଲ୍ଲୀ,୨୬|୧୧: ସିଙ୍ଗାପୁରର କମ୍ପାନୀ ଗୁଡ୍ ଓ୍ୱାର୍କର୍ ବଲିଉଡ୍ ଅଭିନେତା ସୋନୁ ସୁଦ ଓ ଧନ୍ଦାମୂଳକ ଶିକ୍ଷା ପ୍ରଦାନକାରୀ ସଂସ୍ଥା ସ୍କୁଲ୍ ନେଟ୍ ମିଳିତ ଭାବେ ଏକ ରାଜିନାମା ସ୍ୱାକ୍ଷର କରିଛନ୍ତି । ଗୁଡ୍ ଓ୍ୱାର୍କର ପ୍ରବାସୀ ଶ୍ରମିକଙ୍କ ରୋଜଗାର ଓ ତାଲିମ ପାଇଁ ୨୫୦ କୋଟି ଟଙ୍କା ନିବେଶ କରିବେ । ଏହା ଦ୍ୱାରା ଦେଶର ପ୍ରାୟ ୧୦ ଲକ୍ଷ ପ୍ରବାସୀ ଶ୍ରମିକ ଉପକୃତ ହେବେ ବୋଲି ଲକ୍ଷ୍ୟ ରଖାଯାଇଛି । ଏହି ଶ୍ରମିକଙ୍କୁ ରୋଜଗାର ମିଳିବା ସହ ଦକ୍ଷତା ବିକାଶ ଦିଗରେ ମଧ୍ୟ କାମ କରାଯିବ ।

ଗୁଡ୍ ଓ୍ୱାର୍କର ବୋର୍ଡ ମେମ୍ବର ପ୍ରଦ୍ୟୁମ୍ନ ଅଗ୍ରଓ୍ୱାଲ କହିଛନ୍ତି ଯେ, ସେମାନେ ପୂର୍ବରୁ ମଧ୍ୟ ଭାରତରେ ନିବେଶ କରିବା ପାଇଁ ଯୋଜନା କରିଥିଲେ । ପରେ ସେମାନେ ସୋନୁ ସୁଦଙ୍କ ପ୍ରବାସୀ ରୋଜଗାର ଓ ସ୍କୁଲ ନେଟ୍‌ର ସଂସ୍ପର୍ଶରେ ଆସିଥିଲେ । ଏହି ଦୁଇ ସଂସ୍ଥା ୪୦୦ ଜିଲ୍ଲାରେ କାମ କରିଛନ୍ତି । ଏହାକୁ ଆହୁରି ତ୍ୱରାନ୍ୱିତ କରିବାକୁ ଗୁଡ ଓ୍ୱାର୍କର ସୋନୁ ସୁଦଙ୍କ ସହ କାମ କରିବ । ପ୍ରଯୁକ୍ତିବିଦ୍ୟା ପ୍ରୟୋଗ କରି କିପରି ଉପଯୁକ୍ତ ଦକ୍ଷତା ବିକାଶ କରାଯିବ ସେନେଇ ମଧ୍ୟ ଫୋକସ୍ କରାଯିବ । ଗୁଡ୍ ଓ୍ୱାର୍କର ହେଉଛି ସିଙ୍ଗାପୁରର ଏକ କମ୍ପାନୀ । ଏହାର ମୂଳ କମ୍ପାନୀ ହେଉଛି ଟେମାସେକ୍ ।

ସୂଚନାଯୋଗ୍ୟ ପ୍ରବାସୀ ରୋଜଗାର ସୋନୁ ସୁଦଙ୍କ ଦ୍ୱାରା ଜୁଲାଇ ୨୦୨୦ରେ ଆରମ୍ଭ ହୋଇଥିଲା । ଏହି ପୋର୍ଟାଲରେ ଚାକିରୀ ଖୋଜୁଥିବା ପ୍ରାର୍ଥୀ ସେମାନଙ୍କ ଦକ୍ଷଚା ଅନୁସାରେ ରୋଜଗାର ପାଇଥିଲେ । ମୁଖ୍ୟତଃ କରୋନା ପାଇଁ ରୋଜଗାର ହରାଇଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ ଏହା ପ୍ରସ୍ତୁତ ହୋଇଥିଲା ।

ଗତ ୪ ମାସରେ ଏହି ପୋର୍ଟାଲ ଦ୍ୱାରା ପ୍ରାୟ ୧୦ ଲକ୍ଷରୁ ଅଧିକ ପ୍ରବାସୀ ଶ୍ରମିକ ଉପକୃତ ହୋଇଛନ୍ତି । ଏବେ ଗୁଡ୍ ଓ୍ୱାର୍କର ସହ ସହଭାଗୀତା ପରେ ଅଧିକରୁ ଅଧିକ ଲୋକଙ୍କୁ ରୋଜଗାର ମିଳିବା ସହ ଦକ୍ଷତା ବିକାଶ ହୋଇପାରିବ ବୋଲି ଆଶା ରଖିଛନ୍ତି ସୋନୁ ସୁଦ୍ । ଏପରିକି ପ୍ରବାସୀ ଶ୍ରମିକମାନେ ଏକ ସୁସ୍ଥ ବାତାବରଣରେ କାମ କରିପାରିବେ । ୨୦୨୧ ଆରମ୍ଭରୁ ଏହା କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.