ସିନ୍ଦୁର ଖେଳରେ ମାଆଙ୍କୁ ମେଲାଣି

Published By : Prameya-News7 Bureau | October 08, 2019 IST

ଭୁବନେଶ୍ୱର/ପୁରୀ/କଟକ/ବାଲେଶ୍ୱର- ବିଜୟୀ ଦଶମୀ ପରେ ଧରାପୃଷ୍ଠରୁ ବିଦାୟ ନେବେ ମାଆ । ଶେଷ ପର୍ୟ୍ୟାୟେର ପୂଜା ମଣ୍ଡପରେ ଆଜି ସିନ୍ଦୁର ଖେଳ ଅନୁଷ୍ଠିତ ହୋଇଛି । ଆକର୍ଷଣୀୟ ବଙ୍ଗୀୟ ପରଂପରାର ଝଲକ ଦେଖିବାକୁ ମିଳିଛି ବିଭିନ୍ନ ସ୍ଥାନରେ । ସ୍ୱାମୀ ଓ ପରିବାରର ମଙ୍ଗଳ ମନାସି ମାଆ ଦଶଭୂଜାଙ୍କୁ ସିନ୍ଦୁର ଦାନ ପରେ ମହିଳାମାନେ ପରସ୍ପରକୁ ସିନ୍ଦୁର ବୋଲି ଖୁସି ମନାଇଛନ୍ତି ।

ମେଲାଣି ନେବେ ମାଆ । ଏଥିପାଇଁ ମନରେ ଦୁଃଖ ରହିଛି, ଏହାରି ଭିତରେ ବି ଆନନ୍ଦ ଉଲ୍ଲାସ । ଚାଲିଛି ନାଚ ଗୀତ ସାଙ୍ଗକୁ ସିନ୍ଦୁର ଖେଳ । ବିଜୟା ଦଶମୀ ଅର୍ଥାତ୍ ଦଶହରାର ଶେଷ ପର୍ବରେ ବଙ୍ଗୀୟ ମହିଳାଙ୍କ ସିନ୍ଦୁର ଖେଳିଛନ୍ତି । ବିଦାୟ ବେଳାରେ ମାଆଙ୍କୁ ଅଳତା ସିନ୍ଦୁର ଅର୍ପଣ ପରେ ପରସ୍ପରକୁ ସିନ୍ଦୁର ବୋଳି ଶୁଭକାମନା ଜଣାଇଛନ୍ତି । ପଶ୍ଚିମ ବଙ୍ଗର ଅଧିକାଂଶ ପୂଜା ମଣ୍ଡପରେ ବେଶ୍ ଧୁମ୍ ଧାମ୍ ରେ ପାଳିତ ହୋଇଛି ଏ ପରମ୍ପରା । ଦୀର୍ଘ ୪ ଶହ ବର୍ଷ ହେଲା ପାଳିତ ହୋଇ ଆସୁଛି ଏ ବେଙ୍ଗଲି ପରମ୍ପରାର ।

ଏ ଦୃଶ୍ୟ ବାଲେଶ୍ବରର । ପଶ୍ଚିମବଙ୍ଗକୁ ଲାଗିଥିବାରୁ ଏଠି ବି ଜମିଛି ସିନ୍ଦୁରଖେଳ । ଶାସ୍ତ୍ରବିଧି ଅନୁସାରେ ଦେବୀଙ୍କ ବିସର୍ଜନ ପରେ ବିଭିନ୍ନ ମଣ୍ଡପରେ ଆରମ୍ଭ ହୋଇଥିଲା ସିନ୍ଦୂର ଖେଳ । ସୁଏଲପୁର, ବଟେଶ୍ବର, ନୂଆବଜାର ସାରଥୀ ସଂଘ ମଣ୍ଡପରେ ସିନ୍ଦୁର ଖେଳ ହୋଇଛି । ମହିଳାମାନେ ଏକତ୍ରିତ ହୋଇ ସାମୂହିକ ଭାବେ ମାଆଙ୍କୁ ବନ୍ଦାପନା କରିବା ପରେ ପରସ୍ପରକୁ ସିନ୍ଦୁର ବୋଳି ମିଠା ଖୁଆଇଥିଲେ ।

ଏ ଦୃଶ୍ୟ ଥିଲା ସୋରର । ମାଆଙ୍କୁ  ବିଦାୟ ପର୍ବରେ ଅଳତା ସିନ୍ଦୁର ଦେଉଛନ୍ତି ମହିଳା । ମାଆଙ୍କ ନିକଟରେ ଅର୍ପଣ ପରେ ମହିଳାମାନେ ପରମ୍ପରକୁ ସିନ୍ଦୁର ବୋଳି ଶୁଭକାମନା ଜଣାଉଛନ୍ତି । ସୋରରେ୪୧ ବର୍ଷଧରି ଏ ପରମ୍ପରା ପାଳିତ ହୋଇ ଆସୁଛି ।

ପୁରୀରେ ପ୍ରବାସୀ ବଙ୍ଗୀୟ ବେଶ୍ ଆନନ୍ଦ ଉତ୍ସାହର ସହ ସିନ୍ଦୁର ଖେଳିଛନ୍ତି । ୯୨ ବର୍ଷ ଧରି ଦୁର୍ଗାବାଡ଼ି ସମିତି ପକ୍ଷରୁ ଏ ପରମ୍ପରା ପାଳିତ ହୋଇ ଆସୁଛି । ପୁରୀରେ ରହୁଥିବା ଶହ ଶହ ବଙ୍ଗୀୟ ପରିବାର ଏକାଠି ହୋଇ ଜଗତଜନନୀ ମାଆ ଦୁର୍ଗାଙ୍କୁ ପୂଜା କରିବା ସହ ପରିବାରର ମଙ୍ଗଳ ମନାସି ମାଆଙ୍କୁ ସିନ୍ଦୁର ଦାନ କରିଛନ୍ତି ।

କଟକର ବିଭିନ୍ନ ମଣ୍ଡପରେ ବି ଦେଖିବାକୁ ମିଳିଥିଲା ସିନ୍ଦୁର ଖେଳ । ମହିଳା ମାନେ ପରସ୍ପରକୁ ସିନ୍ଦୁର ବୋଳି ଖୁସି ମନାଇଥିଲେ । ସମ୍ବଲପୁର କାଲିବାରିରେ ଦେଖିବାକୁ ମିଳିଥିଲା ବଙ୍ଗୀୟ ଝଲକ । କାରଣ ୧୦୧ ବର୍ଷ ହେଲା ଏଠି ବଙ୍ଗୀୟ ରୀତିନୀତିରେ ଦୁର୍ଗାପୂଜା ପାଳିତ ହୋଇ ଆସୁଛି । ତେଣୁ ଏଠି ଦେଖିବାକୁ ମିଳିଥିଲା ସିନ୍ଦୁର ଖେଳର ଝଲକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.