ମିଠାରେ ହୋଇଥିବା ଚାନ୍ଦି କାମ ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ : କ’ଣ ପାଇଁ ଜାଣନ୍ତୁ
18/12/2018 at 11:57 AM

ନୂଆ ବର୍ଷ ଆସିବା ଆଗରୁ ବଜାରରେ ବିଭିନ୍ନ ପ୍ରକାର ମିଠା ଏବଂ ଡ୍ରାଏ ଫ୍ରୃଟର ଚାହିଦା ବଢ଼ିଯାଇଛି। ମିଠାରେ ଚାନ୍ଦି କାମ ନହୋଇଥିଲେ ଏହା ସୁନ୍ଦର ମନଲୋଭା ଦେଖାଯାଏନାହିଁ। ଟେଷ୍ଟ ଭଲ ରହିବା ସହ ଲୁକ୍ ମଧ୍ୟ ଭଲ ଦେଖାଯିବା ଦରକାର। ଏଥିପାଇଁ ଅଧିକାଂଶ ମିଠାରେ ଚାନ୍ଦିକାମ ହୋଇଥାଏ। ସିଲଭର ଫୟଲ ବା ଚାନ୍ଦିକାମ ଆର୍ୟୁବେଦିକ ଔଷଧର ଏକ ଅଂଶବିଶେଷ ଏବଂ ଖାଇବା ଜିନିଷକୁ ସଜାଇବାରେ ଏହା ବ୍ୟବହୃତ ହୋଇଥାଏ। ଏହି ସୁନ୍ଦର ଚାନ୍ଦିକାମ ସବୁବେଳେ କିନ୍ତୁ ଚାନ୍ଦି ହୋଇନଥାଏ। ଆଜିକାଲି ଚାନ୍ଦି ଭଳି ଦେଖାଯାଉଥିବା ବିଭିନ୍ନ ପ୍ରକାର ବିଷାକ୍ତ ମେଟାଲ୍ ବଜାରକୁ ଆସିଗଲାଣି।ମିଠା ବ୍ୟତୀତ ଅନ୍ୟ ଜିନିଷ ମଧ୍ୟ ସଜାଇବା ପାଇଁ ଏହା ବ୍ୟବହାର କରାଯାଉଛି।
ଖାଇବା ଜିନିଷ ଏବଂ ମିଠାରେ ସବୁଠୁ ବେଶୀ ପର୍ବପର୍ବାଣୀରେ ଅପମିଶ୍ରଣ ହୋଇଥାଏ। ଏହି ସମୟରେ ସିଲଭର ବଦଳରେ ଆଲୁମିନିୟମର ପ୍ରୟୋଗ ହୋଇଥାଏ ଯାହା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ନିମ୍ନ ଧରଣର ସିଲଭରର ପ୍ରୟୋଗ ମଧ୍ୟ ଅନେକ ସ୍ଥାନରେ କରାଯାଇଥାଏ। ମିଠାରେ ଅପରିଷ୍କାରଭାବେ ଏଗୁଡ଼ିକ ଲଗାଯାଇଥାଏ। ଅନେକ ଥର ଏଥିରୁ ନିକେଲ ଓ ଲିଡ ଭଳି ବିଷାକ୍ତ ଜିନିଷ ମିଳିବାର ଦେଖାଯାଇଛି।ଏହା ଦ୍ବାରା ବିଭିନ୍ନ ପ୍ରକାର ଭୟଙ୍କର ରୋଗ ହେବାର ଆଶଂକା ଥାଏ।
ସିଲଭର ଲିଫ ବା ଚାନ୍ଦି କାମ ପ୍ରସ୍ତୁତ କରିବା ପ୍ରଣାଳୀ ଉପରେ ନିର୍ଭର କରିଥାଏ ଯେ ଏହା ଆମ ସ୍ବାସ୍ଥ୍ୟ ଉପରେ କି ପ୍ରଭାବ ପକାଇବ। ଆମ ଦେଶର ଭିନ୍ନ ଭିନ୍ନ ସ୍ଥାନରେ ଏହା ବିଭିନ୍ନ ଉପାୟରେ ପ୍ରସ୍ତୁତ ହୋଇଥାଏ। କିଛି ସ୍ଥାନରେ ଗ୍ରାନାଇଟ ପଥରରେ ଚମଡ଼ା ଛିଦ୍ର ସହ ଚାନ୍ଦିପଟା ରଖି ତାହାକୁ ପିଟି ସିଲଭର ଲିଫ ପ୍ରସ୍ତୁତ କରାଯାଇଥାଏ। ଏବେ ଏହାକୁ ପ୍ରସ୍ତୁତ କରିବା ପାଇଁ ଆଧୁନିକ ଯନ୍ତ୍ରପାତି ମଧ୍ୟ ବାହାରିଗଲାଣି। କିନ୍ତୁ ଏହି ସବୁ ପ୍ରକ୍ରିୟା ମାଧ୍ୟମରେ ହେଉଥିବା ସିଲଭର ଲିଫ ଶରୀର ପକ୍ଷେ କ୍ଷତିକାରକ ହୋଇଥାଏ।
-ମିଠା ଉପରୁ ଚାନ୍ଦି ଜରିକୁ ହଟାନ୍ତୁ। ଯଦି ଏହା ଆଙ୍ଗୁଠିରେ ଅଠା ଭଳି ଲାଗିଯାଇଥାଏ ତେବେ ଏହାର ଅର୍ଥ ଏଥିରେ ଆଲୁମିନିୟମ୍ ମିଶ୍ରିତ କରାଯାଇଛି।
– ମିଠାରୁ ସିଲଭର ଲିଫ ଉଠାଇ ଏହାକୁ ନିଆଁରେ ଜଳାନ୍ତୁ। ଯଦି ଏହା ସିଲଭର ହୋଇଥିବ ତେବେ ଏହା ଜଳି ପେଣ୍ଡୁ ଭଳି ହୋଇଯିବ। ଯଦି ଆଲୁମିନିୟମ୍ ହୋଇଥିବ ଏହା ପୋଡ଼ି ପାଉଁଶ ହୋଇଯିବ।
-ହାତରେ ସିଲଭର ଲିଫକୁ ରଗଡ଼ନ୍ତୁ। ଯଦି ଏହା ଗାୟବ ହୋଇଯାଏ ତେବେ ଏହା ସିଲଭର ହୋଇଥାଏ। ଯଦି ଏହା ପେଣ୍ଡୁ ଭଳି ହୋଇଯାଏ ତେବେ ଆଲୁମିନିୟମ୍ ହୋଇଥାଏ।