ସିଡନୀ ଟେଷ୍ଟ୍ : ସଙ୍କଟ ମୋଚକ ସାଜିଲେ ହନୁମା ବିହାରୀ ଓ ଅଶ୍ୱିନ, ମ୍ୟାଚ୍ ଡ୍ର

Published By : Prameya-News7 Bureau | January 11, 2021 IST

ସିଡନୀ,୧୧/ ୦୧: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀରେ ଖେଳାଯାଇଥିବା ତୃତୀୟ ଟେଷ୍ଟ ଡ୍ର ରହିଛି । ୪୦୭ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଭାରତ ମ୍ୟାଚ୍ ଡ୍ର ରଖିଛି । ଶେଷ ଦିନରେ ଦଳକୁ ବିଜୟ ପାଇଁ ୩୦୯ ରନ୍ ଦରକାର ହେଉଥିଲା । କିନ୍ତୁ ଟିମ୍ ଇଣ୍ଡିଆ ବିଜୟ ଲକ୍ଷ୍ୟ ହାସଲ କରିବାରେ ବିଫଳ ହୋଇଥିଲେ ବି ମ୍ୟାଚ୍ ଡ୍ର ରହିଛି ।

ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୩୧୨ ରନ୍ କରିଥିଲା । ଜବାବରେ ଭାରତ ୨୪୪ ରନରେ ଅଲଆଉଟ ହୋଇଯାଇଥିଲା ।  ଦ୍ୱିତୀୟ ଇନିଂସରେ କଙ୍ଗାରୁ ଟିମ୍ ୩୧୨ ରନରେ ପାଳି ଘୋଷଣା କରିଥିଲା ।  କଙ୍ଗାରୁ ଦଳ ୬ ଓ୍ୱିକେଟ୍ ବିନିମୟରେ ୩୧୨ ରନ୍ କରିବା ସହ ଭାରତଠୁ ୪୦୬ ରନରେ ଆଗୁଆ ରହିଥିଲା । ଅର୍ଥାତ ଭାରତକୁ ବିଜୟ ପାଇଁ ୪୦୭ ରନ୍ ଆବଶ୍ୟକ ରହିଥିଲା ।

ଅଷ୍ଟ୍ରେଲିଆର ଏହି ବିଶାଳ ସ୍କୋରକୁ ପିଛା କରିବା ପାଇଁ ପଡିଆକୁ ଓହ୍ଲାଇଥିଲେ ଭାରତୀୟ ଓପ୍‌ନର ଶୁଭମନ ଗିଲ୍‌ ଓ ରୋହିତ ଶର୍ମା । ଉଭୟ ଭଲ ଆରମ୍ଭ କରିଥିଲେ ମଧ୍ୟ ବେଶୀ ସମୟ ପର୍ଯ୍ୟନ୍ତ କ୍ରିଜ୍‌ରେ ରହିବା ସକ୍ଷମ ହୋଇପାରିନଥିଲେ । ରୋହିତ ଶର୍ମା ୫୨ ରନ୍‌ ଓ ଶୁଭମନ ଗିଲ୍‌ ୩୧ରନ୍‌ କରି ପାଭିଲିୟନ ଫେରିଯାଇଥିଲେ । ମ୍ୟାଚର ପଞ୍ଚମ ଦିନରେ ଭାରତ ଆଜିଙ୍କ୍ୟ ରାହାଣେଙ୍କ ଓ୍ୱିକେଟ୍ ହରାଇଥିଲା । ସେ ୪ ରନ୍ କରି ପ୍ୟାଭିଲିୟନ ଫେରିଥିଲେ । ତେବେ ପନ୍ତ ଓ ପୂଜାରା ବ୍ୟାଟିଂର ମଙ୍ଗ ସମ୍ଭାଳିଥିଲେ । ଲଞ୍ଚ୍ ବ୍ରେକ୍ ସୁଦ୍ଧା ପୂଜାରା ୭୭ ଓ ପନ୍ତ ୯୭ ରନରେ ପ୍ୟାଭିଲିୟନ ଫେରିଥିଲେ । ଏହାପରେ ଦଳ ବିପଦରେ ପଡ଼ିଥିଲା । କିନ୍ତୁ ହନୁମା ବିହାରୀ ଓ ଆର ଅଶ୍ୱିନ ବ୍ୟାଟିଂ ଭାର ସମ୍ଭାଳିଥିଲେ । ଉଭୟ ସତର୍କତାର ସହ ଖେଳି ମ୍ୟାଚ୍ ଡ୍ର ରଖିଥିଲେ । ହନୁମା ୨୩ ରନ୍ କରିଥିବା ବେଳେ ଅଶ୍ୱିନ ୩୯ ରନ୍ କରିଥିଲେ ।

ଅଷ୍ଟ୍ରେଲିଆ ପକ୍ଷରୁ ପକ୍ଷରୁ ଜୋସ୍ ହେଜେଲହୁଡ଼ ଓ ନାଥନ ଲାୟନ ୨ଟି ଲେଖାଏଁ ଓ୍ୱିକେଟ୍‌ ନେଇଥିବା ବେଳେ ପ୍ୟାଟ୍ କ୍ୟୁମିନ୍ସ ଗୋଟିଏ ଓ୍ୱିକେଟ୍ ନେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.