ପିସିସି ସଭାପତି ଭାବେ ଦାୟିତ୍ବ ଗ୍ରହଣ କଲେ ସିଦ୍ଧୁ, କ୍ୟାପ୍ଟେନଙ୍କ ଉପସ୍ଥିତିରେ ଧରିଲେ ପଞ୍ଜାବ କଂଗ୍ରେସର ମଙ୍ଗ

Published By : Prameya-News7 Bureau | July 23, 2021 IST

ନୂଆଦିଲ୍ଳୀ ୨୩/୭: ପଞ୍ଜାବ​ରେ କଂଗ୍ରେସ କଳିକୁ ଥଣ୍ଡା କଲା ଗରମ ଚା’ ! ବାଦ ବିବାଦର ଅନ୍ତ ଘଟାଇ ଶେଷରେ ନବଜୋତ ସିଂହ ସିଦ୍ଧୁ ଶୁକ୍ରବାର ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ସିଦ୍ଧୁ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ଉପସ୍ଥିତିରେ ଏହି ଦାୟିତ୍ବ ଗ୍ରହଣ କରିଥିବା ଜଣାପଡ଼ିଛି। ମଞ୍ଚରେ ତାଙ୍କର ନାଁ ଘୋଷଣା ହେବା ପରେ ସିଦ୍ଧୁ ବ୍ୟାଟ୍‌ ବୁଲାଉଥିବା ନେଇ ନଜର ଆସିଥିଲେ। ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ କାର୍ଯ୍ୟଭାର ଗ୍ରହଣ କରିବା ସୟମରେ ସେ କହିଛନ୍ତି, ଦଳର ଜଣେ ସାଧାରଣ ନେତା ଏବଂ ରାଜ୍ୟ ସଂଗଠନର ମୁଖ୍ୟଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ।

ଅମୃତସର ବିଧାୟକ ସିଦ୍ଧୁ ଆହୁରି କହିଛନ୍ତି, ଆଜିଠୁ ପଞ୍ଜାବ କଂଗ୍ରେସର ସମସ୍ତ ନେତା ରାଜ୍ୟ ସଂଗଠନର ମୁଖ୍ୟ ହୋଇଛନ୍ତି। ତେବେ ଦାୟିତ୍ବ ଗ୍ରହଣ କାର୍ଯ୍ୟକ୍ରମରେ ଅମରିନ୍ଦର ସିଂହଙ୍କ ବ୍ୟତୀତ ରାଜ୍ୟ ପ୍ରଭାରୀ ହରୀଶ ରାଓ୍ବତ ମଧ୍ୟ ଉପସ୍ଥିତ ଥିଲେ। ପ୍ରଦେଶ ଗଂଗ୍ରେସ ସଭାପତି ଭାବେ ଦାୟିତ୍ବ ଗ୍ରହଣ କରିବା ପୂର୍ବରୁ ଶୁକ୍ରବାର ପାର୍ଟି କାର୍ଯ୍ୟାଳୟରେ ସିଦ୍ଧୁ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କୁ ସାକ୍ଷାତ କରିଥି​‌ଲେ। କିନ୍ତୁ ପୂର୍ବରୁ ଏହି ଦୁଇ ନେତାଙ୍କ ମଧ୍ୟରେ ବିବାଦ ଉଗ୍ରରୂପ ନେଇଥିଲା। ଏହି କାର୍ଯ୍ୟକ୍ରମରେ କଂଗ୍ରେସର ବରିଷ୍ଠ ନେତା ମନୀଷ ତିଓ୍ବାରୀ, ପ୍ରତାପ ସିଂହ ବାଜଓ୍ବା ଏବଂ ଲାଲ ସିଂହ ମଧ୍ୟ ଉପସ୍ଥିତ ଥିଲେ ।

ସବୁଠୁ ବଡ଼ କଥା ହେଉଛି ଗତ ୪ ମାସ ପରେ ପ୍ରଥମ ଥର ସିଦ୍ଧୁ ଏବଂ ସିଂହ ପରଷ୍ପରକୁ ଭେଟିଛନ୍ତି । ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ସାକ୍ଷାତ ବେଳର ଫଟୋ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଟ୍ବିଟ୍‌ କରିଛନ୍ତି । ପଞ୍ଜାବ ପାଇଁ ନିଯୁକ୍ତ ହୋଇଥିବା ୪ ଜଣ କାର୍ଯ୍ୟକାରୀ ଅଧ୍ୟକ୍ଷ ଗୁରୁବାର ମୁଖ୍ୟମନ୍ତ୍ରୀଙ୍କୁ ଔପଚାରିକ ନିମନ୍ତ୍ରଣ ଦେଇଥିଲେ। ନିମନ୍ତ୍ରଣ ପତ୍ରରେ ୫୫ରୁ ଅଧିକ ବିଧାୟକ ଦସ୍ତଖତ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ଥିବା ମତଭେଦକୁ ଦୂର କରିବାକୁ ପ୍ରଚେଷ୍ଟାରେ ସିଦ୍ଧୁ ମଧ୍ୟ ଅମରିନ୍ଦରଙ୍କୁ ପତ୍ର ଲେଖିଥିଲେ। ଏହା ସହ ସେ ‘କୌଣସି ବ୍ୟକ୍ତିଗତ ଏଜେଣ୍ଡା’ ନୁହେଁ ବୋଲି ଚିଠିରେ ଲେଖିଥିଲେ ସିଦ୍ଧୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.