ଶେଷରେ ସୁପ୍ରିମକୋର୍ଟ ଶୁଣିଲେ, ସିଦ୍ଧାନ୍ତଙ୍କୁ ସୁଯୋଗ ଦେବା ଲାଗି ବମ୍ବେ ଆଇଆଇଟିକୁ ନିର୍ଦ୍ଦେଶ, ଭୁଲ୍ ଲଗ୍ ଇନ୍ ଯୋଗୁଁ ୨୭୦ ରାଙ୍କ୍‌ର ଛାତ୍ର କରିପାରିନଥିଲେ ଆଡମିଶନ

Published By : Prameya-News7 Bureau | December 10, 2020 IST

ନୂଆଦିଲ୍ଲୀ,୧୦/୧୨: ଭୁଲ ଲିଙ୍କ୍ କ୍ଲିକ୍ କରି ଆଇଆଇଟି ମୁମ୍ବାଇରେ ଆଡମିଶନରୁ ବଞ୍ଚିତ ହୋଇଥିବା ମେଧାବୀ ଛାତ୍ରଙ୍କୁ ସୁପ୍ରିମକୋର୍ଟ ବଡ ଆଶ୍ୱସ୍ତି ପ୍ରଦାନ କରିଛନ୍ତି । ମାନ୍ୟବର କୋର୍ଟ ୧୮ ବର୍ଷୀୟ. ବାପା-ମାଆ ଛେଉଣ୍ଡ ସିଦ୍ଧାନ୍ତ ବାତ୍ରାଙ୍କୁ ଇଞ୍ଜିନିୟରିଂ କୋର୍ସରେ ଆଡମିଶନ ପାଇଁ ସୁଯୋଗ ଦେବାକୁ ଆଇଆଇଟି ମୁମ୍ବାଇକୁ ନିର୍ଦ୍ଦେଶ ଦେଇଛନ୍ତି ।

ଜଷ୍ଟିସ ଏସକେ କୋଲ, ଦିନେଶ ମହେଶ୍ୱରୀ ଓ ହୃଷିକେଶ ରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ । ଏହାସହ କୋର୍ଟ ସିଦ୍ଧାନ୍ତଙ୍କ ଆଡମିଶନ କରିବାକୁ ମୁମ୍ବାଇ ଆଇଆଇଟିକୁ ନୋଟିସ୍ ମଧ୍ୟ କରିଛନ୍ତି ।

ସୂଚନାନୁସାରେ, ଆଗ୍ରାର ସିଦ୍ଧାନ୍ତ ବାତ୍ରାଙ୍କୁ ଅକ୍ଟୋବରରେ ଆଇଆଇଟି ଜେଇଇରେ-୨୦୨୦ରେ ସର୍ବ ଭାରତୀୟସ୍ତରରେ ୨୭୦ ରାଙ୍କ୍ ମିଳିଥିଲା । କଠିନ ପରିସ୍ଥିତିରେ ପାଠ ପଢି ସଫଳତା ପାଇଥିବା ୧୮ ବର୍ଷୀୟ ସିଦ୍ଧାନ୍ତ ଏବେ ଚର୍ଚ୍ଚାରେ ରହିଛନ୍ତି । ସିଦ୍ଧାନ୍ତଙ୍କ ପାଳନପୋଷଣ ତାଙ୍କ ମାଆ କରୁଥିଲେ ମଧ୍ୟ ୨ ବର୍ଷ ପୂର୍ବରୁ ସେ ମୃତ୍ୟୁବରଣ କରିଥିଲେ । କିନ୍ତୁ ଆଇଆଇଟି ରାଙ୍କ୍ ପାଇବା ପରେ ସିଦ୍ଧାନ୍ତ ଖୁସି ଥିଲେ । ତାଙ୍କୁ ଆଇଆଇଟି ବମ୍ବେର ଇଲେକ୍ଟ୍ରିକାଲ ବିଭାଗରେ ମଧ୍ୟ ସିଟ୍ ମିଳିଥିଲା । କିନ୍ତୁ ଏକ ଛୋଟିଆ ଭୁଲ ପାଇଁ ତାଙ୍କର ଏହି ସ୍ୱପ୍ନ ବରବାଦ ହୋଇଯାଇଥାନ୍ତା ।

ସିଦ୍ଧାନ୍ତ ଅକ୍ଟୋବର ୧୮ରେ ସିଦ୍ଧାନ୍ତ ସିଟ୍ ଚଏସର ପ୍ରଥମ ରାଉଣ୍ଡ ପୂରଣ କରିଥିଲେ । ଅକ୍ଟୋବର ୩୧ରେ ନିଜ ରୋଲ୍ ନମ୍ବର ଅଫଡେଟ୍ ବେଳେ ତାଙ୍କୁ ଏକ ଲିଙ୍କ୍ ମିଳିଥିଲା । ଯେଉଁଥିରେ ସିଟ୍ ନିର୍ଦ୍ଧାରଣ ଓ ଆଗାମୀ ରାଉଣ୍ଡରୁ ଓହରିବା ଲେଖାଯାଇଥିଲା । ତାଙ୍କୁ ମନପସନ୍ଦର ସିଟ୍ ମିଳିଥିବା ଭାବି ସେ ଏହି ଲିଙ୍କରେ କ୍ଲିକ୍ କରିଥିଲେ । କିନ୍ତୁ ନଭେମ୍ବର ୧୦ରେ ତାଙ୍କ ନାମ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ କୋର୍ସରେ ପ୍ରବେଶ ପାଇଥିବା ଛାତ୍ର ତାଲିକାରେ ନଥିବା ଜାଣିବାକୁ ପାଇଥିଲେ । ଏନେଇ ସେ ବମ୍ବେ ହାଇକୋର୍ଟରେ ଆବେଦନ କରିଥିଲେ । ଏନେଇ ନଭେମ୍ବର ୧୯ରେ କୋର୍ଟ ଶୁଣାଣି କରି ଆଇଆଇଟିକୁ ଏହା ଉପରେ ବିଚାର କରିବାକୁ କହିଥିଲେ । କିନ୍ତୁ ଆଇଆଇଟି ଅଧିକାରୀ ସିଦ୍ଧାନ୍ତଙ୍କ ଆବେଦନକୁ ଖାରଜ କରିଦେଇଥିଲେ ।

ନିରାଶ ହେବା ପରେ ସିଦ୍ଧାନ୍ତ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି । ତାଙ୍କ ପାଇଁ ଗୋଟିଏ ଅତିରିକ୍ତ ସିଟ୍ ବୃଦ୍ଧି ପାଇଁ ସେ ଅନୁରୋଧ କରିଥିଲେ । ତେବେ ଆଇଆଇଟି ଆସନ୍ତା ବର୍ଷ ସିଦ୍ଧାନ୍ତଙ୍କୁ ପୁଣି ପରୀକ୍ଷା ଦେବାକୁ କହିଥିଲା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସିଦ୍ଧାନ୍ତ ଏବେ ପୁଣି ନିଜ ସ୍ୱପ୍ନକୁ ସାକାର କରିପାରିବେ ବୋଲି ଖୁସି ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.