ଚାଷ ଜମିରୁ ଅସୁସ୍ଥ ହାତୀକୁ ଉଦ୍ଧାର କଲା ବନବିଭାଗ
23/11/2020 at 6:21 PM

ତେଲକୋଇ ୨୩।୧୧: ଅନୁଗୁଳ ଜିଲ୍ଲା ପାଲଲହଡା ରେଞ୍ଜ ଖମାର ବନବିଭାଗ ଅଞ୍ଚଳରେ ଥିବା କରଡାପାଳ ପଞ୍ଚାୟତ ରେଙ୍ଗାଳ ବେଡ଼ା ଗ୍ରାମ ନିକଟରେ ଏକ ୭୵୮ ବର୍ଷର ଅସୁସ୍ଥ ମାଈ ହାତୀ ଚାଷ ଜମିରେ ପଡ଼ି ରହିଛି । ଗ୍ରାମବାସୀ ମାନଙ୍କ ପାଖରୁ ଖବର ପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଅସୁସ୍ଥ ହାତୀକୁ ଠାବ କରିଛନ୍ତି ।
ସୂଚନା ମୁତାବକ ଆଜକୁ ପ୍ରାୟ ୭୵୮ ଦିନ ହେବ ବନବିଭାଗ କର୍ମଚାରୀ ମାନେ ଅସୁସ୍ଥ ହାତୀର ଖବର ପାଇ ହାତୀର ଅନୁସନ୍ଧାନ ଜାରି ରଖିଥିଲେ । ତେବେ ସୋମବାର ବନବିଭାଗ ପକ୍ଷରୁ ସ୍ଥାନୀୟ କରଡାପାଳ ଗ୍ରାମର ଫକୀର ପ୍ରଧାନଙ୍କ ବିଲରେ ହାତୀ ଠାବ କରି ତାର ଚିକିତ୍ସା ଆରମ୍ଭ କରିଛନ୍ତି । ହାତୀର ଅବସ୍ଥା ଅତି ଗୁରୁତର ହୋଇଥିବାରୁ ସ୍ଥାନୀୟ ପ୍ରାଣୀ ଚିକିତ୍ସା ଅଧିକାରୀ ତାଙ୍କର ଚିକିତ୍ସା ଆରମ୍ଭ କରିଛନ୍ତି । କେଉଁ କାରଣରୁ ହାତୀଟି ଅସୁସ୍ଥ ହୋଇ ପଡିଛି ତାହା ଏବେ ଜଣା ପଡିନାହିଁ ।