ଜାତୀୟ ରାଜନୀତିର ମୁଖ୍ୟ ସ୍ରୋତରୁ ଦୂରେଇ ଦିଆଯାଇପାରିବନି କଂଗ୍ରେସକୁ : ସାମ୍ନା ସମ୍ପାଦକୀୟ

Published By : Prameya-News7 Bureau | December 04, 2021 IST

ମୁମ୍ବାଇ ୪।୧୨: ତୃଣମୂଳ ନେତ୍ରୀ ମମତା ବାନାର୍ଜୀ ନିକଟରେ ମହାରାଷ୍ଟ୍ର ଗସ୍ତ କରିବା ସହ ଶିବସେନା ମୁଖ୍ୟଙ୍କୁ ଭେଟିଥିଲେ। ୨୦୨୪ ସାଧାରଣ ନିର୍ବାଚନ ସୁଧା  ବିଜେପି ବିରୋଧରେ ମମତା  ବିରୋଧୀ ଦଳଙ୍କୁ ଏକ କରିବା ଲାଗି ଏହି ଗସ୍ତ କରୁଛନ୍ତି। ମୁମ୍ବାଇ ଗସ୍ତକାଳରେ ମମତା ଓ ଉଦ୍ଧବଙ୍କ ସାକ୍ଷାତ ଆଲୋଚନା ବେଶ ସୌହାର୍ଦ୍ଧ୍ୟପୂର୍ଣ୍ଣ ଥିଲା। ତେବେ ଶନିବାର ପ୍ରକାଶିତ ଶିବସେନା ମୁଖପତ୍ର ‘ସାମ୍ନା’ର ସମ୍ପାଦକୀୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ମମତାଙ୍କ ଅଭିଯାନ ସମ୍ପର୍କରେ ସମ୍ପାଦକୀୟରେ ଚର୍ଚ୍ଚା କରାଯାଇଛି। ଯେଉଁଥିରେ କଂଗ୍ରେସ ଭଳି ଏକ ସର୍ବପୁରାତନ ଦଳକୁ ଜାତୀୟ ରାଜନୀତିର ମୁଖ୍ୟ ସ୍ରୋତରୁ ଦୂରରେ ରଖା ଯାଇ ନପାରେ ବୋଲି ତର୍କ ରଖା ଯାଇଛି। ଯଦି ଏପରି କିଛି ହୁଏତ ତେବେ ଏହା ବିଜେପି ଲାଗି ଲାଭଜନକ ହେବା ସହ ଫାଶୀବାଦକୁ ପ୍ରୋତ୍ସାହିତ କରିବ ବୋଲି  କୁହାଯାଇଛି। ସେହିପରି ଯେଉଁମାନେ କଂଗ୍ରେସ ନେତୃତ୍ୱାଧୀନ ‘ୟୁପିଏ’ ଚାହାନ୍ତିନି ସେମାନେ ପିଠି ପଛପଟେ କଥା ହୋଇ ଭ୍ରମ ସୃଷ୍ଟି କରିବା ବଦଳେ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ବୋଲି ମଧ୍ୟ କୁହାଯାଇଛି।

{"id":554413,"sizeSlug":"full","linkDestination":"none"}

ବିଜେପି ସହ ଲଢୁଥିବା ଲୋକଙ୍କୁ ଯଦି ଲାଗୁଛି କଂଗ୍ରେସର ଅସ୍ତିତ୍ୱ ସମାପ୍ତ ହୋଇଯିବା ଦରକାର ତେବେ ଏପରି ବିଚାର ମଧ୍ୟ ଠିକ୍ ନୁହେଁ। ଏଥିରେ ଯଦି କେହି ଭାବୁଥାନ୍ତି ବିରୋଧୀ ଦଳଙ୍କ ମଧ୍ୟରେ ଏକତା ନାହିଁ, ତେବେ ଏକତା ଅଣାଯିବା ଦରକାର ଓ ବିଜେପିର ରାଜନୈତିକ ବିକଳ୍ପକୁ ଅବରୋଧ କରାଯିବା ଦରକାର ବୋଲି କୁହାଯାଇଛି। ସେହିପରି ଶିବସେନା କହିଛି ଯେ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କୁ ମଧ୍ୟ କହିବାକୁ ପଡିବ ସେମାନେ ୟୁପିଏ ଲାଗି କଣ କରିବାକୁ ଚାହାନ୍ତି। ଏଥିଲାଗି ସେମାନଙ୍କ ଯୋଜନା କଣ?

ଯେଉଁମାନେ ବିରୋଧୀଙ୍କ ମଜଭୁତ ମେଣ୍ଟ ଚାହାନ୍ତି ସେମାନେ ମଧ୍ୟ ୟୁପିଏକୁ ମଜଭୁତ କରିବା ଲାଗି ଉଦ୍ୟମ କରିବା ଦରକାର । ସେହିପରି ଯେଉଁମାନେ ଚାହାନ୍ତି ଦେଶରେ ବିରୋଧୀ ଦଳ ମଭୁତ ହେଉ ସେମାନେ କଂଗ୍ରେସକୁ ସାଙ୍ଗରେ ନେଇ ଆଗକୁ ଆସିବା ଦରକାର। ସମ୍ପାଦକୀୟରେ ଦେଶର କେତେକ ରାଜ୍ୟରେ ଏବେବି କଂଗ୍ରେସ ଥିବା କୁହାଯାଇଛି। ଏଣୁ କଂଗ୍ରେସକୁ ନେଇ ଆଗକୁ ପରିକଳ୍ପନା ବନ୍ଦ କରିଦେବା ମଧ୍ୟ ଯଥାଯଥ ନୁହେଁ ବୋଲି ଶିବସେନା ଉଲ୍ଲେଖ କରିଛି।

{"id":554414,"sizeSlug":"full","linkDestination":"none"}

ଉଲ୍ଲେଖଯୋଗ୍ୟ ଯେ ନିକଟରେ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର କଂଗ୍ରେସର ନେତୃତ୍ୱ ଐଶ୍ୱରିକ ଅଧିକାର ନୁହେଁ ବୋଲି କହିଥିଲେ। ଖାସ କରି ଗତ ୧୦ ବର୍ଷ ହେଲା ୯୦ ପ୍ରତିଶତରୁ ଅଧିକ ନିର୍ବାଚନରେ ହାରି ସାରିଥିବା କଂଗ୍ରେସ ନେତୃତ୍ୱକୁ ନେଇ କୌଣସି ପରିକଳ୍ପନାକୁ ସେ ଅସ୍ୱୀକାର କରିଥିଲେ।

ସେପଟେ ଟିଏମସି ମୁଖପାତ୍ର ‘ଜାଗୋ ବାଂଲା’ରେ ପ୍ରକାଶିତ ଏକ ଲେଖାରେ ଦେଶକୁ ଏବେ ଏକ ବିକଳ୍ପ ମୋର୍ଚ୍ଚାର ଆବଶ୍ୟକତା ଥିବା ଓ ବିରୋଧୀ ଦଳମାନେ ମମତା ବାନାର୍ଜୀଙ୍କୁ ଏହି ଦାୟିତ୍ୱ ଦେଇଥିଲା ଉଲ୍ଲେଖ ଥିଲା। ଏଥିରେ ମମତାଙ୍କୁ ବର୍ତ୍ତମାନ ସମୟର ସବୁଠୁ ଲୋକପ୍ରୀୟ ଚେହେରା ବୋଲି ମଧ୍ୟ କୁହାଯାଇଥିଲା। ଏହା ଛଡା ମମତା ତାଙ୍କ ମୁମ୍ବାଇ ଗସ୍ତକାଳରେ ଏବେ ଆଉ ୟୁପିଏ ନାହିଁ ବୋଲି କହିଥିଲେ। ଏଥିରେ ସାମ୍ନାରେ ପ୍ରକାଶିତ ସମ୍ପାଦକୀୟ ଏବେ ଦେଶରେ ମଜଭୁତ ବିରୋଧୀ ଦଳ ନେଇ ନୂଆ ଦ୍ୱନ୍ଦ୍ୱ ସୃଷ୍ଟି କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.